୭ମାଓ ପ୍ରଭାବିତ ରାଜ୍ୟର ସମନ୍ୱୟ ବୈଠକ

0

ଭୁବନେଶ୍ୱର : ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକରେ ଲାଗି ରହିଥିବା ବାମପନ୍ଥୀ ମାଓ ସମସ୍ୟାକୁ କିଭଳି ମୁକାବିଲା କରାଯିବ ସେଥିଲାଗି ପରସ୍ପର ମଧ୍ୟରେ ଗୁଇନ୍ଦା ସୂଚନା ଆଦାନ ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି। ସୀମାନ୍ତ ମାଓ ଉପଦ୍ରୁତ ଜିଲାରେ ସମନ୍ୱୟ ରକ୍ଷା କରି ଯେପରି ମାଓ ମୁକାବିଲା କରିବେ ସେଥିପାଇଁ ରାଜ୍ୟଗୁଡ଼ିକ ଧାର୍ଯ୍ୟ ସର୍ତ୍ତାବଳୀ ଅନୁସାରେ ପରସ୍ପର ସହଯୋଗ ଭିତ୍ତିରେ କାର୍ଯ୍ୟ କରିବେ। ଗୁଇନ୍ଦା ସୂଚନା ଆଦାନ ପ୍ରଦାନ ପରେ ଉକ୍ତ ଆଧାରରେ ମାଓ ମୁକାବିଲା ଲାଗି କାର୍ଯ୍ୟାନୁଷ୍ଠାନ କରାଯିବା ଉପରେ ପୁଲିସ ଭବନଠାରେ ୭ଟି ମାଓ ପ୍ରଭାବିତ ରାଜ୍ୟର ସମନ୍ୱୟ ବୈଠକରେ ଉପସ୍ଥିତ ବରିଷ୍ଠ ଅଧିକାରୀମାନେ ମତ ଦେଇଛନ୍ତି।
ମାଓ ପ୍ରଭାବିତ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡଖଣ୍ଡ, ପଶ୍ଚିମବଙ୍ଗର ବରିଷ୍ଠ ଅଧିକାରୀ, ବିଏସ୍‌ଏଫ୍‌, ସିଆର୍‌ପିଏଫ୍‌ ଓ ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଛନ୍ତି ବୋଲି ପୁଲିସ ମହାନିର୍ଦେଶକ ଡାକ୍ତର ଶର୍ମା ସୂଚନା ଦେଇଛନ୍ତି । କେଉଁ ଅଞ୍ଚଳରେ ନିରାପତ୍ତା ତ୍ରୁଟି ଯୋଗୁଁ ଫଳରେ ମାଓବାଦୀଙ୍କ ପ୍ରଭାବ ବୃଦ୍ଧି ପାଉଛି ସେସବୁକୁ ଚିହ୍ନଟ କରାଯିବା ସହିତ ମିଳିତ ଭାବେ କେନ୍ଦ୍ରୀୟ ଓ ରାଜ୍ୟ ସୁରକ୍ଷାବାହିନୀ ମୁତୟନ କରାଯିବା ଉପରେ ବିଶେଷ କରି ଏହି ବୈଠକରେ ଆଲୋଚନା କରାଯାଇଥିଲା।
ବୈଠକରେ ଗୃହମନ୍ତ୍ରାଳୟର ବରିଷ୍ଠ ପରାମର୍ଶଦାତା କେ.ବିଜୟ କୁମାର କହିଛନ୍ତି, ଓଡ଼ିଶା ମାଓ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି। ନିକଟରେ ମାଓ ମୁକାବିଲା ନେଇ ଓଡ଼ିଶା ପୁଲିସର ସଫଳତାକୁ ସେ ପ୍ରଶଂସା କରିବା ସହିତ ମାଓ ପ୍ରଭାବିତ ଜିଲା ଏସ୍‌ପି ଗୁଇନ୍ଦା ଖବର ଆଧାରରେ ସୁରକ୍ଷାବଳ ମୁତୟନ କରି କାର୍ଯ୍ୟାନୁଷ୍ଠାନ କରିବା ଫଳରେ ଏହି ସଫଳତା ମିଳିଛି। ତେଣୁ ମାଓ ମୁକାବିଲା କ୍ଷେତ୍ରରେ ସ୍ଥାନୀୟ ଗୁଇନ୍ଦା ସୂଚନା ସଂଗ୍ରହକୁ ଅଧିକ ମଜବୁତ୍‌ କରାଯିବା ଉପରେ ସେ ବୈଠକରେ ମତ ଦେଇଥିଲେ। ତେଲେଙ୍ଗାନା ପୁଲିସ ମହାନିର୍ଦେଶକ ମହେନ୍ଦ୍ର କୁମାର ରେଡ୍ଡୀ, ବିଏସ୍‌ଏଫ୍‌ ସ୍ୱତନ୍ତ୍ର ଡିଜି ଅରୁଣ କୁମାର, ଛତିଶଗଡ଼ ସ୍ୱତନ୍ତ୍ର ଡିଜି(ଅପରେସନ୍‌) ଡି ଏମ୍‌ ଅଗସ୍ତି, ଅତିରିକ୍ତ ଡିଜି ଝାଡଖଣ୍ଡ ଆର୍‌ କେ ମଲିକ, ଅତିରିକ୍ତ ଡିଜି(ଗୁଇନ୍ଦା) ଏ. ବି. ଭେଙ୍କଟେଶ୍ୱର ରାଓ, ବିହାର ଅତିରିକ୍ତ ଡିଜି(ଆଇନ ଶୃଙ୍ଖଳା) ଅଶୋକ ରାଜ, କଲକାତା ପଶ୍ଚିମାଞ୍ଚଳ ଆଇଜି ରାଜୀବ ମିଶ୍ର ଓ କେନ୍ଦ୍ରୀୟ ଗୁଇନ୍ଦା ଶାଖାର ଯୁଗ୍ମ ନିର୍ଦେଶକ ବିନୀତା ଶର୍ମା ପ୍ରମୁଖ ବୈଠକରେ ଅଂଶଗ୍ରହଣ କରିଥିଲେ।
କିଛି ବର୍ଷ ପରେ ଓଡ଼ିଶାରେ ବାମପନ୍ଥୀ ମାଓବାଦୀଙ୍କ କାର୍ଯ୍ୟକଳାପ ନେଇ ରଣନୀତି ନିର୍ଦ୍ଧାରଣ ଲାଗି ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ମାଓ ପ୍ରଭାବିତ ଜିଲାଗୁଡ଼ିକର ଏସ୍‌ପି, ରେଞ୍ଜ ଡିଆଇଜି/ଆଇଜି ଏବଂ ଗୁଇନ୍ଦା ବିଭାଗର ଅଧିକାରୀ ଅଂଶଗ୍ରହଣ କରିଥିଲେ।

Leave A Reply