ସମାଜ ପୋର୍ଟାଲ ଡେସ୍କ : କଟକ ଜିଲା ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଅବରୋଧ କଟକଣାକୁ ହଟେଇ ଦିଆଯାଇଛି । ଏହି ଅଞ୍ଚଳରେ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ କଟକଣା ହଟିଥିବା ନେଇ ସୂଚନା ମିଳିଛି । ସାଲେପୁର ତହସିଲ ମିର୍ଜାପୁର ପଞ୍ଚାୟତ ୧୨ ଓ ୧୩ ନମ୍ବର ୱାର୍ଡରୁ ଅବରୋଧ କଟକଣା ହଟାଯାଇଥିବା ବେଳେ ନିଶ୍ଚିନ୍ତକୋଇଲି ତହସିଲ ଜୟରାମପୁର ପଞ୍ଚାୟତ ୧ ନମ୍ବର ୱାର୍ଡରୁ ବି ଏହି କଟକଣାକୁ ହଟାଇ ଦିଆଯାଇଛି। ଏପ୍ରିଲ୍ ୫ ତାରିଖ ଠାରୁ ଏଠାରେ କଣ୍ଟେନମେଣ୍ଟ କଟକଣା ଲାଗୁ କରାଯାଇଥିଲା। ତେବେ ଏସବୁ ସ୍ଥାନରେ ଏବେ ଲକ୍ଡାଉନ୍ କଟକଣା ବଳବତ୍ତର ରହିବ।
ସୂଚନାଯୋଗ୍ୟ ଯାଜପୁରର ଆକ୍ରାନ୍ତ ଏହି ଦୁଇ ଅଞ୍ଚଳକୁ ଯାଇଥିବାରୁ କଟକଣା ଲାଗିଥିଲା କିନ୍ତୁ ଏହି ଅଞ୍ଚଳରେ କରୋନା ବ୍ୟାପିନଥିବା ସିଡିଏମ୍ଓ ଓ ଉଭୟ ତହସିଲଦାରଙ୍କ ରିପୋର୍ଟ ମିଳିବା ପରେ ଜିଲ୍ଲା ପ୍ରଶାସନ ଏସବୁ ଅଞ୍ଚଳରୁ କଣ୍ଟେନ୍ମେଣ୍ଟ କଟକଣା ହଟାଇ ଦେଇଛନ୍ତି। ଏହି ସ୍ଥାନଗୁଡ଼ିକରୁ ସଂଗ୍ରହ କରାଯାଇଥିବା ସମସ୍ତ ସାମ୍ପଲର ରିପୋର୍ଟ ନେଗେଟିଭ୍ ଆସିଛି।



