ଡିସ୍ଇନ୍ଫୋଡେମିକ୍ କ’ଣ?
ଏହି ନୂଆ ମହାମାରୀ ଭ୍ରମାତ୍ମକ ସୂଚନା ସହ ଜଡିତ। କରୋନା ସଂକ୍ରମଣର ଏହି ସଙ୍କଟମୟ ପରିସ୍ଥିତିରେ କ’ଣ କରିବା ଉଚିତ, କ’ଣ କରିବେ ନାହିଁ, ସରକାରଙ୍କ ପଦକ୍ଷେପ ଆଦି ସଂକ୍ରାନ୍ତ ବିଭିନ୍ନ ତଥ୍ୟ ସାଧାରଣ ଲୋକଙ୍କ ପାଖରେ ପହଞ୍ଚୁଛି। ସ୍ମାର୍ଟଫୋନ୍ ଏବଂ ଇଣ୍ଟରନେଟ୍ର ଯୁଗ ହୋଇଥିବାରୁ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏଠାରେ ଆସୁଥିବା ତଥ୍ୟ ମଧ୍ୟ ସେମାନଙ୍କୁ ପ୍ରଭାବିତ କରୁଛି। ଏସବୁ ମଧ୍ୟରେ ବିଭିନ୍ନ ଆଧାର ବିହୀନ, ମିଥ୍ୟା ତଥ୍ୟ ଦ୍ରୁତ ଗତିରେ ପ୍ରସାରିତ ହେବାରେ ଲାଗିଛି। ଏଭଳି ଭ୍ରମାତ୍ମକ ଖବରକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡିସ୍ଇନ୍ଫୋଡେମିକ ଭାବେ ନାମିତ କରିଛି। ଏହା ଭୂତାଣୁଠାରୁ ଅଧିକ ଭୟଙ୍କର ଭାବେ ଲୋକଙ୍କୁ ପ୍ରଭାବିତ କରିବା ସହ ସଂକ୍ରମଣ ହାର ବଢାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଏହି ଡିସ୍ଇନ୍ଫୋଡେମିକ କୌଣସି ମହାମାରୀଠାରୁ କମ୍ ନୁହେଁ। କାରଣ, ଏପରି ଭୁଲ୍ ସୂଚନା ପାଇ ଅନେକ ଲୋକ ନିଜଠାରେ ଦେଖାଯାଉଥିବା କୌଣସି ଲକ୍ଷଣକୁ ନେଇ ଭୁଲ୍ ଉପାୟରେ ଆପେ ଚିକିତ୍ସା କରିବା ଆରମ୍ଭ କରିଦେଉଛନ୍ତି। ଏହାଦ୍ୱାରା ସେମାନେ କରୋନା ସଂକ୍ରମଣରୁ ସୁରକ୍ଷିତ ରହିପାରିବେ ବୋଲି ଆଶା କରିଥିବା ବେଳେ ସେମାନଙ୍କ ଜୀବନ ପ୍ରତି ଅଜାଣତରେ ବିପଦ ଡାକି ଆଣୁଛନ୍ତି।
କିପରି ବିପଜ୍ଜନକ
ୟୁନେସ୍କୋର ସୂଚନା ଏବଂ ପ୍ରସାରଣ ଦାୟିତ୍ୱରେ ଥିବା ନିର୍ଦେଶକ ଗାଏ ବର୍ଜେରଙ୍କ ଅନୁସାରେ କରୋନା ଭୂତାଣୁ ସଂକ୍ରାନ୍ତ ଭୁଲ୍ ତଥ୍ୟ ପ୍ରସାର ଏବେ ଏକ ସାଧାରଣ କଥା ପାଲଟି ଯାଇଛି। ବିଶ୍ୱର କୌଣସି ଭାଗ ଏପରି ଭ୍ରମ ପ୍ରଚାରରୁ ବାକି ରହିନାହିଁ। ସୋସିଆଲ ମିଡିଆରେ କରୋନା ଭୂତାଣୁର କାରଣ, ଏହାର ପ୍ରତିରୋଧ , ଚିକିତ୍ସା ଆଦି ସଂକ୍ରାନ୍ତରେ ଏଭଳି ତଥ୍ୟ ପ୍ରଚାର ହେଉଛି। ଅଜାଣତରେ ନାମୀ ବ୍ୟକ୍ତିତ୍ୱମାନେ ବି ଏଭଳି ମିଥ୍ୟା ସୂଚନା ପ୍ରସାର କରୁଥିବା ଦେଖାଯାଉଛି। ମଦ, ବିୟର ପରି ଆଲକୋହଲ ଜାତୀୟ ପାନୀୟ ପିଇବା ଦ୍ୱାରା କରୋନା ଭୂତାଣୁଠାରୁ ସୁରକ୍ଷିତ ରହିହେବ, ଅଧିକ ଥଣ୍ଡା ଏବଂ ଅଧିକ ଗରମ ପରିବେଶରେ କରୋନା ସଂକ୍ରମଣ ହେବନାହିଁ ଆଦି ତଥ୍ୟ ଲୋକଙ୍କୁ ଭ୍ରମରେ ପକାଇବା ସହ ଏହା ପାଳନ କରୁଥିବା ଲୋକଙ୍କ ପାଇଁ ବିପଜ୍ଜନକ ହେଉଥିବା ନିଃସନ୍ଦେହ। ଭାରତ ପରି ଜନବହୁଳ ବିକାଶଶୀଳ ଦେଶରେ ଏପରି ଭୁଲ୍ ତଥ୍ୟ ପ୍ରସାରଣର ବିପଦ ଯଥେଷ୍ଟ ଅଧିକ। ଏହାର କେତେକ ଉଦାହରଣ-
– କରୋନା ଭୂତାଣୁ ଲକ୍ ଡାଉନ୍ ସମୟରେ ମୁମ୍ବାଇର ବାନ୍ଦ୍ରାଠାରୁ ଟ୍ରେନ୍ ଚଳାଚଳ ଆରମ୍ଭ ହେବ ବୋଲି ଖବର ପାଇ ହଜାରହଜାର ଲୋକ ସେଠାରେ ଜମା ହୋଇଗଲେ। ଏହି ତଥ୍ୟ ଭୁଲ୍ ଥିଲା, କିନ୍ତୁ ସାମାଜିକ ଦୂରତ୍ୱ ନରହିବା ସହିତ କରୋନା ସଂକ୍ରମଣର ଆଶଙ୍କା ବଢାଇଦେଲା। ତେଲଙ୍ଗାନା ଏବଂ ଦିଲ୍ଲୀ ପରେ ଏବେ କୋଟାରେ ଏପରି ଭିଡ ଚିନ୍ତାର ବିଷୟ ହୋଇଛି।
– ମୁରାଦାବାଦ ପରି କେତେକ ଅଞ୍ଚଳରେ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ପାଇଁ ଆସିଥିବା ଡାକ୍ତରୀଦଳଙ୍କୁ କରୋନା ଭୂତାଣୁ ଇଞ୍ଜେକ୍ସନ ଦେଉଛନ୍ତି ବୋଲି କହି ଆକ୍ରମଣ କରାଯାଉଛି। ଦେଶରେ ସାଧାରଣ ଲୋକଙ୍କ ଜୀବନ ରକ୍ଷା ପାଇଁ ଲାଗିଥିବା ପୁଲିସ୍ ଏବଂ ଡାକ୍ତରୀ ଟିମ୍ ଉପରେ ବିଭିନ୍ନ ସ୍ଥାନରେ ଆକ୍ରମଣ ହେବା ଏବେ ସବୁଦିନିଆ ଖବର ପାଲଟି ଯାଇଛି।
– ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଦ୍ୱାରା କରୋନା ସଂକ୍ରମଣରୁ ସୁରକ୍ଷିତ ରହିହେବ ବୋଲି ଖବର ବ୍ୟାପିବା ପରେ ଆମେରିକାରେ ଏକ ବୃଦ୍ଧ ଦମ୍ପତି ଭୁଲ୍ରେ ପାଣି ସଫା କରିବା ଲାଗି ଥିବା କ୍ଲୋରୋକ୍ୱିନ୍ ଖାଇଦେଇଥିଲେ। ଏହାପରେ ଗୁରୁତର ଅସୁସ୍ଥ ଅବସ୍ଥାରେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା।
– କରୋନା ଭୂତାଣୁ ସଂକ୍ରମଣର କୌଣସି ଚିକିତ୍ସା ଉପାୟ ନାହିଁ ବୋଲି ପ୍ରସାରିତ ତଥ୍ୟକୁ ମାନି ଏଯାବତ୍ ଶତାଧିକ ଲୋକ ଆତ୍ମହତ୍ୟା କରିଥିବା ଖବର ଆସିସାରିଛି।
ନିରାକରଣ
ଏଭଳି ତ୍ରୁଟିପୂର୍ଣ୍ଣ ତଥ୍ୟ ପ୍ରସାରଣ କ୍ଷେତ୍ରରେ ସରକାର କଠୋର ପଦକ୍ଷେପ ନେବା ସହିତ ୟୁନେସ୍କୋ ପକ୍ଷରୁ ଆରମ୍ଭ କରାଯାଇଥିବା ଅଭିଯାନରେ ସଠିକ୍ ତଥ୍ୟ ଯେପରି ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ, ସେଥିପାଇଁ ଚେଷ୍ଟା କରାଯାଉଛି। ନିର୍ଭରଯୋଗ୍ୟ ତଥ୍ୟ ପାଇବା ଲାଗି ଭରସାଯୋଗ୍ୟ ଗଣମାଧ୍ୟମକୁ ବିଶ୍ୱାସ କରନ୍ତୁ।
– କରୋନା ଭୂତାଣୁ ସଂକ୍ରାନ୍ତ ସବୁପ୍ରକାର ତଥ୍ୟକୁ ସତ ନମାନି କେବଳ ସରକାରୀ ସୂତ୍ରରୁ କିମ୍ବା ସରକାରୀ ୱେବ୍ସାଇଟ ଏବଂ ଆପ୍ରେ ପ୍ରକାଶିତ ତଥ୍ୟକୁ ସଠିକ୍ ମାନନ୍ତୁ। ଭାରତରେ ଏଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବ୍ସାଇଟ ରହିଛି। କରୋନା ଭୂତାଣୁ ସଂକ୍ରାନ୍ତ ଟିପ୍ସ ଦେବା ଲାଗି ରହିଥିବା ଆରୋଗ୍ୟ ସେତୁ ଆପ୍ ମଧ୍ୟ ଡାଉନ୍ଲୋଡ କରିପାରିବେ।
– ବର୍ଷବର୍ଷ ଧରି ଏଭଳି କ୍ଷେତ୍ରରେ କାର୍ୟ୍ୟରତ ବିଶ୍ୱସନୀୟ ଖବର ଏବଂ ସ୍ୱାସ୍ଥ୍ୟ ସୂଚନା ସାଇଟ୍ଗୁଡିକର ସହାୟତା ନେଇପାରିବେ।
– ବିଭିନ୍ନ ସୋସିଆଲ ମିଡିଆରେ କରୋନାର ଲକ୍ଷଣ, ଚିକିତ୍ସା ଆଦି ସଂକ୍ରାନ୍ତ କୌଣସି ତଥ୍ୟକୁ ବିଶ୍ୱାସ କରନ୍ତୁ ନାହିଁ। କାରଣ, ଏଯାବତ୍ କରୋନା ଭୂତାଣୁ ସଂକ୍ରମଣର କୌଣସି ନିର୍ଦିଷ୍ଟ ଚିକିତ୍ସା ପଦ୍ଧତି ବାହାରି ନ ଥିବାବେଳେ ଏହାର ଲକ୍ଷଣ ମଧ୍ୟ ଭିନ୍ନଭିନ୍ନ ରହୁଛି। ଏପରିକି କୌଣସି ଲକ୍ଷଣ ନଥାଇ ମଧ୍ୟ ଲୋକେ ସଂକ୍ରମିତ ହୋଇଥିବାର ଖବର ଆସୁଛି। କୌଣସି ଘରୋଇ ଚିକିତ୍ସା, ଆୟୁର୍ବେଦ କିମ୍ବା ହୋମିଓପାଥି ଔଷଧ ଏହାର ଚିକିତ୍ସାରେ ସଫଳ ହୋଇଥିବା ଜଣାପଡିନି। ସଂକ୍ରମଣର ଲକ୍ଷଣ ଜାଣିବାମାତ୍ରେ କେବଳ ସରକାରଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦେଶ ପାଳନ କରିବା ସହ ସରକାରୀ ହସ୍ପିଟାଲରେ ସୂଚନା ଦିଅନ୍ତୁ।



