BSKY banner  750×100

ନନ୍ଦପଡା ଶୀତଳ ଷଷ୍ଠୀ ଯାତ୍ରା : ଶଙ୍ଖଧ୍ୱନିରେ ପତ୍ରପେଣ୍ଡି ରୀତିନୀତି ହେବ

nua o banner

ସମ୍ବଲପୁର : ସମ୍ବଲପୁରର ବିଶ୍ୱ ପ୍ରସିଦ୍ଧ ଲୌକିକ ସପ୍ତାହବ୍ୟାପି ଦେବ ବିବାହ ଉତ୍ସବ ଶୀତଳଷଷ୍ଠୀ ଯାତ୍ରା ଶନିବାରାରୁ ଆରମ୍ଭ ହେଉଛି। ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଦେବ ଦେବ ମହାଦେବ ଓ ଜଗତଜନନୀ ମାତା ପାର୍ବତୀଙ୍କ ବିବାହ ପାଇଁ ପତ୍ରପେଣ୍ଡି ବିଧି କାର୍ଯ୍ୟକ୍ରମ। ତେବେ ଚଳିତ ବର୍ଷ କରୋନା ଭୂତାଣୁର ସଂକ୍ରମଣ ଯୋଗୁଁ ସମ୍ବଲପୁରର ସମସ୍ତ ଶୀତଳଷଷ୍ଠୀ ଯାତ୍ରା କମିଟୀ ନିରାଡମ୍ବର ଭାବରେ କେବଳ ବିଧି ରକ୍ଷା ପାଇଁ ଶହ ଶହ ବର୍ଷ ପୁରାତନ ଦେବ ବିବାହର ପତ୍ରପେଣ୍ଡି କାର୍ଯ୍ୟକ୍ରମକୁ ଆୟୋଜିତ କରିବେ। ବରପିତା ପଡାର ସପ୍ତର୍ଷି ଓ ମୁରବୀ ଶ୍ରେଣୀୟ ବ୍ୟକ୍ତିଙ୍କୁ ସାଙ୍ଗରେ ନେଇ ଶୁଭ ଲଗ୍ନରେ କନ୍ୟା ଅନ୍ୱେଷଣରେ ବାହାରିଥାନ୍ତି। ବାବା ବାଲୁଙ୍କେଶ୍ୱରଙ୍କ ପାଇଁ ଉପଯୁକ୍ତ କନ୍ୟା ମିଳିବା ପରେ ବରପିତା କନ୍ୟା ପିତାଙ୍କୁ ଶାଳ ପତ୍ର ବିଡା ଦେଇ ବିବାହ ସ୍ଥିରିକୃତ କରିଥାନ୍ତି। ଏହା ପରେ ଉଭୟ ବର ଓ କନ୍ୟା ଘର ଦେବ ବିବାହ ପାଇଁ ଲାଗି ପଡିଥାନ୍ତି। ଚଳିତ ବର୍ଷ କରୋନା ସଙ୍କଟକୁ ଧ୍ୟାନରେ ରଖି ସରକାରୀ ନିୟମାନୁଯାୟୀ ମାତ୍ର କିଛି ଲୋକଙ୍କ ଉପସ୍ଥିତିରେ ପତ୍ରପେଣ୍ଡି କାର୍ଯ୍ୟକ୍ରମ କନ୍ୟା ଘରେ ଆୟୋଜିତ ହେବ। ପ୍ରତିବର୍ଷ ଧୁମଧାମରେ ପାଳିତ ହେଉଥିବା ଦେବ ବିବାହର ପ୍ରତ୍ୟେକ କାର୍ଯ୍ୟକ୍ରମ କନ୍ୟା ଖୋଜାଠାରୁ ଆରମ୍ଭ କରି ଦେବ ନିମନ୍ତ୍ରଣ ଓ ନବ ଦମ୍ପତ୍ତିଙ୍କ ନଗର ପରିକ୍ରମା ଆଦି କରାଯାଉଥିବା ବେଳେ ଚଳିତ ବର୍ଷ ଏହା କେବଳ ବିଧି ରକ୍ଷାରେ ସୀମିତ ରହିବ।

ପ୍ରଥମେ ସର୍ବପୁରାତନ ନନ୍ଦପଡା କମିଟୀର ରିତି ଆରମ୍ଭ ହେଉଥିବାରୁ ଶନିବାର ପତ୍ରପେଣ୍ଡି କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବ। ଏଣୁ କମିଟୀ ତରଫରୁ ବରପିତା, ସପ୍ତର୍ଷି ଓ କିଛି ମୁରବୀ ଶ୍ରେଣୀୟ ବ୍ୟକ୍ତିଙ୍କ ସହିତ ଅପରାହ୍ନରେ କନ୍ୟା ଘରକୁ ଯାଇ ଲକ୍ ଡାଉନ୍ ନିୟମାନୁଯାୟୀ ବିଧି ରକ୍ଷା କରିବେ। ଚଳିତ ବର୍ଷ ବାଜା, ରୋଷଣୀ, ନୃତ୍ୟ, ସଙ୍ଗୀତ, ଶୋଭାଯାତ୍ରା ଆଦିର ଆୟୋଜନ କରାଯାଉ ନାହିଁ। କେବଳ ଚାଲି ଆସୁଥିବା ପରମ୍ପରା ଅନୁଯାୟୀ ସମସ୍ତ ପୂଜାର୍ଚ୍ଚନା, ରିତିନିତ ଆଦି ଶଙ୍ଖ ଧ୍ୱନି ମଧ୍ୟରେ ପାଳିତ ହେବ ବୋଲି କମିଟୀ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.