ବରଗଡ : ଗତ ତିନି ଦିନହେଲା ଅଶାନ୍ତ ହୋଇ ପଡିଛି ବରଗଡ ସହର । ସ୍ୱାସ୍ଥ୍ୟ ସେବା ହାତ ପାହାନ୍ତାରୁ ଦୂରକୁ ଚାଲି ଯାଇଥିବାରୁ ବରଗଡ ବାସିନ୍ଦା କ୍ଷୁବ୍ଧ। ପୁରୁଣା ଡ଼ାକ୍ତରଖାନାକୁ ପୂର୍ବପରି ସେଠାରେ କାର୍ଯ୍ୟକାରୀ କରିବା ଦାବି କରି ବିନା କାହାରି ପ୍ରରୋଚନା ବା କୌଣସି ଦଳର ବିନା ଆହ୍ୱାନରେ ସ୍ୱତଃସ୍ଫୁର୍ତ୍ତ ଭାବରେ ହଜାର ହଜାର ଜନସାଧାରଣ ସୋମବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହାକୁ ସମର୍ଥନ କରିଛନ୍ତି ସହରର ସମସ୍ତ ସଙ୍ଗଠନ ଓ ବ୍ୟବସାୟୀ। ଏପରିକି ବ୍ୟାଙ୍କ, କଚେରୀ ଓ ଦୋକାନବଜାର ଆପେଆପେ ବନ୍ଦ ହୋଇ ଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ସହରବାସୀ ବିଧାୟକ ବା ପୁଲିସ କାହାରିକୁ ମାନି ନ ଥିଲେ। ବିଧାୟକଙ୍କ ଘର ଘେରାଉ କରିବା ସହ ଥାନା ଉପରକୁ ଢ଼େଲା ପଥର ମାଡ଼ କରିଥିଲେ। ଶେଷରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ସନ୍ଧ୍ୟାରେ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ତିନିଜଣ ଡ଼ାକ୍ତର ସ୍ୱାସ୍ଥ୍ୟସେବା ଆରମ୍ଭ କରିବା ପରେ ଆନ୍ଦୋଳନକାରୀ କିଛି ପରିମାଣରେ ନରମିଥିଲେ। ତେବେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଓ ସ୍ଥାୟୀ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ଲୋକମାନେ ଚେତାବନୀ ଦେବା ସହ ଆସନ୍ତାକାଲି ବରଗଡ଼ ବନ୍ଦ ଡ଼ାକରା ଦେଇଛନ୍ତି ।
ଦିନକ ତଳେ ସମସ୍ୟାର ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିବା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ପୁରୁଣା ମେଡ଼ିକାଲ ନିକଟରେ ସକାଳେ ପହଞ୍ଚିବା ପରେ ଲୋକମାନେ ତାଙ୍କୁ ଘେରାଉ କରି ରଖିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲା ଓ ବିଧାୟକ ଏହାର ସମାଧାନ ପାଇଁ ଲୋକଙ୍କୁ ଯେତେ ମନାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନ ଥିଲେ। ଏପରିକି କିଛି ଲୋକ ବିଧାୟକଙ୍କୁ ଗାଳିଗୁଲଜ କରିବାକୁ ମଧ୍ୟ ଆରମ୍ଭ କରିଥିଲେ।
ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଏସ୍ପି ପଦ୍ମିନୀ ସହୁ, ସିଡ଼ିଏମ୍ଓ, ଉପଜିଲାପାଳ, ଅତିରିକ୍ତ ଜିଲାପାଳ ଘଟଣାସ୍ଥଳରେ ପହଞ୍ଚିଥିଲେ; ମାତ୍ର ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଥିଲା ଲୋକମାନେ ବିଧାୟକଙ୍କର କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନ ଥିଲେ ଓ ଯେ ପର୍ଯ୍ୟନ୍ତ ଡ଼ାକ୍ତରଖାନା ପୁରୁଣା ସ୍ଥାନରେ କାର୍ଯ୍ୟକାରୀ ନ ହୋଇଛି ସେ ପର୍ଯ୍ୟନ୍ତ ବିଧାୟକଙ୍କୁ ଛାଡ଼ିବୁ ନାହିଁ ବୋଲି ଅଡ଼ି ବସିଥିଲେ। ଦୀର୍ଘସମୟ ଘେରାଉ ମଧ୍ୟରେ ରହିବା ପରେ ବିଧାୟକ ଓ ଜିଲାପାଳଙ୍କୁ ପୁଲିସ ବହୁ ଚେଷ୍ଟା କରି ମୁକୁଳାଇବାକୁ ସକ୍ଷମ ହୋଇଥିଲା। ପୁଲିସ ହେପାଜତରେ ବିଧାୟକ ଥାନାରେ ପହଞ୍ଚିଥିଲେ ଓ ପୁଲିସ ଥାନା ଫାଟକ ବନ୍ଦ କରି ଦେଇଥିଲା। ଏଥିରେ ଲୋକମାନେ ଆହୁରି ଉତ୍ୟକ୍ତ ହୋଇ ପଡ଼ିଥିଲେ। ପୁଲିସ ପଛେପଛେ ସେମାନେ ଥାନା ନିକଟରେ ଆସି ପହଞ୍ଚିଥିଲେ ଓ ସେଠାରେ ଢ଼େଲାପଥର ମାଡ଼ କରିଥିଲେ। ଏପରିକି ବିଧାୟକଙ୍କ ଉପରକୁ ମଧ୍ୟ ଛିଡ଼ା ଚପଲ, ରାସ୍ତାରେ ପଡ଼ିଥିବା ଭଙ୍ଗା କାଠ ଉଠାଇ ଫିଙ୍ଗିଥିଲେ।
ଲୋକମାନେ ସାରା ଦିନ ଥାନା ଘେରାଉ କରିଥିଲେ। ଯେ ପର୍ଯ୍ୟନ୍ତ ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା ହୋଇନାହିଁ ସେ ପର୍ଯ୍ୟନ୍ତ ବିଧାୟକ ଓ ଜିଲାପାଳଙ୍କୁ ବାହାରକୁ ଆସିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ। ଅପରାହ୍ନରେ କିଛି ବିକ୍ଷୋଭକାରୀ ଥାନା ଉପରକୁ ଢ଼େଲାପଥର ମାଡ଼ କରିଥିଲେ। ଢ଼େଲାମାଡ଼ରେ ଗୋଟିଏ ପୁଲିସ ଗାଡ଼ିର କାଚ ଭାଙ୍ଗିଥିଲା ଓ କିଛି କର୍ମଚାରୀଙ୍କ ଗୋଡ଼ରେ ଆଘାତ ଲାଗିଥିଲା।
ଜବାବରେ ପୁଲିସ କର୍ମଚାରୀମାନେ ମଧ୍ୟ ଢ଼େଲାମାଡ଼ କରିଥିବା କିଛି ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି । ଥାନା ସମ୍ମୁଖରେ ଉତ୍ତେଜନା ବୃଦ୍ଧି ପାଉଥିବା ଯୋଗୁଁ ପ୍ରଶାସନ ଅକଳରେ ପଡ଼ିଥିଲା। ବିଧାୟକ ସରକାରଙ୍କ ସହ କଥା ହେବା ଓ ସନ୍ଧ୍ୟା ସୁଦ୍ଧା ପୁରୁଣା ସ୍ଥାନରେ ଡ଼ାକ୍ତରଖାନା କାର୍ଯ୍ୟକାରୀ କରିବାକୁ ଲୋକମାନେ ଜିଦ୍ ଧରି ବସିଥିଲେ। ଶେଷରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ବିଧାୟକ ଓ ଜିଲାପାଳ ଆଲୋଚନା କରିବା ପରେ ପୁରୁଣା ଡ଼ାକ୍ତରଖାନାରେ ରୋଗୀସେବା ଆରମ୍ଭ କରିବାକୁ ବ୍ୟବସ୍ଥା ହୋଇଥିଲା। ବିଧାୟକ ଓ ଜିଲାପାଳ ଥାନା ବାହାରକୁ ଆସି ଏ ସମ୍ପର୍କରେ ଆନ୍ଦୋଳନକାରୀଙ୍କୁ ସୂଚନା ଦେବା ପରେ ଲୋକମାନେ ଥାନା ସମ୍ମୁଖରୁ ହଟିଥିଲେ।
ପୁରୁଣା ମେଡିକାଲ ବରଗଡ ସହରରୁ ୮ କିମି ଦୂର ଟୁକୁର୍ଲାକୁ ଯିବା ପାଇଁ ବହୁ ଦିନରୁ ଯୋଜନା ରହିଥିଲା। ବହୁକୋଟି ଟଙ୍କା ବ୍ୟୟରେ ଟୁକୁର୍ଲାଠାରେ ଏକ ସ୍ୱାସ୍ଥ୍ୟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲଶ। ଜାନୁଆରୀ ୨୧ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁକୁର୍ଲାସ୍ଥିତ ନୂତନ ମୁଖ୍ୟ ଚିକିତ୍ସାଳୟକୁ ଲୋକାର୍ପିତ କରିଥିଲେ। ଫବ୍ରୁଆରୀ ୧ ତାରିଖରୁ ସଦର ମୁଖ୍ୟ ଚିକିତ୍ସାଳୟରୁ ସମସ୍ତ ସାମଗ୍ରୀ ସହିତ ଡାକ୍ତରଖାନା ଟୁକୁର୍ଲାକୁ ସ୍ଥାନାନ୍ତରିତ ହୋଇଯାଇଛି। ତେବେ ବରଗଡ଼ ସହର ମଧ୍ୟସ୍ଥଳରେ ଥିବା ସଦର ମେଡ଼ିକାଲକୁ ସିଟି ହସ୍ପିଟାଲରେ ରୂପାନ୍ତରିତ କରି ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ବରଗଡ଼ବାସୀ ଦାବି କରି ଆସୁଥିଲେ। ମାତ୍ର ଏଠାରେ ଡ଼ାକ୍ତରଖାନାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବାକୁ ନେଇ ଲୋକଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଥିଲା ଓ ଯାହା ଆଜି ବିସ୍ଫୋରକ ରୂପ ଧାରଣ କରିଥିଲା।



