www.samajalive.in
Saturday, December 13, 2025
14.1 C
Bhubaneswar

୧୦ ବର୍ଷ ପୃଥକବାସରେ ଭିନ୍ନ ଜଣେ ରୋଗୀ

ସୋରଡ଼ା : କରୋନା ମୁକାବିଲା ପାଇଁ ସାରା ଦେଶ ବ୍ୟସ୍ତ। ପ୍ରବାସୀଙ୍କ ପାଇଁ ସଂଗରୋଧ ବ୍ୟବସ୍ଥା ହୋଇଛି ବାଧ୍ୟତାମୂଳକ। ଆମ ରାଜ୍ୟରେ ମଧ୍ୟ ପ୍ରବାସୀଙ୍କ ନିମନ୍ତେ ୧୪ ଦିନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଂଗରୋଧ ଓ ଘରେ ୭ ଦିନ ପୃଥକବାସରେ ରହିବାର ନିୟମ କରାଯାଇଛି। ହେଲେ ଜଣେ ବ୍ୟକ୍ତି ୧୦ ବର୍ଷ ହେଲା ଗାଁ ମୁଣ୍ଡରେ ଏକାକୀ ପୃଥକ୍‌ବାସରେ ରହୁଛନ୍ତି। ୧୪ ଦିନ ନୁହେଁ କି ୧୪ ମାସ ନୁହେଁ; ଦୀର୍ଘ ୧୦ ବର୍ଷ ହେଲା ପରିବାର ବିନା ରାସ୍ତାକଡ଼ରେ ପୃଥକ୍‌ବାସରେ କାଳାତିପାତ କରୁଛନ୍ତି ଜଣେ ୭୫ ବର୍ଷ ବୟସ୍କ କୁଷ୍ଠ ରୋଗାକ୍ରାନ୍ତ ବ୍ୟକ୍ତି। ରୋଗ ଗ୍ରାସ କରିବା ପରେ ସେ ଘର ଛାଡ଼ି ଗାଁ ଠାରୁ ଏକ କିଲୋମିଟର ଦୂର ଏକ ସ୍ଥାନରେ କୁଢିଆଟିଏ କରି ନିଃସଙ୍ଗ ଜୀବନ ବିତାଉଛନ୍ତି। ସେ କାହା ସହ ମିଳାମିଶା କରୁନାହାନ୍ତି କି କେହି ତାଙ୍କୁ ମିଳାମିଶା କରିବାକୁ ଆସନ୍ତିନି। କେବଳ ରକ୍ତ ସମ୍ପର୍କ ଛାଡିନପାରି ସାନଭାଇ ତାଙ୍କୁ ଦୁଇଓଳା ଖାଇବାକୁ ଦେଉଛନ୍ତି। ଗାଁ ଛାଡିବା ଦିନଠାରୁ ଦିନଟିଏ ହେଲେ ସେ ଗାଁ ମୁହଁ ମାଡ଼ି ନାହାନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଳକ୍‍ ଅସୁରବନ୍ଧ ପଞ୍ଚାୟତରେ।
ଅସୁରବନ୍ଧ ଗ୍ରାମର ପୀତବାସ ଦଳବେହେରା ପ୍ରାୟ ୪୫ ବର୍ଷ ତଳେ ଯୁବ ଅବସ୍ଥାରେ କୁଷ୍ଠ ରୋଗରେ ପୀଡ଼ିତ ହୋଇଥିଲେ। ଚାଷବାସ କରି ଜୀବିକା ନିର୍ବାହ କରୁଥିବା ପୀତବାସ ଜୀବନ ସଂଗ୍ରାମରେ ହାରିଯାଇ ନ ଥିଲେ। ସାମାଜିକ କଟକଣା, ଲୋକଙ୍କ ଘୃଣ୍ୟ ନଜରକୁ ଖାତିର ନକରି ସେ ସମାଜର ମୁଖ୍ୟ ସ୍ରୋତରେ ତାଳ ଦେଇ ଚାଲିଥିଲେ। କୁଷ୍ଠ ରୋଗାଗ୍ରସ୍ତ ଯୋଗୁ ବିବାହ ନକରି ବାପା, ମା’ ଓ ସାନଭାଇ ସହ ବେଶ ଖୁସିରେ ଚଳୁଥିଲେ। ବୟସ ବଢ଼ିବା ସାଙ୍ଗକୁ ରୋଗ ମଧ୍ୟ ବଢିବାରେ ଲାଗିଥିଲା। ବାପା -ମା’ ମଧ୍ୟ ଆରପାରିକୁ ଚାଲି ଯାଇଥିଲେ। ଏହାପରେ ବଢିଥିଲା ପୀତବାସଙ୍କ ଚିନ୍ତା। ସାନ ଭାଇ ଓ ତାଙ୍କ ପରିବାର ସଦସ୍ୟଙ୍କ ଉପରେ ନିର୍ଭର କରି ସେ ଚଳି ଆସୁଥିଲେ। କାଳକ୍ରମେ ଭାଇ ଭାଗ ହୋଇଯିବା ପରେ ଭାଙ୍ଗିରୁଜି ଯାଇଥିଲା ତାଙ୍କର ଘର। ଫଳରେ ଗତ ୧୦ ବର୍ଷ ହେଲା ପୀତବାସ ଅସୁରବନ୍ଧରୁ ଆସି ୫୯ ନଂ ଜାତୀୟ ରାଜପଥର ଦୁଲାଡ଼ ଛକରେ ଏକ କୁଡ଼ିଆ କରି ଏକାକୀ ରହି ଆସୁଛନ୍ତି। ଗାଁରେ ରହୁଥିବା ସାନଭାଇ ମାଗି ଦଳବେହେରାର ବର୍ତ୍ତମାନ ସୁଦ୍ଧା ପୀତବାସଙ୍କୁ ଖାଇବାକୁ ଦେଉଛନ୍ତି। କିଛି ବର୍ଷ ପୂର୍ବେ ପୀତାବାସଙ୍କୁ ଇନ୍ଦିରା ଆବାସ ମିଳିଥିଲେ ସୁଦ୍ଧା ଆବଶ୍ୟକ କାଗଜପତ୍ର ନ ଥିବାରୁ ଏଯାଏଁ ନିର୍ମାଣ ହୋଇପାରିନି। ବର୍ତ୍ତମାନ କୁଷ୍ଠ ରୋଗୀଙ୍କ ନିମନ୍ତେ ଚାଲିଥିବା ଏମ୍‍ଡିଟି. ବ୍ୟବସ୍ଥା ମଧ୍ୟ ପହଞ୍ଚିପାରିନି ତାଙ୍କ ନିକଟରେ। ପୂର୍ବରୁ କିଛି ଦେଶୀ ଚିକିତ୍ସା କରିଥିବା ପୀତବାସ ବର୍ତ୍ତମାନ କୌଣସି ଔଷଧ ଖାଉନଥିବା ପ୍ରକାଶ କରିଛନ୍ତି। ସୋରଡ଼ା ବ୍ଳକ୍‍ ଉପାଧ୍ୟକ୍ଷ ବିକଳ ବେହେରା ପୀତବାସଙ୍କୁ ଯଥାସମ୍ଭବ ସାହାଯ୍ୟ ଓ ସହଯୋଗ କରି ଆସୁଛନ୍ତି। ଖବର ନେବାରୁ ଜଣାପଡ଼ିଛି ଯେ, ଗତ ୬ ବର୍ଷ ହେଲା ସୋରଡ଼ା, ବଡ଼ଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ କୁଷ୍ଠ ରୋଗ ବିଭାଗୀୟ ପୁରୁଷ ସ୍ୱାସ୍ଥ୍ୟକର୍ମୀ ପଦ ଖାଲିପଡ଼ିଥିବା ଯୋଗୁଁ ଅନେକ କୁଷ୍ଠ ରୋଗୀ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି। ସରକାରଙ୍କ ତରଫରୁ ସହାୟତା ପ୍ରଦାନ କରାଗଲେ ବଳକା ଜୀବନ ଶାନ୍ତିରେ କଟିବ ବୋଲି କହିଛନ୍ତି ପୀତବାସ। ଘଟଣାର ତଦନ୍ତ କରାଯାଇ ଯଥାଶୀଘ୍ର ପିତବାସଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ବ୍ଳକ୍‍ ପ୍ରଶାନ ପକ୍ଷରୁ କୁହାଯାଇଛି।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories