ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ନୂଆଦିଲ୍ଲୀର କ୍ୟାଣ୍ଟନମେଣ୍ଟଠାରେ ‘ଥଲସେନା ଭବନ’(ସ୍ଥଳସେନା ଭବନ)ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି, ସେନାବାହିନୀ କର୍ମଚାରୀଙ୍କର ଶୌର୍ଯ୍ୟ ଓ ବଳିଦାନ ଯୋଗୁଁ ଭାରତ ଆଜି ଏକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଏହି ଅଟ୍ଟାଳିକା ଯାନବାହାନ ଜନିତ ବାୟୁ ପ୍ରଦୂଷଣକୁ ରୋକିବାରେ ମଧ୍ୟ ସହାୟତା କରିବ ବୋଲି ଶ୍ରୀ ସିଂହ କହିଛନ୍ତି।
ସେନାବାହିନୀର ଏହି ନୂଆ ମୁଖ୍ୟ କାର୍ଯ୍ୟାଳୟ ମନେକ୍ଶା କେନ୍ଦ୍ର ନିକଟରେ ୩୯ ଏକର ଜମିରେ ସ୍ଥାପିତ ହୋଇଛି । ବହୁ ତଳବିଶିଷ୍ଟ ଏହି ଅଟ୍ଟାଳିକାରେ ପ୍ରାୟ ୬ ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ କାର୍ଯ୍ୟକରିପାରିବେ ଓ ସେନାବାହିନୀର ସମସ୍ତ କାର୍ଯ୍ୟାଳୟ ଏହା ମଧ୍ୟରେ ରହିବ। ନବଗଠିତ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ ଓ ସିଡିଏସ୍ କାର୍ଯ୍ୟାଳୟ ଏହା ମଧ୍ୟରେ ରହିବ। ପ୍ରାୟ ୭ଲକ୍ଷ ୫୦ ହଜାର ବର୍ଗମିଟର ଅଞ୍ଚଳ କାର୍ଯ୍ୟାଳୟ ପାଇଁ ଓ ପାର୍କିଂ ପାଇଁ ରଖାଯାଇଛି। ୫ ବର୍ଷ ଭିତରେ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଭୂମିପୂଜନ ସମୟରେ ଏକ ସର୍ବଧର୍ମ ପ୍ରାର୍ଥନାସଭାର ଆୟୋଜନ କରାଯାଇଥିଲା



