ଆରଏସଏସ୍‍ ତରିକାରେ ପ୍ରଣବ ପ୍ରଣାମ କରିବାର ଜାଲ୍‍ ଫଟୋ ପ୍ରସାରିତ

0

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ୍‍) ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଉପସ୍ଥିତିକୁ ନେଇ ପୁଣି ବିବାଦ ଦେଖାଯାଇଛି। ଗୁରୁବାର ଶ୍ରୀ ମୁଖାର୍ଜୀ ସଂଘ କାର୍ଯ୍ୟକ୍ରମରେ ଯୋଗଦେଇ ଭାଷଣ ଦେବା ପରେ ଶୁକ୍ରବାର ତାଙ୍କର ଜାଲ୍‍ ଫଟୋ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଜାଲ୍‍ ଫଟୋରେ ଶ୍ରୀ ମୁଖାର୍ଜୀ ଆରଏସଏସ୍‍ର କଳା ଟୋପି ପିନ୍ଧି ସଂଘ ତରିକାରେ ପ୍ରଣାମ କରୁଥିବା ଦେଖାଯାଇଛି। ବାସ୍ତବରେ କିନ୍ତୁ ପ୍ରଣବ ସଂଘ ତରିକାରେ ପ୍ରଣାମ କରି ନଥିଲେ। ସଂଘ କାର୍ଯ୍ୟକ୍ରମରେ ପ୍ରଣବ ଯୋଗଦେବାର ଅନଲାଇନ ଭିଡିଓ ଦେଶବ୍ୟାପୀ ପ୍ରସାରିତ ହୋଇଥିଲା। ପ୍ରଣବଙ୍କ ଜାଲ ଫଟୋକୁ ନେଇ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ଜାଲ ଫଟୋ ପାଇଁ କଂଗ୍ରେସ ସଂଘକୁ ଦାୟୀ କରିବା ସହ ସମାଲୋଚନା କରିଛି। ପ୍ରଣବଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ମଧ୍ୟ ଏହି ଜାଲ୍‍ ଫଟୋ ପ୍ରସାରଣ ପାଇଁ ଆରଏସଏସକୁ ଦାୟୀ କରିଛି। ଶର୍ମିଷ୍ଠା କହିଛନ୍ତି ଯେ ‘ମୁଁ ଯାହାକୁ ଭୟ କରୁଥିଲି ତାହା ହେଲା। ବିଜେପି ଓ ଆରଏସଏସ୍‍ ତାଙ୍କର ଘୃଣ୍ୟ ରାଜନୀତି ଆରମ୍ଭ କରିଛନ୍ତି।’ ତେବେ ଏହି ଜାଲ୍‍ ଫଟୋ ପ୍ରସାରଣ ପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି ଆରଏସଏସ୍‍ ଉପମୁଖ୍ୟ ମନମୋହନ ବୈଦ୍ୟ। ଶ୍ରୀ ବୈଦ୍ୟ କହିଛନ୍ତି ଯେ କେତେକ ଖଳ ରାଜନୈତିକ ଶକ୍ତି ଏପରି ଜାଲ୍‍ ଫଟୋ ପ୍ରସାରଣ କରିଛନ୍ତି। ଆରଏସଏସ୍‍ କାର୍ଯ୍ୟକ୍ରମରେ ଯୋଗଦେଇଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡୱାଣୀ ପ୍ରଶଂସା କରିଛନ୍ତି। ସମ୍ପ୍ରତି ଦେଶର ରାଜନୈତିକ ବାତାବରଣରେ ପ୍ରଣବଙ୍କ ଏହି ଯୋଗଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Leave A Reply