www.samajalive.in
Thursday, December 11, 2025
13.1 C
Bhubaneswar

ଆଜି ବିନା ଭକ୍ତରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା : ଟେଲିଭିଜନରେ ସିଧାପ୍ରସାରଣ

ପୁରୀ : ଆଜି ଦାରୁବ୍ରହ୍ମଙ୍କ ପ୍ରସିଦ୍ଧ ସ୍ନାନଯାତ୍ରା। ରତ୍ନସିଂହାସନ ଛାଡି ସ୍ନାନମଣ୍ଡପକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ୧୦୮ଗଡୁ ସୁବାସିତ ଜଳରେ ମହାପ୍ରଭୁଙ୍କୁ ସ୍ନାନ କରାଯିବା ସହ ଆକର୍ଷଣୀୟ ହାତୀବେଶ କରାଯିବ। ବର୍ତ୍ତମାନ ଶ୍ରୀଜୀଉଙ୍କ ପହଣ୍ଡି ଚାଲିଛି।
ତେବେ ଶ୍ରଦ୍ଧାଳୁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ। ଘରେବସି ଟେଲିଭିଜନରେ ଏହାର ସିଧାପ୍ରସାରଣ ଦେଖିବେ। ଭକ୍ତବତ୍ସଳ ଶ୍ରୀଜଗନ୍ନାଥଙ୍କ ଠାରୁ ପ୍ରିୟଭକ୍ତଙ୍କୁ ଦୂରେଇ ରଖିବା ପାଇଁ ବଡ଼ଦାଣ୍ଡ ସମେତ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୪୪ ଜାରି କରାଯାଇଛି। ବିଭିନ୍ନ ସାହି ଓ ଛକ ଗୁଡିକରେ ବ୍ୟାରିକେଡ ନିର୍ମାଣ କରାଯାଇଛି। ପୁଲିସ ଫୋର୍ସଙ୍କୁ ସେସବୁ ସ୍ଥାନରେ ମୁତୟନ କରାଯାଇଛି। ଶ୍ରୀମନ୍ଦିର ନିକଟରେ ଥିବା ଘର ସମ୍ମୁଖରେ ଗୁରୁବାର ଧଳାକନାର ବାଡ ପକାଯାଇଛି। କୌଣସି ଭକ୍ତ ଯେପରି ଶ୍ରୀମନ୍ଦିର ସମ୍ମୁଖକୁ ଯାଇନପାରିବେ ସେଥିପାଇଁ ପ୍ରଶାସନ କଠୋର କଟକଣା ଜାରି କରିଛି। ଶ୍ରୀମନ୍ଦିର ନିକଟସ୍ଥ ବେସରକାରୀ କୋଠା ଉପରେ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଚଳିତବର୍ଷ ବିନାଭକ୍ତରେ ସ୍ନାନଯାତ୍ରା କରାଯାଉଥିଲେ ମଧ୍ୟ ୪୦ପ୍ଲାଟୁନ ଫୋର୍ସ ଏବଂ ୨୫୦ ପୁଲିସ ଅଧିକାରୀ ନିୟୋଜିତ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଇତିହାସରେ ପ୍ରଥମଥର ପାଇଁ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ବାଡ ପକାଇଛି ପ୍ରଶାସନ। ସ୍ନାନପୂର୍ଣ୍ଣିମା ପରି ତିଥିରେ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଜାରି କରାଯାଇଛି। ସ୍ନାନମଣ୍ଡପ ସମ୍ମୁଖ ବଡ଼ଦାଣ୍ଡରେ ପ୍ରତ୍ୟେକ ବର୍ଷ ହଜାର ହଜାର ଭକ୍ତ ଛିଡାହୋଇ ଦାରୁବ୍ରହ୍ମଙ୍କ ହାତୀବେଶ ଦର୍ଶନ କରିଥାଆନ୍ତି। ଚଳିତବର୍ଷ ଭକ୍ତଙ୍କ ପାଇଁ ସଂପୃକ୍ତ ଅଞ୍ଚଳକୁ ସିଲ୍‌ କରିଦିଆଯାଇଛି। ପାଳିଆ ସେବକଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପାସ୍‌ ଦିଆଯାଇଛି। ବିନା ଭକ୍ତରେ ଚଳିତବର୍ଷ ଦାରୁବ୍ରହ୍ମଙ୍କ ସ୍ନାନଯାତ୍ରା କରାଯାଉଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବନ୍ଦେ ଉତ୍କଳ ଜନନୀ ଗାନପାଇଁ ବଡ଼ଦାଣ୍ଡରେ ଏକକାଳୀନ ହଜାର ହଜାର ଲୋକଙ୍କ ସମାଗମକୁ ପ୍ରଶାସନ ଅନୁମତି ଦେଇଥିଲା କିନ୍ତୁ ସ୍ନାନଯାତ୍ରାରେ ୧୪୪ଧାରା ଜାରି କରାଯାଇ ଭକ୍ତଙ୍କୁ ଦୂରେଇ ରଖାଯାଇଛି। ପ୍ରଶାସନର ଏଭଳି ନିଷ୍ପତ୍ତିକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଏବଂ ବିଜେପି ବରିଷ୍ଠ ନେତା କୃଷ୍ଣ ଜଗଦ୍ଦେବ ସମାଲୋଚନା କରିଛନ୍ତି। ଚଳିତବର୍ଷ ଶ୍ରୀଜୀଉଙ୍କ ଅନବସର ନୀତି ୧୪ଦିନ ପରିବର୍ତ୍ତେ ୧୫ଦିନ କରିବାକୁ ମନ୍ଦିର ପ୍ରଶାସନ ସ୍ଥିର କରିଛି। ଶନିବାରଠାରୁ ଶ୍ରୀମନ୍ଦିରରେ ପଟିଦିଅଁ ପୂଜାପାଇବେ। ଚିତ୍ରକାର ସେବକଙ୍କ ଦ୍ବାରା ପଟିଦିଅଁ ପ୍ରସ୍ତୁତ କରାଯାଇ ମନ୍ଦିର ପ୍ରଶାସନକୁ ଯୋଗାଇ ଦିଆଯାଇଛି। ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଶୃଙ୍ଖଳିତ ଏବଂ ସମୟାନୁବର୍ତ୍ତୀ କରିବା ପାଇଁ ପ୍ରଶାସନ ଉଦ୍ୟମ ଚଳାଇଛି। ପ୍ରାତଃ ୪ଟା ୩୦ରେ ସ୍ନାନମଣ୍ଡପରେ ଦାରୁବ୍ରହ୍ମଙ୍କ ମଙ୍ଗଳଆଳତି, ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ଜଳଲାଗି, ଦିନ ୧୦ଟା ୩୦ରେ ଛେରାପହଁରା, ଦିନ ୧୧ଟାରୁ ୧୨ଟା ମଧ୍ୟରେ ହାତୀବେଶ, ଦିନ ୧ଟାରୁ ୩ଟା ମଧ୍ୟରେ ସକାଳଧୂପ ଏବଂ ଅପରାହ୍ଣ ୫ଟାରୁ ରାତି ୮ଟା ମଧ୍ୟରେ ବାହୁଡା ପହଣ୍ଡି ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories