ରବିବାର ସିଙ୍ଗାପୁରରେ ପହଞ୍ଚିବେ କିମ୍‍

0

ସିଙ୍ଗାପୁର : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତର କୋରିଆ ରାଷ୍ଟ୍ରମୁଖ୍ୟ କିମ୍‍ ଜଙ୍ଗ୍‍ ଉନ୍‍ଙ୍କ ମଧ୍ୟରେ ଆସନ୍ତା ୧୨ତାରିଖରେ ଏଠାରେ ହେବାକୁ ଥିବା ଐତିହାସିକ ସମ୍ମିଳନୀ ପାଇଁ ଉନ୍‍ ରବିବାର ସିଙ୍ଗାପୁରରେ ପହଞ୍ଚୁଥିବା ଜଣାପଡ଼ିଛି। ସେ ସିଙ୍ଗାପୁରର ପୁରାତନ ଚାଙ୍ଗି ବିମାନ ବନ୍ଦରରେ ଅବତରଣ କରିବେ।ଚିମ୍‍ଙ୍କର ଏହା ଦ୍ୱିତୀୟ ବିଦେଶ ଗସ୍ତ ହେବ। ୨୦୧୧ରେ କ୍ଷମତାସୀନ ହେବାଠାରୁ ସେ ପ୍ରଥମ ଥର ବିମାନ ଯୋଗେ ବିଦେଶ ଗସ୍ତରେ ଯାଇ ମେ ମାସରେ ଚୀନ୍‍ରେ ପହଞ୍ଚିଥିଲେ। ଅପରପକ୍ଷରେ ଟ୍ରମ୍ପ ପାୟା ଲିବାର ବିମାନ ଘାଟିରେ ଅବତରଣ କରିବା ସମ୍ଭାବନା ରହିଛି। ଏହି ବିମାନ ଘାଟିରେ ପୂର୍ବରୁ ସିଙ୍ଗାପୁର ଆସିଥିବା ଆମେରିକା ରାଷ୍ଟ୍ରପତିମାନେ ଅବତରଣ କରିଛନ୍ତି।
ଟ୍ରମ୍ପ ଓ କିମ୍‍ଙ୍କ ଗସ୍ତ ପାଇଁ ସିଙ୍ଗାପୁର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ବିଶେଷ କରି ସୁରକ୍ଷା ବ୍ୟବସ୍ଥା ଅତି କଡ଼ାକଡ଼ି କରାଯାଇଛି। ଉଭୟ ନେତା ପହଞ୍ଚିବା ସହିତ ସିଙ୍ଗାପୁରର ସୀମାକୁ ସିଲ୍‍ କରିବା ଯୋଜନା ହୋଇଛି। ଏମିତିକି ସେମାନଙ୍କ ଉପସ୍ଥିତି ସମୟରେ ଆକାଶ ପଥକୁ ମଧ୍ୟ ବନ୍ଦ କରିଦିଆଯିବ ବୋଲି ଜଣାପଡ଼ିଛି। ଅପରପକ୍ଷରେ ଟ୍ରମ୍ପ ଓ କିମ୍‍ ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା ଦଳ ଘେରରେ ରହିବାକୁ ଥିଲେ ମଧ୍ୟ ସିଙ୍ଗାପୁର ପୁଲିସ ସହିତ ଶକ୍ତିଶାଳୀ ସୁରକ୍ଷା ବାହିନୀ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବେ। ବିଶେଷକରି ସିଙ୍ଗାପୁରର ନେପାଳି ଗୁର୍ଖା ବାହିନୀ ପାରମ୍ପରିକ ଅସ୍ତ୍ର ‘ଖୁକ୍ରି’ (ନେପାଳିମାନେ ବ୍ୟବହାର କରୁଥିବା ମାରାତ୍ମକ ଛୁରି) ସହିତ ସମ୍ମିଳନୀ ସ୍ଥଳ ସାଙ୍ଗ୍ରି-ଲା ହୋଟେଲକୁ ଘେରି ରହିବେ। ସେଠାକାର ହୋଟେଲ ଓ ରାସ୍ତା ଘାଟ ମଧ୍ୟ ସେମାନଙ୍କ ନଜରରେ ରହିବ। ଗୁର୍ଖା ବାହିନୀ ହାତରେ ବେଲ୍‍ଜିୟମ ନିର୍ମିତ ଏଫ୍‍ଏନ୍‍ ଏସ୍‍ସିଏଆର ରାଇଫଲ ଓ ଗୋଡ଼ରେ ପିସ୍ତଲ ରହିବ। ପ୍ରାୟ ୧୮୦୦ ଗୁର୍ଖା ଏହି ସେବାରେ ନିଯୁକ୍ତ ହେବେ ବୋଲି ଜଣାପଡ଼ିଛି।

Leave A Reply