www.samajalive.in
Sunday, December 14, 2025
16.1 C
Bhubaneswar

ସନ୍ତୋଷ ହତ୍ୟାକାଣ୍ଡର ୧ମାସ ପରେ ବି ପୁଲିସ ହାତ ଖାଲି

ଦେବଗଡ଼: ରିଆମାଳ ଥାନା ଅନ୍ତର୍ଗତ କଙ୍କରଖୋଳ ଗ୍ରାମରେ ଗତ ଏପ୍ରିଲ ମାସ ୨୮ ତାରିଖ ଦିନ ଘଟିଥିବା ସନ୍ତୋଷ ପ୍ରଧାନ ହତ୍ୟାକାଣ୍ଡ ଘଟଣାର ଇତିମଧ୍ୟରେ ଏକମାସରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ହତ୍ୟାକାଣ୍ଡରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରିବାରେ ରିଆମାଳ ପୁଲିସ ବିଫଳ ରହିଛି। ନ୍ୟାୟ ପାଇଁ ମୃତକଙ୍କ ପରିବାର ଲୋକେ ରିଆମାଳ ଥାନା ପୁଲିସଠାରୁ ଆରମ୍ଭ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପର୍ୟ୍ୟନ୍ତ ସମସ୍ତଙ୍କୁ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିବା ବେଳେ ତଦନ୍ତକାରୀ ଅଧିକାରୀ ସେମାନଙ୍କୁ ମାମଲା ଆଗକୁ ନ ବଢାଇବାକୁ ଚାପ ପ୍ରୟୋଗ କରୁଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପରିକି ସେମାନେ ଜିଲ୍ଲା ପୁଲିସ ପ୍ରଶାସନର କାର୍ୟ୍ୟଶୈଳୀରେ ଅସନ୍ତୋଷ ପ୍ରକାଶ କରି ଆଜି ତାଳଚେର ସ୍ଥିତ ଉତ୍ତର କେନ୍ଦ୍ରାଂଚଳ ଆରକ୍ଷୀ ନିର୍ଦ୍ଦେଶକଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ରିଆମାଳ ଥାନା ଅନ୍ତର୍ଗତ କଙ୍କରଖୋଳ ଗ୍ରାମର ସନ୍ତୋଷ ପ୍ରଧାନ (୫୩) ଗତ ୨୮ ତାରିଖ ମଧ୍ୟାହ୍ନରୁ ନିଜ ଘରୁ ବାହରିଥିବା ବେଳେ ସଂନ୍ଧ୍ୟା ପର୍ୟ୍ୟନ୍ତ ଘରକୁ ଫେରିନଥିଲେ। ଫଳରେ ପରିବାର ଲୋକେ ଏଣେ ତେଣେ ଖୋଜା ଖୋଜି କରୁଥିବା ବେଳେ ରାତ୍ରି ପ୍ରାୟ ୯ ଟା ସମୟରେ ଛତାବର–କଙ୍କରଖୋଳ ରାସ୍ତା କଡରେ ଥିବା ସତୀଘାଟ ଚେକଡ୍ୟାମ ନିକଟରେ ତାଙ୍କର ବାଇକଟି ଛିଡା ହୋଇଥିବା ଦେଖିବାକୁ ପାଇଥିଲେ। ସେହିପରି ଚେକଡ୍ୟାମ ନିକଟରେ ଖୋଜା ଖୋଜି ବେଳେ ଉକ୍ତ ଚେକଡ୍ୟାମର ପାଣି ମଧ୍ୟରେ ସନ୍ତୋଷଙ୍କ କ୍ଷତାକ୍ତ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଏସମ୍ପର୍କରେ ପରିବାର ଲୋକେ ରିଆମାଳ ଥାନାରେ ସୂଚନା ଦେବାରୁ ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ରାତ୍ରି ଅନ୍ଧାର କାରଣରୁ ଅଧିକ ତଦନ୍ତ ବାଧାପ୍ରପ୍ତ ହୋଇଥିଲା।

- Advertisement -

ଏହାର ପରିଦିନ ଅର୍ଥାତ ୨୯ ତାରିଖ ସକାଳେ ପୁଲିସ ଗ୍ରାମବାସୀଙ୍କ ସହାୟତାରେ ପାଣି ମଧ୍ୟରୁ ସନ୍ତୋଷଙ୍କ ମୃତଦେହ ଉଦ୍ଧାର କରିବା ପରେ ମୃତ ସନ୍ତୋଷଙ୍କ ମୁଣ୍ଡରେ କୁରାଢି ଚିହ୍ନ ରହିଥିବା ଦେଖିବାକୁ ମିଳିଥିଲା। ଏଣୁ ଅଧିକ ତଦନ୍ତ ନିମନ୍ତେ ରିଆମାଳ ଥାନା ପୁଲିସ ସାଇଂଟିଫିକ ଟିମ୍‍ର ସହାୟତା ନେଇଥିଲା। ଅନ୍ୟ ପକ୍ଷରେ କିଛିଦିନ ପୂର୍ବେ କୌଣସି କାରଣକୁ କେନ୍ଦ୍ରକରି ସନ୍ତୋଷଙ୍କ ସହ ଉକ୍ତ ଗ୍ରାମର ଜେନୈକ ବ୍ୟକ୍ତିଙ୍କର ଗଣ୍ଡଗୋଳ ହୋଇଥିବା ବେଳେ ଉକ୍ତ ବ୍ୟକ୍ତି ଜଣକ ସନ୍ତୋଷଙ୍କୁ କୁଆଡେ ହତ୍ୟା ଧମକ ଦେଇଥିବା ସନ୍ତୋଷଙ୍କ ପୁଅ ଅନିଲ ଅଭିଯୋଗ କରିବା ସହ ଉକ୍ତବ୍ୟକ୍ତି ଜଣକ ସନ୍ତୋଷଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ରିଆମାଳ ଥାନାରେ ଅଭିଯୋଗ କରିଥିଲେ।

ତେବେ ଗଞ୍ଜେଇ ବ୍ୟବସାୟକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଓ ଏ ଘଟଣାରେ ସମ୍ପୃକ୍ତ ଏକାଧିକ ବ୍ୟକ୍ତି ସ୍ଥାନୀୟ ଅଂଚଳର ଏବଂ ୩ ଜଣ ବ୍ୟକ୍ତି ବାହାର ଅଂଚଳର ହୋଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଆଧାରରେ ସନ୍ତୋଷଙ୍କ ପରିବାର ଲୋକେ ରିଆମାଳ ଥାନା ପୁଲିସକୁ ସୂଚନା ଦେଇଥିଲେ। ଏହାସତ୍ୱେ ମଧ୍ୟ ରିଆମାଳ ଥାନା ପୁଲିସ ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକରି ହାତ ବାନ୍ଧି ଚୁପହୋଇ ବସି ରହିବାରୁ ମୃତକ ସନ୍ତୋଷଙ୍କ ପରିବାର ଲୋକେ ଗତ ୧୬ ତାରିଖ ଦିନ ଦେବଗଡ ଏସ୍‍ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କୁ ସାକ୍ଷାତ ସମୟରେ ଦୋଷୀ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆତ୍ମାହୁତି ଦେବେ ବୋଲି ମଧ୍ୟ ମୃତ ସନ୍ତୋଷଙ୍କ ବିଧବା ସ୍ତ୍ରୀ ଚେତାବନୀ ଦେଇଥିଲେ। ଏହାପରେ ଘଟଣାର ତଦନ୍ତ ଦାଇତ୍ୱ ଏସଡିପିଓ ସୁଲେମାନ ଏକ୍କାଙ୍କୁ ପ୍ରଦାନ କରାଯାଇଥିଲା। ମାତ୍ର ଅଧିକ ତଦନ୍ତ କରାଯିବା ପରିବର୍ତ୍ତେ ରିଆମାଳ ଥାନା ଅଧିକାରୀ ପ୍ରଦୀପ କେର୍କେଟା ଓ ଏସଡିପିଓ ଶ୍ରୀ ଏକ୍କା ମୃତ ସନ୍ତୋଷଙ୍କ ପରିବାରଙ୍କୁ ଧମକ ଦେବାସହ ଏହି ଘଟଣା ଆଗକୁ ନ ବଢାଇବାକୁ ଚାପ ପ୍ରୟୋଗ କରୁଥିବା ମୃତ ସନ୍ତୋଷଙ୍କ ପୁଅ ଅନିଲ ଆଜି ଲିଖିତ ଭାବେ ତାଳଚେର ସ୍ଥିତ ଉତ୍ତର କେନ୍ଦ୍ରାଂଚଳ ଆରକ୍ଷୀ ନିର୍ଦ୍ଦେଶକଙ୍କ ଠାରେ ଅଭିଯୋଗ କରିଥିବା ଜଣା ପଡିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories