www.samajalive.in
Friday, December 12, 2025
26.1 C
Bhubaneswar

କରୋନା ମୁକାବିଲା : କିଟ୍‌ ପିଛା ୪୦୦ ଟଙ୍କା ଧାର୍ଯ୍ୟ କଲେ ହାଇକୋର୍ଟ

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣ ପରୀକ୍ଷା ପାଇଁ ଦର ଧାର୍ଯ୍ୟ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। କିଟ୍‌ ପିଛା ସମସ୍ତ ଟିକସ ମିଶାଇ ୪୦୦ଟଙ୍କାରୁ କେହି ଅଧିକ ଦାବି କରିପାରିବେ ନାହିଁ ବୋଲି ସୋମବାର ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଏତଦ୍‌ବ୍ୟତୀତ କମ୍‌ ମୂଲ୍ୟରେ ଯେମିତି ଯଥେଷ୍ଟ ପରିମାଣର ପରୀକ୍ଷା କିଟ୍‌ ଉପଲବ୍ଧ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ସର୍ବସାଧାରଣଙ୍କ ସ୍ବାର୍ଥ ନିହିତ କୌଣସି ପ୍ରସଙ୍ଗରେ ଘରୋଇ ଲାଭ ଭାରି ପଡ଼ିବା ଅନୁଚିତ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଭାରତ ସମ୍ପ୍ରତି ଏକ ସଂକଟଜନକ ସ୍ଥିତି ଦେଇ ଗତି କରୁଥିବାବେଳେ ପରୀକ୍ଷା କିଟ୍‌ ଯୋଗାଣରେ ୬୧ପ୍ରତିଶତ ଭଳି ବିପୁଳ ଲାଭ ରଖାଯିବା ଅପ୍ରାସଙ୍ଗିକ ।
ଚୀନ୍‌ରୁ ଆମଦାନୀ କିଟ୍‌କୁ ନେଇ ଭାରତରେ ଆମଦାନୀକାରୀ ‘ମାଟ୍ରିକ୍ସ’ ଏବଂ ଯୋଗାଣକାରୀ ‘ରିୟଲ ମେଟାବଲିକ୍ସ’ ଓ ‘ଅର୍କ ଫାର୍ମାସ୍ୟୁଟିକାଲ୍ସ’ ମଧ୍ୟରେ ଆଇନଗତ ବିବାଦ ସୃଷ୍ଟି ହୋଇଥିଲା। ଏ ସମ୍ପର୍କିତ ମାମଲା ଦିଲ୍ଲୀ ହାଇକୋର୍ଟକୁ ଯାଇଥିଲା। ଚୀନ୍‌ରୁ ୨୪୫ ଟଙ୍କାରେ କିଣାଯାଇଥିବା
ଏହି କିଟ୍‌କୁ ଦୁଇ ଯୋଗାଣକାରୀ ସରକାରଙ୍କୁ ୬୦୦ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ଦର୍‌ ଛିଣ୍ଡୁ ନ ଥିବାରୁ ଆମଦାନୀକାରୀ କିଟ୍‌ ଯୋଗାଉ ନ ଥିବା ନେଇ ମାମଲା ଦାୟର ହୋଇଥିଲା। ଏହି କିଟ୍‌ ପାଇଁ ଭାରତ ସରକାର ଚୀନ୍‌ କମ୍ପାନୀଙ୍କୁ ବିପୁଳ ଅର୍ଥ ଅଗ୍ରିମ ଦେଇଥିବା ଏଥିରେ ଅଭିଯୋଗ କରାଯାଇଥିଲା। ଏହାର ଜବାବରେ ସୋମବାର ସରକାର କୌଣସି ଅଗ୍ରିମ ଦିଆଯାଇ ନ ଥିବା ସ୍ପଷ୍ଟ କରିଥିଲେ। ଏଥିପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା ଓ ବିକ୍ରେତା ୬୦୦ରୁ ୧୨୦୪ ଟଙ୍କା ପର୍ଯ୍ୟନ୍ତ ଦର୍‌ ଧାର୍ଯ୍ୟ କରିଥିଲେ। ସରକାର ସର୍ବନିମ୍ନ ଦର୍‌ ଚୟନ କରିଥିଲେ ବୋଲି ଦର୍ଶାଇଛନ୍ତି।
ସୂଚନାନୁଯାୟୀ, ଆଇସିଏମ୍‌ଆରକୁ ଯୋଗାଣକାରୀ ସଂସ୍ଥା ୬୦୦ଟଙ୍କା ଦରରେ ୨ଲକ୍ଷ ୭୬ ହଜାର କିଟ୍‌ ଯୋଗାଇଥିଲେ ଓ ଏଗୁଡ଼ିକ ବିଭିନ୍ନ ରାଜ୍ୟକୁ ପଠାଯାଇଥିଲା। ପ୍ରଥମ ଦଫାରେ ଆସିଥିବା ୫ଲକ୍ଷ କିଟ୍‌ ବାବଦରେ ଯୋଗାଣକାରୀ ସଂସ୍ଥା ୧୨କୋଟି ୭୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲା।

ଚୀନ୍‌ କିଟ୍‌ ଫେରାଇବେ ସରକାର
ନୂଆଦିଲ୍ଲୀ : ଚୀନ୍‌ରୁ ମଗାଯାଇଥିବା ସମସ୍ତ ରାପିଡ ଟେଷ୍ଟ କିଟ୍‌ ଭାରତ ଫେରାଇ ଦେବ। ଏଥିସହିତ ଦିଆଯାଇଥିବା ବରାଦ ବାତିଲ କରାଯିବ। ଏ ବାବଦରେ କୌଣସି ଅଗ୍ରିମ ଦେୟ ଦିଆଯାଇ ନ ଥିବାରୁ ସରକାରଙ୍କର ଟଙ୍କାଟିଏ ମଧ୍ୟ କ୍ଷତି ହେବ ନାହିଁ ବୋଲି ସୋମବାର ସରକାରୀ ଭାବେ କୁହାଯାଇଛି। ଚୀନ୍‌ର ଦୁଇ କମ୍ପାନୀ ଗୁଆନ୍‌ଝୌ ଓଣ୍ଡଫୋ ବାୟୋଟେକ୍‌ ଓ ଝୁଆହି ଲିଭ୍‌ଯୋଜନ୍‌ ଡାଇଗ୍ନୋଷ୍ଟିକ୍ସ ଦ୍ବାରା ପ୍ରସ୍ତୁତ କିଟ୍‌ ଭାରତକୁ ଆସିଥିଲା ଏବଂ ଏହା ଭଲ କାମ କରୁ ନ ଥିବା ଅଭିଯୋଗ ହେବା ପରେ ଏହାର ବ୍ୟବହାରକୁ ବନ୍ଦ ରଖାଯାଇଥିଲା। ତେବେ ଭାରତରେ କିଟ୍‌କୁ ନେଇ ପ୍ରଶ୍ନ ଉଠିବା ପରେ ଦୁଇ ନିର୍ମାତା କମ୍ପାନୀ ପକ୍ଷରୁ ଏହାକୁ ଅସ୍ବୀକାର କରାଯାଇଥିଲା ଏବଂ ଆବଶ୍ୟକ ଯାଞ୍ଚ ପାଇଁ ଆହ୍ବାନ ଦିଆଯାଇଥିଲା। ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର) ପକ୍ଷରୁ ଉକ୍ତ କିଟ୍‌ର ବ୍ୟବହାରକୁ ବନ୍ଦ ରଖାଯାଇ ଆବଶ୍ୟକ ପରୀକ୍ଷାନିରୀକ୍ଷା କରାଯିବା ପରେ ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ସରକାର ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ଉକ୍ତ କିଟ୍‌ ରଖିଥିବା ସମସ୍ତ ରାଜ୍ୟର ସରକାରୀ ତଥା ଘରୋଇ ଡାକ୍ତରଖାନାକୁ ଏହା ଫେରାଇ ଦେବା ପାଇଁ ଆଇସିଏମ୍‌ଆର ପକ୍ଷରୁ ନିର୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଅଭିଯୋଗ କରିଛନ୍ତି ଯେ ରାପିଡ ଟେଷ୍ଟ କିଟ୍ ଯୋଗାଣରେ ଦୁର୍ନୀତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଉପରେ ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସେ ନିବେଦନ କରିଛନ୍ତି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories