ସମାଜ ପୋର୍ଟାଲ ଡେସ୍କ: କରୋନା ସଂକ୍ରମଣ ସୃଷ୍ଟି ହୋଇଥିବା ଚୀନରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ବ୍ୟାପକ ଯୋଗାଯୋଗ ଅନୁସନ୍ଧାନ, ସଙ୍ଗରୋଧ ଏବଂ ପରୀକ୍ଷଣ କରୋନା ଭାଇରସ ବ୍ୟାପକତାକୁ ହ୍ରାସ କରିପାରିବ ଏବଂ ନିୟନ୍ତ୍ରଣ କରିବାକୁ ସମର୍ଥ ହେବ। ଚୀନର ହେଁଯେନରେ ଥିବା ହାର୍ବିନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଗବେଷକମାନେ କହିଛନ୍ତି ଯେ, ଟ୍ରେସିଙ୍ଗ ବ୍ୟବସ୍ଥା ବ୍ୟାପକ କରି କରୋନା ଭୁତାଣୁ ସଂକ୍ରମିତ ଲୋକମାନଙ୍କୁ ଶୀଘ୍ର ସଙ୍ଗରୋଧରେ ରଖିବା ଆବଶ୍ୟକ ଏବଂ ସେମାନେ ଆଉ କେଉଁ ବ୍ୟାଧିରେ ପୀଡିତ ତାହା ଚିହ୍ନଟ କରି ତୁରନ୍ତ ଚିକିତ୍ସା କରିବା ଜରୁରୀ।
ସଂକ୍ରାମକ ରୋଗ ସମ୍ପର୍କିତ ପତ୍ରିକା ‘ଦ ଲାନସେଟ୍ ଇମ୍ଫେକ୍ସିଅସ ଡିଜିଜ ଜର୍ଣ୍ଣାଲ’ରେ ପ୍ରକାଶିତ ଗବେଷଣାତ୍ମକ ନିବନ୍ଧରୁ ଜଣାପଡିଛି ଯେ ୩୯୧ ଜଣ ସଂକ୍ରମିତ ଓ ସେମାନଙ୍କ ସହ ସମ୍ପର୍କିତ ୧ହଜାର ୨୮୬ଟି ମାମଲା ଉପରେ ଅଧ୍ୟୟନ କରାଯାଇଥିଲା ଓ ସେଥିରୁ ଜଣାପଡିଛି ଯେ ଚୀନର ହେଁଯେନରେ ମାତ୍ର ୪ ସପ୍ତାହ ମଧ୍ୟରେ ଏହି କରୋନା ଭୁତାଣୁ ସଂକ୍ରମଣ ଅବଧିକୁ କମ କରାଯାଇପାରିଛି। ଏହି ଅଧ୍ୟୟନରୁ ବିଶେଷ ଭାବରେ ମିଳିଥିବା ତଥ୍ୟ ହେଉଛି ଯେ ସଂକ୍ରମିତଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି, ସେମାନେ କେତେ ନିକଟତର ହୋଇଛନ୍ତି, ସେମାନଙ୍କ ଭିତରୁ କେଉଁମାନେ ଅଲଗା ରୋଗରେ ପୀଡିତ, ଏହି ସବୁ ସୂଚନା ଆଧାରରେ ସେମାନଙ୍କ ଭିତରୁ କିଏ କେଉଁ ଭଳି ଚିକିତ୍ସା ପାଇବେ ତାହା ନିର୍ଦ୍ଧାରଣ କରାଯାଇଥିଲା।
ଏହି ଗବେଷଣାରୁ ଅନ୍ୟ ଏକ ତଥ୍ୟ ମିଳିପାରିଛି ଯେ ଯୋଗାଯୋଗ ଅନୁସନ୍ଧାନ ବା କଣ୍ଟାକ୍ଟ ଟ୍ରେସିଙ୍ଗ ଅଧିକ ହାରରେ ବୃଦ୍ଧି ପାଇବା ଫଳରେ ନୂଆ ସଂକ୍ରମଣ ମାମଲାରେ ହ୍ରାସ ଘଟିଛି। ଏହି ଅଧ୍ୟୟନ କାଳରେ କେବଳ ତିନୋଟି ମୃତ୍ୟୁ ଘଟିଥିଲା ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି।



