www.samajalive.in
Tuesday, December 9, 2025
16.1 C
Bhubaneswar

୮ କ୍ରୀଡ଼ା ଛାତ୍ରାବାସକୁ ଘରୋଇକରଣ ଯୋଜନା

କଟକ: ଓଡ଼ିଶାକୁ ଦେଶର କ୍ରୀଡ଼ା ହବ୍‌ରେ ପରିଣତ କରିବା ନେଇ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି କରୁଛନ୍ତି। ହାଇପରଫର୍ମାନ୍‌ସ କେନ୍ଦ୍ର ସହ ବିଶ୍ବସ୍ତରୀୟ କ୍ରୀଡ଼ା ପ୍ରଶିକ୍ଷଣ ନେଇ ଭିିତ୍ତିଭୂମି ସୃଷ୍ଟି କରା ଯାଉଥିବା ବେଳେ ରାଜ୍ୟ କ୍ରୀଡ଼ାବିତ୍‌ଙ୍କ ଗୁରୁକୂଳ ଭାବେ ପରିଚିତ କ୍ରୀଡ଼ା ଛାତ୍ରାବାସ ଉପେକ୍ଷିତ ହେବାରେ ଲାଗିଛି; ଯାହା ରାଜ୍ୟର କ୍ରୀଡ଼ା ଛାତ୍ରାବାସଗୁଡ଼ିକୁ ଅନୁଧ୍ୟାନ କଲେ ଅନୁମେୟ କରିହୁଏ। ରାଜ୍ୟ ସରକାର ଏବେ ରାଜ୍ୟରେ ଥିବା ୧୪ଟି କ୍ରୀଡ଼ା ଛାତ୍ରାବାସ ମଧ୍ୟରୁ ୮ଟିକୁ ଘରୋଇକରଣ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହାଛଡ଼ା କ୍ରୀଡ଼ା ଛାତ୍ରାବାସମାନଙ୍କରେ ୧୮ ବର୍ଷରୁ ଉର୍ଦ୍ଧ୍ବ ସିନିୟର ପିଲାମାନଙ୍କୁ ଆଉ ରହିବାର ସୁଯୋଗ ମିଳିବ ନାହିଁ ବୋଲି ଯୋଜନା କରା ଯାଇଥିବା ଜଣାପଡ଼ିଛି। ସିନିୟର ଖେଳାଳିଙ୍କ ଲାଗି କ୍ରୀଡ଼ା ଛାତ୍ରାବାସ ଦ୍ବାର ବନ୍ଦ ହେଲେ ଯୁବ ଖେଳାଳିଙ୍କ ଭବିଷ୍ୟତକୁ ନେଇ ଆଶଙ୍କା ସୃଷ୍ଟିହେବ।
ରାଜ୍ୟରେ ରହିଥିବା ବିଭିନ୍ନ କ୍ରୀଡ଼ା ଛାତ୍ରାବାସରେ ୨ଟି ବର୍ଗରେ- ୧୮ ବର୍ଷରୁ କମ୍‌ ଜୁନିୟର ଓ ୧୮ ବର୍ଷରୁ ଉର୍ଦ୍ଧ୍ବ ସିନିୟର ବର୍ଗର ପିଲାଙ୍କ ଲାଗି ରହିବାର ସୁବିଧା ରହିଛି। ୧୮ ବର୍ଷରୁ ଉର୍ଦ୍ଧ୍ବ ଖେଳାଳି ରହୁଥିବା ଛାତ୍ରାବାସକୁ ସେଣ୍ଟର ଫର ଏକ୍ସଲେନ୍‌ସର ମାନ୍ୟତା ମିଳିଛି। କ୍ରୀଡ଼ା ବିଭାଗ ଏବେ ଜୁନିୟର ଖେଳାଳିଙ୍କୁ ଛାତ୍ରାବାସରେ ରଖିବା ସହିତ ୧୮ ବର୍ଷରୁ ଉର୍ଦ୍ଧ୍ବ ସିନିୟର ଖେଳାଳିଙ୍କୁ ବାହାର କରିବା ନେଇ ଯୋଜନା କରିଛନ୍ତି। ଫଳରେ ବର୍ତ୍ତମାନ ରହୁଥିବା ଶତାଧିକ ସିନିୟର ଖେଳାଳିଙ୍କ କ୍ୟାରିୟରକୁ ନେଇ ବିପଦ ସୃଷ୍ଟିହୋଇଛି। ମିଳିଥିବା ସୂଚନା ଅନୁଯାୟୀ; କ୍ରୀଡ଼ା ଛାତ୍ରାବାସରୁ ବାହାରୁ ଥିବା ୧୮ ବର୍ଷରୁ ଉର୍ଦ୍ଧ୍ବ ଖେଳାଳିଙ୍କ ପ୍ରଦର୍ଶନକୁ ବିଚାରକୁ ନିଆଯାଇ ହାଇପରଫର୍ମାନ୍‌ସ କେନ୍ଦ୍ରରେ ପ୍ରଶିକ୍ଷଣର ସୁଯୋଗ ମିଳିବା ନେଇ କ୍ରୀଡ଼ା ବିଭାଗ ଯୋଜନା କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ରାଜ୍ୟରେ ଥିବା ୮ଟି କ୍ରୀଡ଼ା ଛାତ୍ରାବାସକୁ ଘରୋଇକରଣ କରିବା ନେଇ ଯୋଜନା କରିଛନ୍ତି। ଫଳରେ ଉକ୍ତ କ୍ରୀଡ଼ା ଛାତ୍ରାବାସଗୁଡ଼ିକ ଘରୋଇ ସଂସ୍ଥା ଦ୍ବାରା ପରିଚାଳିତ ହେବ। କଳିଙ୍ଗ ଷ୍ଟାଡ଼ିୟମ ଖେଲୋ ଇଣ୍ଡିଆ ସେଣ୍ଟର ଫର ଏକ୍ସଲେନ୍‌ସ ପରିଣତ କରାଯିବା ନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟର ଘୋଷଣା ପରେ ରାଜ୍ୟ କ୍ରୀଡ଼ା ବିଭାଗ ଏବେ ଖେଲୋ ଇଣ୍ଡିଆ ସେଣ୍ଟର ଓ ହାଇପର୍ଫର୍ମାନ୍‌ସ କେନ୍ଦ୍ର ଉପରେ ଗୁରୁତ୍ବ ଦେଇଛି। କେନ୍ଦ୍ର ସରକାର ଦେଶର ୧୦୦୦ଟି ଜିଲାରେ ଖେଲୋ ଇଣ୍ଡିଆ କେନ୍ଦ୍ର ଖୋଲିବା ନେଇ ଘୋଷଣା କରିଛନ୍ତି। ଓଡ଼ିଶାରେ ମଧ୍ୟ ଖେଲୋ ଇଣ୍ଡିଆର ଏକାଧିକ କେନ୍ଦ୍ର ଖୋଲିବା ନେଇ ପ୍ରସ୍ତାବ ଦିଆଯାଇଛି। ଖେଲୋ ଇଣ୍ଡିଆ ସେଣ୍ଟର ଓ ହାଇପରଫର୍ମାନ୍‌ସ କେନ୍ଦ୍ର ମଧ୍ୟରେ କ୍ରୀଡ଼ାବିତ୍‌ଙ୍କ ଗୁରୁକୂଳ ଭାବେ ପରିଚିତ କ୍ରୀଡ଼ା ଛାତ୍ରାବାସ ବଳି ପଡ଼ିବାକୁ ଯାଉଛି ବୋଲି କ୍ରୀଡ଼ାବିତ୍‌ମ‌ାନେ ମତ ଦେଇଛନ୍ତି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories