ବ୍ରଜରାଜନଗର: କରୋନା ସଂକ୍ରମଣକୁ ଖାତିର ନକରି ତଥା ନିଜ ଘର ସଂସାରକୁ ଭୁଲି ପୁଲିସ ବର୍ତ୍ତମାନ ପରିସ୍ଥିତିରେ ସମାଜର ରକ୍ଷା କବଚ ସାଜିଛି। କେବଳ ଲକ ଡାଉନ ନୁହଁ ପ୍ରତିଟି କ୍ଷେତ୍ରରେ ପୁଲିସ ଲୋକଙ୍କୁ ସାହାଯ୍ୟ କରି ଆସୁଛି। ତେବେ ଲକ ଡାଉନ ବେଳେ ଆଇପିଏସ ଅଫିସର ଅରୁଣ ବୋଥ୍ରା ମୁମ୍ବାଇର ଜଣେ ୩ ବର୍ଷର କୁନି ପିଲା ପାଇଁ ଓଟ କ୍ଷୀର ମଗାଇ ଚର୍ଚ୍ଚାରେ ରହିଥିବା ବେଳେ ବ୍ରଜରାଜନଗରର ଜଣେ ଯୁବ ପୁଲିସ ଅଫିସରଙ୍କ ଏଭଳି ବଦାନ୍ୟତା ପୁଲିସର ଭାବମୂର୍ତ୍ତିକୁ ଆହୁରି ଉଜ୍ବଳ କରି ଦେଇଛି। ଜଣେ ମାନସିକ ଅନଗ୍ରସର ଯୁବତୀ ପାଇଁ କଟକରୁ ଏକ ଜରୁରୀ ଔଷଧ ମଗାଇ ମାନବିକତାର ପରିଚୟ ଦେଇଛନ୍ତି ସିଙ୍ଘମ ପୁଲିସ ଅଫିସର ଭାବେ ପରିଚିତ ବ୍ରଜରାଜନଗର ଏସଡିପିଓ ଦିଲୀପ ଦାଶ।
ବନ୍ଧବାହାଲ ଅଞ୍ଚଳର ଦରଲିପାଲି ଗ୍ରାମର ଶ୍ରୀପତି ସାହୁଙ୍କ ଝିଅ ଜଣେ ମାନସିକ ଅନଗ୍ରସର ହୋଇଥିବାରୁ ଦୀର୍ଘଦିନ ଧରି ଏମ୍ସ ଓ କଟକ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଆସୁଛନ୍ତି। ହେଲେ ସାରା ଦେଶ ତାଲା ବନ୍ଦ ରହିଥିବାରୁ ଡାକ୍ତର ସହିତ ପରାମର୍ଶ କିମ୍ବା ଚେକ ଅପ ମଧ୍ୟ ହୋଇ ପାରୁନାହିଁ। ସେହି ପରି କେବଳ କଟକ ଓ ଭୁବନେଶ୍ୱର ଅଞ୍ଚଳରେ ମିଳୁଥିବା ଅତି ଆବଶ୍ୟକ ଔଷଧ ମଧ୍ୟ ସରିଯାଇଛି। ତେବେ କଟକ ଯାଇ ଫେରିବା ପରେ ୧୪ ଦିନର ସଂଗରୋଧର କଡା ନିୟମ ରହିଥିବାରୁ ଧର୍ମସଙ୍କଟରେ ପୁରା ପରିବାର ପଡି ଯାଇଥିଲେ। ତେବେ ଏହି ପରିବାର ପାଇଁ ଘଡି ସନ୍ଧି ମୁହୂର୍ତ୍ତରେ ବ୍ରଜରାଜନଗର ଏସଡିପିଓ ଦିଲୀପ ଦାଶ ସହାୟତାର ହାତ ବଢ଼ାଇଥିଲେ। ସ୍ଥାନୀୟ ଅଞ୍ଚଳରେ ବହୁ ଚେଷ୍ଟା କରି ଦରକାରୀ ଔଷଧ ଖୋଜା ଖୋଜି କରାଯାଇଥିଲେ ହେଁ ତାହା ମିଳି ନ ଥିଲା। ଏହା ପରେ କଟକରୁ ସ୍ୱତନ୍ତ୍ର ଭାବେ ଔଷଧ ମଗାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ଏସଡିପିଓ ଶ୍ରୀ ଦାଶ। କଟକରେ ଥିବା ତାଙ୍କ ବନ୍ଧୁମାନଙ୍କୁ ଯୋଗା ଯୋଗ କରିବାରୁ ଏହି ଔଷଧ ମିଳିଥିଲା ହେଲେ ପରିବହନ ନେଇ ସମସ୍ୟା ମୁଣ୍ଡ ଟେକିଥିଲା। ଶେଷରେ ରାଶନ ସାମଗ୍ରୀ ନେଇ ବ୍ରଜରାଜନଗରକୁ ଆସୁଥିବା ଏକ ଟ୍ରକରେ ଔଷଧ ପଠା ଯାଇଥିଲା ଏବଂ ଗତ କାଲି ସୋମବାର ଦିନ ପହଞ୍ଚିଥିଲା। ଏସଡିପିଓ ଶ୍ରୀ ଦାଶ ଔଷଧ ପାଇବା ମାତ୍ରକେ ତୁରନ୍ତ ଦରଲିପାଲି ଯାଇ ଶ୍ରୀପତି ସାହୁଙ୍କୁ ଔଷଧ ପ୍ରଦାନ କରିଥିଲେ। ପରିବାର ଲୋକେ ବ୍ରଜରାଜନଗର ଏସଡିପିଓ ଦିଲୀପ ଦାଶଙ୍କୁ ସାଧୁବାଦ ଜଣାଇଥିଲେ। ଏ ଘଟଣା ସାରା ଅଞ୍ଚଳରେ ବ୍ୟାପିବା ପରେ ଏବେ ବିଭିନ୍ନ ମହଲରେ ଏସଡିପିଓ ଶ୍ରୀ ଦାଶଙ୍କୁ ପ୍ରଶଂସା କରାଯାଉଛି। ଅପରପକ୍ଷେ ଜନତାର ଅନୁରୋଧ ଶୁଣି ସହଯୋଗର ହାତ ବଢାଇଥିବା ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କ ପଥରେ ଆଉ ଜଣେ ପୁଲିସ ଅଧିକାରୀ ସାମିଲ ହୋଇଛନ୍ତି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।



