ନେତାଙ୍କ ବଦାନ୍ୟତା ! ଅଧ୍ୟାଦେଶରେ ଦଳୀୟ ପାଣ୍ଠି ସାମିଲ୍‌ ହେଉ

କୋଭିଡ୍-୧୯ ସଂକ୍ରମଣଜନିତ ସ୍ୱାସ୍ଥ୍ୟ ବିପତ୍ତି ଓ ତା’ ପରେ ମାଡ଼ି ଆସୁଥିବା ଆର୍ଥିକ ସଙ୍କଟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ନିଦ ହଜାଇ ଦେଇଛି। ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସରକାର ଘୋଷଣା କରିଥିବା ‘ଲକଡାଉନ୍’ ଯୋଗୁଁ ଖଟିଖିଆ ଓ କ୍ଷୁଦ୍ର ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଏବଂ ‘ଲକଡାଉନ୍’ ପରବର୍ତ୍ତୀ ଅର୍ଥନୀତିର କ୍ଷତିଭରଣା କରିବା ପାଇଁ କେନ୍ଦ୍ର ସରକାର ‘ପିଏମ୍ କେୟାର’ ନାମରେ ଏକ ସ୍ୱତନ୍ତ୍ର ପାଣ୍ଠି ଗଠନ କରି ଅକୁଣ୍ଠ ଚିତ୍ତରେ ଦାନ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଏହି ପାଣ୍ଠିକୁ ଘରୋଇ ସଂସ୍ଥା, ଶିଳ୍ପପତି, କ୍ରୀଡ଼ାବିତ୍, ଚଳଚ୍ଚିତ୍ର ତାରକା, ବ୍ୟକ୍ତିବିଶେଷ ସାଧ୍ୟମତେ ଦାନ କରୁଥିବାବେଳେ ଏବେ ସେଥିରେ ସାମିଲ୍ ହେବା ପାଇଁ ବ୍ୟବସ୍ଥାପକ ସଭାର ସଭ୍ୟମାନେ ସାଧୁ ଉଦ୍ୟମ ଆରମ୍ଭ କରିଛନ୍ତି।
ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ବର୍ଷେ ଯାଏ ପ୍ରଧାନମନ୍ତ୍ରୀ, କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀ, ସାଂସଦମାନେ ସେମାନଙ୍କ ଦରମାରୁ ୩୦% ଦାନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଏଥିସହିତ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ସାଂସଦ ହାତପାଣ୍ଠିକୁ ରଦ୍ଦ କରାଯାଇ ସେହି ଅର୍ଥକୁ ଲକଡାଉନ୍ ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ବିନିଯୋଗ କରାଯିବ। ଏ ସଂକ୍ରାନ୍ତ ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଥିବାବେଳେ ସଂସଦର କାର୍ଯ୍ୟଦିବସ ଆରମ୍ଭ ହେବା ମାତ୍ରେ ଏହାକୁ ଆଇନରେ ପରିଣତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଆଇନ୍ ହେଲେ ପାଣ୍ଠି ପରିଚାଳନା ସହଜ, ସରଳ ଓ ସ୍ୱଚ୍ଛ ହେବ।
ପିଏମ୍ କେୟାର ପାଣ୍ଠି ବା କରୋନା ବିପତ୍ତି ପରବର୍ତ୍ତୀ ଆର୍ଥିକ ସଙ୍କଟ ମୁକାବିଲା ପାଇଁ ନେତା/ମନ୍ତ୍ରୀମାନେ ଯେ କାର୍ପଣ୍ୟ ପ୍ରଦର୍ଶନ କରିଛନ୍ତି, ତା’ ନୁହେଁ। ରାଷ୍ଟ୍ରପତି, ରାଜ୍ୟପାଳଙ୍କ ସମେତ କେତେକ ମନ୍ତ୍ରୀ/ସାଂସଦ ଦରମା ଓ ହାତପାଣ୍ଠି ଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି, କିନ୍ତୁ ତୁଳନାତ୍ମକ ଭାବରେ ସେମାନଙ୍କର ଅବଦାନରେ କିଛିଟା ଊଣା ରହିଯାଉଥିବା ପରି ଲାଗୁଛି। ଏବେ ଅଧ୍ୟାଦେଶ ବଦଳରେ ଜନସାଧାରଣଙ୍କ ମନରେ ଆସୁଥିବା ସେହି ଭାବନା ଦୂର ହେବ ଏବଂ ରାଜନେତାଙ୍କ ପ୍ରତି ଜନତାଙ୍କ ଦୃଷ୍ଟିକୋଣ ଆହୁରି ପରିବ୍ୟାପ୍ତ ହେବ। ଦେଶସେବକ ଓ ନୀତିନିର୍ଦ୍ଧାରକ ଭାବରେ ବିପତ୍ତି ସମୟରେ ସହାୟତା, ସେବାପରାୟଣତା ଓ ବଦାନ୍ୟତା କ୍ଷେତ୍ରରେ ବ୍ୟବସ୍ଥାପକ ସଭାର ସଦସ୍ୟମାନଙ୍କ ପ୍ରଦର୍ଶନ ନେତୃସ୍ଥାନୀୟ, ଉଦାହରଣୀୟ ଓ ପ୍ରେରଣାଦାୟୀ ହେବା କଥା। ନିର୍ବାଚିତ ଜନପ୍ରତିନିଧିଙ୍କ ମଧ୍ୟରୁ କୋଟିପତିଙ୍କ ସଂଖ୍ୟା କମ୍ ନୁହେଁ। ଅନେକଙ୍କ ଅଘୋଷିତ ଆୟ ଓ ସମ୍ପତ୍ତିର ଉତ୍ସ ମଧ୍ୟ ଆଖି ଖୋଷିଦେଲା ଭଳି। ତେଣୁ ସେମାନଙ୍କଠାରୁ ଏଭଳି ବିପତ୍ତି ସମୟରେ ଜନସାଧାରଣ ଅଧିକ ଆଶା ରଖିବା ସ୍ୱାଭାବିକ। ବିଡ଼ମ୍ବନାର ବିଷୟ ହେଉଛି ଅଧିକାଂଶଙ୍କଠାରେ କିନ୍ତୁ ବଦାନ୍ୟତାର ଅଭାବ ପରିଲକ୍ଷିତ ହେଉଛି। ତେଣୁ ବାଧ୍ୟ ହୋଇ ପ୍ରଧାନମନ୍ତ୍ରୀଙ୍କୁ ଏଥିପାଇଁ ଅଧ୍ୟାଦେଶ ଭଳି ପଦକ୍ଷେପ ନେବାକୁ ପଡ଼ିଲା କି – ଏହି ପ୍ରଶ୍ନ ଉଠୁଛି। ଯଦି ଏହି ପ୍ରଶ୍ନର ଉତ୍ତର ଆସ୍ତିବାଚକ ହୁଏ ତେବେ ଦେଶ ଓ ଦେଶବାସୀଙ୍କ ପାଇଁ କିଛିଟା ଅସ୍ବସ୍ତି ସୃଷ୍ଟି କରିବ, କିନ୍ତୁ ଏହା ବ୍ୟତୀତ ଅନ୍ୟ ବିକଳ୍ପ ମଧ୍ୟ ନଥିଲା। ଅଧ୍ୟାଦେଶ ଦ୍ୱାରା ଜନସାଧାରଣଙ୍କ ପ୍ରତି ବ୍ୟବସ୍ଥାପକ ସଭାର ସଦସ୍ୟଙ୍କ ପ୍ରତିଶ୍ରୁତିବଦ୍ଧତା, ଦେଶର ଉନ୍ନତି ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜନସେବା ପ୍ରତି ସମର୍ପଣ ଭାବ ଉପରେ ବିଧିବଦ୍ଧ ମୋହର ଲାଗିଛି। ବିଭିନ୍ନ ଦଳର ରାଜନୈତିକ ଚାନ୍ଦା ଓ ଦଳୀୟ ପାଣ୍ଠିର ପରିମାଣ ମଧ୍ୟ କମ୍ ନୁହେଁ। ତେଣୁ ସଂସଦରେ ଆଗତ ହେବାକୁ ଥିବା ଆଇନ୍‌ରେ ଦଳୀୟ ପାଣ୍ଠିର ଦାନ ନିଶ୍ଚିତ କରିବାର ବ୍ୟବସ୍ଥା ରହିଲେ ଦଳମାନେ ଜନସାଧାରଣଙ୍କ ଅଧିକ ବିଶ୍ୱାସଭାଜନ ହୋଇପାରିବେ। ଏହି ମହତ୍ ଉଦ୍ଦେଶ୍ୟର କାର୍ଯ୍ୟକାରିତା ସୁଦୂରପ୍ରସାରୀ ଓ ଲକ୍ଷ୍ୟଭିତ୍ତିକ ହେଉ।

Comments are closed.