www.samajalive.in
Thursday, December 11, 2025
14.1 C
Bhubaneswar

ଖୋଲିବନି ଗହଳି ବଢ଼ାଉଥିବା ଦୋକାନ

କଟକ : ଲକ୍‌ଡାଉନ ଅବଧି ମେ ୩ ପର୍ଯ୍ୟନ୍ତ ବଳବତ୍ତର ରହିଥିବା ବେଳେ ଇତିମଧ୍ୟରେ କିଛି ଦୋକାନ ବଜାର ଖୋଲିବା ପାଇଁ କେନ୍ଦ୍ର ସରକାର ନିର୍ଦେଶନାମା ଜାରି କରିବା ପରେ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମଧ୍ୟ ଏ ନେଇ ନିର୍ଦେଶନାମା ଓ ବିଜ୍ଞପ୍ତି ଜାରି କରାଯାଇଛି। ସହରରେ କେଉଁ ଦୋକାନ ଖୋଲା ଓ ବନ୍ଦ ରହିବ ସେ ନେଇ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ରବିବାର ଦିନ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତିରେ କେଉଁ ଦୋକାନ ଖୋଲିବ ସେ ନେଇ ସ୍ପଷ୍ଟ ନ ଥିବାରୁ ସୋମବାର ବ୍ୟବସାୟୀମାନଙ୍କ ମଧ୍ୟରେ ଦ୍ବନ୍ଦ୍ବ ଉପୁଜିଥିଲା। ଫଳରେ ଆଜି ସକାଳୁ ସହରରେ ଏକାଧିକ ଦୋକାନ ଖୋଲିଥିବା ଦେଖିବାକୁ ମିଳିଥିଲା। ବଡ଼ ବଡ଼ ସୋରୁମ୍‌ ଓ ଲୁଗା ଦୋକାନ ଆଦି ଖୋଲାଯିବା ପରେ ନିଗମ ପକ୍ଷରୁ ପୁନଃ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ବିଜ୍ଞପ୍ତିରେ କୁହାଯାଇଛି ଯେ, ଗହଳି ହେଉଥିବା ଦୋକାନ ଖୋଲା ରହିବ ନାହିଁ। ଯେଉଁ ଦୋକାନଗୁଡ଼ିକ ଭିତରେ ଗ୍ରାହକ ପ୍ରବେଶ କରି ସାମଗ୍ରୀ ତଥା ଦ୍ରବ୍ୟ ଆଦି ବାଛିପାରିବେ ବା ଏକାଧିକ ଲୋକ ପ୍ରବେଶ କରିପାରିବେ ସେ ଦୋକାନ ବନ୍ଦ ରହିବ। ଏହି ପରିପ୍ରେକ୍ଷୀରେ ବଡ଼ ବଡ଼ ଶୋ’ରୁମ୍‌, ମଲ, ଲୁଗା ଦୋକାନ ଏବଂ ନାମୀଦାମୀ ବ୍ରାଣ୍ଡର ବୈଦ୍ୟୁତିକ ଉପକରଣ ଥିବା ଦୋକାନ ଓ ଗହଳି ହେଉଥିବା ଅଣଅତ୍ୟାବଶ୍ୟକ ଦୋକାନ ଖୋଲିପାରିବ ନାହିଁ। ସିଙ୍ଗିଲ ବ୍ରାଣ୍ଡ ଏବଂ ମଲ୍ଟି ବ୍ରାଣ୍ଡ ରିଟେଲ ମଲ୍‌ ଉପରେ କଟକଣା ବଳବତ୍ତର ରହିଛି। ସେହିପରି ବଡ଼ ସୋ’ରୁମ୍‌ ଯେଉଁଠାରେ କି ଗ୍ରାହକ ଚାଲିବୁଲି ସାମଗ୍ରୀ ପରଖିପାରୁଥିବା ଦୋକାନ ସେଗୁଡ଼ିକ ଖୋଲିପାରିବ ନାହିଁ। ଗୋଟିକିଆ ଦୋକାନ, ପଡ଼ୋଶୀ ବା ଛୋଟ ଗଳିକନ୍ଦିରେ ଥିବା ଦୋକାନକୁ ଖୋଲିବା ପାଇଁ ଅନୁମତି ଦିଆଯାଇଛି। ସେହିପରି ଯେଉଁ ଦୋକାନଗୁଡ଼ିକ କାଉଣ୍ଟରରୁ ଗ୍ରାହକମାନେ ତୁରନ୍ତ ସାମଗ୍ରୀ ନେଇଯାଇପାରୁଥିବେ ଓଭର-ଦି-କାଉଣ୍ଟର ସୁବିଧା ଥିବ ଉକ୍ତ କ୍ଷୁଦ୍ର ଦୋକାନଗୁଡ଼ିକ ଖୋଲିପାରିବ। ଖୋଲୁଥିବା ଦୋକାନର ବ୍ୟବସାୟୀ ଓ ଗ୍ରାହକ ୩ ପୁଟ୍‌ ସାମାଜିକ ଦୂରତା ରକ୍ଷା କରିବାକୁ ବାଧ୍ୟତାମୂଳକ କରାଯାଇଛି। ସେହିପରି ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ-୧୯୫୬ ଅଧିନରେ ପଞ୍ଜିକୃତ ହୋଇଥିବା ଦୋକାନଗୁଡ଼ିକ ଦୈନିକ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ଏବଂ ଅତ୍ୟାବଶ୍ୟକ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ପୂର୍ବପରି ଚାଲୁ ରହିବ। ଅଣ-ଅତ୍ୟାବଶ୍ୟକ ଖୁଚୁରା ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ସକାଳ ୭ଟାରୁ ପୂର୍ବାହ୍ଣ ୧୧ଟା ପର୍ଯ୍ୟନ୍ତ ଖୋଲା ରହିପାରିବ। ସେହିଭଳି ପାଇକାରୀ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ଖୁଚୁରା ଏବଂ ଖୁଚୁରା-ପାଇକାରୀ ବ୍ୟବସାୟୀମାନେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଦୋକାନ ଖୋଲିପାରିବେ। ସେହିଭଳି ଇ-କମର୍ସ କମ୍ପାନୀ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଓ ଡେଲିଭରି କରିପାରିବେ। ରେଷ୍ଟୁରାଣ୍ଟ, ସୁଇମିଂପୁଲ, ବାରିକ ଦୋକାନ (ସେଲୁନ), ସ୍ପା ଏବଂ ଜିମ୍‌ ଦୋକାନ ପ୍ରଭୃତି ବନ୍ଦ ରହିବ। ତେବେ ହୋଟେଲରୁ ପାର୍ସଲ ଘରକୁ ନେଇ ହେବ। ମଲ୍ଟି ବ୍ରାଣ୍ଡ, ସିଙ୍ଗିଲ ବ୍ରାଣ୍ଡ ରିଟେଲ ମଲ୍‌ ଏବଂ ମାର୍କେଟ୍‌ କଂପ୍ଲେକ୍ସ ବ୍ୟବସାୟଗୁଡ଼ିକ ବନ୍ଦ ରହିବ।
ସେହିଭଳି ସୁନା ଗହଣା ଦୋକାନ / ସୋ ରୁମ୍‌ ବନ୍ଦ ରହିବ। ମଦ, ତମାଖୁ ତଥା ବିଭିନ୍ନ ମାଦକ ଦ୍ରବ୍ୟ ବିକ୍ରି ଯେଉଁଥିରେ କି ପାନ, ସିଗାରେଟ୍ ଏବଂ ତମାଖୁ ସାମିଲ କରାଯାଇଛି, ସେହି ଦୋକାନଗୁଡ଼ିକ ମଧ୍ୟ ବନ୍ଦ ରହିବ। ଏତଦ୍‌ବ୍ୟତୀତ ଯେଉଁ ବ୍ୟବସାୟୀକ ପ୍ରତିଷ୍ଠାନରେ ଗ୍ରାହକ ପ୍ରବେଶ ଅପରିହାର୍ଯ୍ୟ ସେଗୁଡ଼ିକ ବନ୍ଦ ରହିବ। ଖୋଲା ରହୁଥିବା ଦୋକାନର ଖୁଚୁରା ଓ ପାଇକାରୀ ବ୍ୟବସାୟୀମାନେ ଦୋକାନରେ କାର୍ଯ୍ୟରତ ଅଧା କର୍ମଚାରୀଙ୍କୁ କାର୍ଯ୍ୟରେ ଲଗାଇବେ ଏବଂ ବାଧ୍ୟତାମୂଳକ ଭାବେ ସମସ୍ତେ ମାସ୍କ ଲଗାଇବା ସହିତ ୩ ଫୁଟ୍‌ର ସାମାଜିକ ଦୂରତାକୁ ବଜାୟ ରଖିବେ। ନଚେତ୍ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରତ୍ୟେକ ବ୍ୟବସାୟୀ ନିଜ ତରଫରୁ ସାନିଟାଇଜର ବ୍ୟବହାର କରିବେ। ଟ୍ରାଫିକ୍ ପ୍ରତିବନ୍ଧକ ଜାରି ରହିବ। ତେଣୁ ପ୍ରତ୍ୟେକ ବ୍ୟବସାୟୀ ତାଙ୍କର ପ୍ରମାଣପତ୍ର ଯଥ​‌ା ଆଇଡି ପ୍ରୁଫ୍‌ / ଟ୍ରେଡ୍‌ ଲାଇସେନ୍ସର ନକଲ / ହୋଲ୍‌ଡିଂ ଟିକସ ରସିଦ୍‌ କିମ୍ବା ପଞ୍ଜିକୃତ ପ୍ରମାଣପତ୍ର ଦେଖାଇ ଯାତାୟତ କରିପାରିବେ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories