www.samajalive.in
Sunday, December 14, 2025
16.1 C
Bhubaneswar

ଓଡ଼ିଶାରେ କରୋନାର ଗତି : ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୪୧୪

ଭୁବନେଶ୍ବର : ସୂରତ ସମେତ ଅନ୍ୟାନ୍ୟ ରାଜ୍ୟରୁ ଶ୍ରମିକମାନଙ୍କ ଘରବାହୁଡ଼ା ପରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଆଜି ୧୭ଜଣ କରୋନାପୀଡ଼ିତ ସୁସ୍ଥ ହୋଇ ଘରକୁ ଫେରିବା ଖବର ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି। ରାଜ୍ୟରେ ମୋଟ ୮୫ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି।
ସୋମବାର ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୭ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ରେ ପହଞ୍ଚିଥିବା ବେଳେ ସେଥିରୁ କେବଳ ଗଞ୍ଜାମରେ ୧୫୪ଜଣ ଆଜି ସୁଦ୍ଧା ଚିହ୍ନଟ ହୋଇଛନ୍ତି। ଯାହାକି ରାଜ୍ୟର ଆକ୍ରାନ୍ତ ସଂଖ୍ୟାର ଏକ ତୃତୀୟାଂଶଠାରୁ ଢେର୍‌ଗୁଣ ଅଧିକ ରହିଛି। ସରକାରଙ୍କ ସୂଚନା ଅନୁଯାୟୀ ଆଜି କେବଳ ଗଞ୍ଜାମରେ ୨୯ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନେ ସମସ୍ତେ ସୁରତ ଫେରନ୍ତା ବୋଲି ଜଣାଯାଇଛି। ସେମାନଙ୍କୁ ସଙ୍ଗରୋଧରେ ରଖି ଚିକିତ୍ସା କରାଯାଉଛି। ତେବେ ରାଉରକେଲାରେ ଯେଉଁ ଗୋଟିଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେ ପୂର୍ବ ପିଜିଟିଭ୍ ଚିହ୍ନଟଙ୍କ ସଂସ୍ପର୍ଶରେ ଆସିଥିବାର ଜଣାଯାଇଛି। ସେହିପରି କେନ୍ଦ୍ରାପଡ଼ା, କଟକ, ଯାଜପୁର, ବୌଦ୍ଧ ଏବଂ ମୟୂରଭଞ୍ଜରେ ଆଜି ଜଣେ ଲେଖାଏଁ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ରେ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଏହି ନୂତନ ଆକ୍ରାନ୍ତ ଚିହ୍ନଟ ପରେ ଗଞ୍ଜାମ ସର୍ବାଗ୍ରେ ରହିଥିବାବେଳେ ଯାଜପୁର ୬୧ ଆକ୍ରାନ୍ତଙ୍କ ପାଇଁ ରାଜ୍ୟର ଦ୍ବିତୀୟ ପ୍ରବଣ ଜିଲା ଭାବେ ରହିଛି। ସେହିପରି ଆଜି ସୁଦ୍ଧା ଖୋର୍ଦ୍ଧାରେ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ୪୨, ଭଦ୍ରକ ୩୧, ସୁନ୍ଦରଗଡ଼ ୧୬, ଅନୁଗୋଳ ୧୫, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରେ ୯ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସବୁଠାରୁ ବଡ଼କଥା ହେଲା ସୋମବାର ରାଜ୍ୟରେ ୧୭ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରେ ସୁନ୍ଦରଗଡ଼ର ୭ଜଣ ରହିଥିବାବେଳେ ଖୋର୍ଦ୍ଧାର ୫ଜଣ, ଭଦ୍ରକର ୩ ଓ ବାଲେଶ୍ବର ୨ଜଣ ରହିଛନ୍ତି। ଆଜି ଗୋଟିଏ ଦିନରେ ୧୭ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୭ଜଣ ଆରୋଗ୍ୟ ଲାଭ କରିବା ସ୍ଥିତିରେ ଏକପ୍ରକାର ସନ୍ତୁଳନ ଥିବା ପରିଲକ୍ଷିତ ହୋଇଛି। ଏହି ଆରୋଗ୍ୟଙ୍କୁ ମିଶାଇଲେ ରାଜ୍ୟରେ ସୁସ୍ଥ ସଂଖ୍ୟା ୮୫ରେ ପହଞ୍ଚିଛି।
ତେବେ କରୋନା ମହାସମରରେ ଆଉ ଅଧିକ ଆକ୍ରାନ୍ତ ଚିହ୍ନଟ ହେବାର ସମ୍ଭାବନା ରହିଛି। ସୋମବାର ସୁଦ୍ଧା ରାଜ୍ୟକୁ ୬୩ହଜାରରୁ ଅଧିକ ପ୍ରବାସୀ ଫେରିଛନ୍ତି। ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଥିଲେ ହେଁ ନମୁନା ପରୀକ୍ଷା କରାଯାଇନାହିଁ। ଯଦି ସମସ୍ତଙ୍କ ନମୁନା ପରୀକ୍ଷା କରାଯିବ ତେବେ ଆକ୍ରାନ୍ତଙ୍କ ସଂଖ୍ୟା ଢ଼େର ବୃଦ୍ଧି ପାଇବ। ଏହାକୁ ନେଇ ସାଧାରଣ ଲୋକେ ଭୟଭୀତ ନହେବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଅନ୍ୟପକ୍ଷେ ଗୋଟିଏ ପରେ ଗୋଟିଏ ଜିଲା କରୋନା ଅକ୍ତିଆରକୁ ଚାଲି ଯାଉଛି। କରୋନାର ଗତିରୁ ସ୍ପଷ୍ଟ ହେଉଛି ଯେ ଆଉ କିଛିଦିନ ପରେ ଓଡ଼ିଶାର ମାନଚିତ୍ର ପୂରା ନାଲିରେ ଭରିଯିବ। ତେବେ ଏହାକୁ ନେଇ ଲୋକେ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ରାଜ୍ୟ କରୋନା ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories