ଭୁବନେଶ୍ବର : ରାଜ୍ୟରେ ସୋମବାର ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ସହ ଓଡ଼ିଶାରେ କରୋନା ରୋଗୀଙ୍କ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି । ସେ ଭୁବନେଶ୍ବସ୍ଥିତ ବମିଖାଲ ଅଞ୍ଚଳର ହୋଇଥିବା ଜଣାପଡ଼ିଛି । କରୋନା ରୋଗୀଙ୍କ ବୟସ ୩୨ ବର୍ଷ ହୋଇଥିବା ନେଇ କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚୀ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଚିହ୍ନଟ ହୋଇଥିବା କରୋନା ରୋଗୀ ଜଣଙ୍କ ବମିଖାଲର ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି । ସେ ୭,୮,୨୨ ଓ ୩୯ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏଯାବତ ରାଜ୍ୟରେ ୪୧୭୦ ରକ୍ତ ନମୂନା ପରୀକ୍ଷା ହୋଇଥିବାବେଳେ ୫୫ ଜଣଙ୍କ ରକ୍ତ ନମୂନା କରୋନା ପଜିଟିଭ ଆସିଛି।
୫୫ ନମ୍ବର କରୋନା ଆକ୍ରାନ୍ତ ଜଣଙ୍କ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୨ ଯାଏ ବମିଖାଲସ୍ଥିତ ନିଜ ଘରେ ରହିଥିଲେ। ଏହି ଅଞ୍ଚଳ ପୂର୍ବରୁ କଣ୍ଟେନମେଣ୍ଟ ଜୋନ ଥିବାରୁ ତାଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା। ଆଜି ପଜିଟିଭ ଆସିବା ପରେ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲକୁ ସ୍ଥାନନ୍ତର କରାଯାଇଛି।



