ଭୁବନେଶ୍ୱର : ଡରାଉଛି କରୋନା ଭାଇରସ୍। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ୍ ରେ ଆକ୍ରାନ୍ତ ହୋଇ ଚୀନରେ ୩ ହଜାରରୁ ଅଧିକ ପ୍ରାଣ ହରାଇଥିବା ବେଳେ ଅନ୍ୟ ଦେଶରେ ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଭୂତାଣୁ ଏବେ ଭାରତ ମୁହାଁଛନ୍ତି। ଭାରତରେ ମୋଟ୍ ୨୮ ଜଣ କରୋନା ଭାଇରସ୍ ରେ ଆକ୍ରନ୍ତ ହୋଇଛନ୍ତି। ସେହିପରି ଓଡିଶାରେ ୩ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ମଙ୍ଗଳବାର କଟକ ଏସସିବି ମେଡିକାଲରେ ଦୁଇ ଜଣ ଏବଂ ସମ୍ବଲପୁର ଭିମସାରରେ ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିବା ଜଣାପଡିଛି। ସେମାନଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା ଜାରି ରହିଛି। ଏସସିବିରେ ଥିବା ଦୁଇ ଜଣ ସନ୍ଦିଗ୍ଧଙ୍କ ସ୍ବାବ ଓ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପୁଣେ ପଠାଯାଇଛି।
ତେବେ ଏପରି ପରିସ୍ଥିତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। କାର୍ଯ୍ୟକ୍ଷେତ୍ରରେ କିଭଳି ନିଜକୁ ସୁରକ୍ଷିତ ରହିବେ ସେନେଇ ଆଡଭାଇଜରୀରେ ଦର୍ଶାଯାଇଛି।ଆଡଭାଇଜରୀ ସୂଚନା ଅନୁଯାୟୀ…..
କାର୍ଯ୍ୟକ୍ଷେତ୍ରକୁ ସ୍ୱଚ୍ଛ ଓ ପରିଷ୍କାର ରଖନ୍ତୁ।
ଡେସ୍କ, ଟେବୁଲ, ଟେଲିଫୋନ, କମ୍ପୁଟର, କି-ବୋର୍ଡ ଗୁଡିକୁ ନିୟମିତ ସଫା କରନ୍ତୁ।
ହାତକୁ ବାରମ୍ବାର ଭଲ ଭାବେ ଧୁଅନ୍ତୁ।
ୱାସ ବେସିନ ନିକଟରେ ସାବୁନ, ସାନିଟାଇଜର ରଖନ୍ତୁ।
ହାତ କିପରି ଧୋଇବେ ସେ ନେଇ କର୍ମଚାରୀଙ୍କୁ ପୋଷ୍ଟର ମାଧ୍ୟମରେ ଜଣାନ୍ତୁ।
କାର୍ଯ୍ୟକ୍ଷେତ୍ରରେ ଟିସୁ ପେପର, ମାସ୍କ ଓ ବନ୍ଦ ଥିବା ଡଷ୍ଟ ବିନ୍ ରଖନ୍ତୁ ।
ପରସ୍ପର ମଧ୍ୟରେ ୧ ମିଟର ଦୂରତା ରଖନ୍ତୁ।
ପରସ୍ପର ସହ ହାତ ମିଳାନ୍ତୁ ନାହିଁ।
ଅତି ଆବଶ୍ୟକ ନଥିଲେ ଜନଗହଳି ସ୍ଥାନ, ମଲ୍, ମାର୍କେଟ, ଷ୍ଟେସନ, ବସଷ୍ଟାଣ୍ଡ ଆଦି ସ୍ଥାନକୁ ଯାଆନ୍ତୁ ନାହିଁ।
ଥଣ୍ଡା, କାଶ, ଜ୍ୱରରେ ପୀଡିତ ଥିବା କର୍ମଚାରୀଙ୍କ ଠାରୁ ଦୂରରେ ରୁହନ୍ତୁ
ଯଦି କୌଣସି କର୍ମଚାରୀଙ୍କ ଠାରେ ଥଣ୍ଡା କିମ୍ବା ଜ୍ୱରର ଲକ୍ଷଣ ଦେଖାଯାଉଛି ତେବେ ସେମାନଙ୍କୁ ଘରେ ଏକୁଟିଆ ରହି ଚିକିତ୍ସା କରିବାକୁ ପରାମର୍ଶ ଦିଆଯାଇଛି।



