www.samajalive.in
Friday, December 12, 2025
27.1 C
Bhubaneswar

ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ଭୟ

ଭୁବନେଶ୍ବର : ରାଜ୍ୟରେ କରୋନା ମହାମାରୀ ଏବେ ପ୍ରବଳ ମାତ୍ରାରେ ବଢ଼ି ଚାଲିଛି। ଗତ ୫ଦିନର ରିପୋର୍ଟ ଅନୁଧ୍ୟାନ କଲେ ଜଣାଯାଉଛି ଯେ ଯେଉଁ ପରିମାଣର ସଂକ୍ରମିତ ସଙ୍ଗରୋଧ କେନ୍ଦ୍ରରୁ ବାହାରୁଛନ୍ତି, ତାକୁ ତାଳଦେଇ ସ୍ଥାନୀୟ ଅଞ୍ଚଳରୁ ମଧ୍ୟ ଚିହ୍ନଟ ହେଉଛନ୍ତି। ଏହି ୫ ଦିନ ମଧ୍ୟରେ ରାଜ୍ୟରେ ମୋଟ ୬୫୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫୯୩ଜଣ ବିଭିନ୍ନ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ଅବଶିଷ୍ଟ ୬୬ଜଣ ସ୍ଥାନୀୟ ଅଞ୍ଚଳର, ଯାହାକି ୧୦ପ୍ରତିଶତରୁ ଅଧିକ।
ଗତ ୫ଦିନର ସଂକ୍ରମଣ ଅନୁସାରେ ମେ’ ୩୧ରେ ୧୨୯ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୧୯ଜଣ ସଙ୍ଗରୋଧ କେନ୍ଦ୍ରର ଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ୧୦ଜଣ, ଜୁନ୍ ପହିଲାରେ ୧୫୬ଜଣଙ୍କ ମଧ୍ୟରୁ ୩ଜଣ, ୨ତାରିଖରେ ୧୪୧ରୁ ୩୧, ୩ରେ ୧୪୩ରୁ ୧୧ ଏବଂ ଆଜି ଚିହ୍ନଟ ହୋଇଥିବା ମୋଟ ୯୦ସଂକ୍ରମିତଙ୍କ
ମଧ୍ୟରୁ ୧୧ଜଣ ସ୍ଥାନୀୟ ଅଞ୍ଚଳରୁ ବାହାରିଛନ୍ତି। ଏହାକୁ ନେଇ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଛନକା ପଶିଛି। ଗୋଟିଏ ପଟେ ରାଜ୍ୟ ସରକାର ବାରମ୍ବାର କହି ଆସୁଛନ୍ତି ଯେ ଏପର୍ଯ୍ୟନ୍ତ ଓଡ଼ିଶାରେ ସାମାଜିକ ସଂକ୍ରମଣ ସ୍ଥିତି ଉପୁଜି ନାହିଁ। ହେଲେ ସ୍ବାସ୍ଥ୍ୟ ବିଭାଗର କଣ୍ଟାକ୍ଟ ଟ୍ରେସିଂ ରିପୋର୍ଟରେ ୬୬ଜଣ ସଂକ୍ରମିତ ବାହାରିବାକୁ ନେଇ ଜନସାଧାରଣରେ ଆଶଙ୍କା ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଏମ୍ସରୁ ଜନୈକ ଡାକ୍ତରଙ୍କ ନମୁନା ପଜିଟିଭ ବାହାରିବା ଏବଂ ସ୍ଥାନୀୟ ଅଞ୍ଚଳରୁ ୨ଜଣ ଚିହ୍ନଟ ହେବାକୁ ନେଇ ରାଜଧାନୀରେ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି।
କଟକ ସହରରେ ମଧ୍ୟ ଧୀରେ ଧୀରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ବଢ଼ିବାରେ ଲାଗିଛି। ପୂର୍ବରୁ ସିଟି ହସ୍ପିଟାଲର ଜଣେ ଡାକ୍ତର ଓ ତାଙ୍କ ପତ୍ନୀ କରୋନା ସଂକ୍ରମିତ ହେବା ପରେ ଗୁରୁବାର ସେକ୍ଟର-୭ସ୍ଥିତ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ୨ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଦୁଇ କର୍ମଚାରୀ ଶହଶହ ରୋଗୀ, ସହାୟକଙ୍କ ସହିତ ମେଡିକାଲର ବହୁ କର୍ମଚାରୀ ଓ ଅଧିକାରୀଙ୍କ ସଂସ୍ପର୍ଶରେ ଆସିଥିବାରୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଅଧିକ ଦୃଢ଼ୀଭୂତ କରିଛିି। ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଭାବେ ବଢିଚାଲିଛି। ଆଜି ୨ ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରୁ ଏ ପର୍ଯ୍ୟନ୍ତ ୧୫ଜଣ କରୋନା ସଂକ୍ରମିତ ଚିହ୍ନଟ ହେଲେଣି।
ଅନ୍ୟପକ୍ଷରେ ୨ଦିନ ତଳେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ରାଜ୍ୟବାସୀଙ୍କୁ ସୂଚନା ଦେଇଥିଲେ ଯେ ଜୁନ୍ ମାସରେ ସଂକ୍ରମଣ ବହୁ ଗୁଣରେ ବଢ଼ିବାର ସମ୍ଭାବନା ରହିଛି। ତେଣୁ ସମସ୍ତେ ସରକାରୀ ନୀତି ନିୟମ ମାନି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ଗୁରୁତ୍ବ ଦିଆଯାଇଛି। ସେହିପରି ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନର୍ବାର ରାଜ୍ୟବାସୀଙ୍କୁ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories