ଭୁବନେଶ୍ଵର: ବିମାନବନ୍ଦରରେ ନିର୍ମାଣାଧୀନ ଟର୍ମିନାଲ ଲିଙ୍କ୍ ବିଲ୍ଡିଂ ଛାତ ଭୁଶୁଡ଼ିବା ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ରାଜ୍ୟ ମାନବାଧିକାର କମିଶନ ନିର୍ଦେଶ ଦେଇଛନ୍ତି। ଏହି ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକ ଅନ୍ତର୍ଯ୍ୟାମୀ ଗୁରୁଙ୍କ ପରିବାରକୁ ଅଢ଼େଇ ଲକ୍ଷ ଟଙ୍କା ଏବଂ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବା ଲାଗି କମିଶନ ଠିକା ସଂସ୍ଥା ଦିଲୀପ କନଷ୍ଟ୍ରକ୍ସନକୁ ନିର୍ଦେଶ ଦେଇଛନ୍ତି। ସଂସ୍ଥା କ୍ଷତିପୂରଣ ନ ଦେଲେ ବିଲ୍ରୁ ଟଙ୍କା କାଟି କ୍ଷତିପୂରଣ ଦେବାକୁ କମିଶନ ଭାରତୀୟ ବିମାନବନ୍ଦର ପ୍ରାଧିକରଣ କର୍ତ୍ତୃପକ୍ଷ(ଏଏଆଇ)କୁ ଆଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବ। ଏହି ଦିନ ଏଏଆଇ ଏବଂ ଠିକା ସଂସ୍ଥାକୁ ହାଜର ହେବାକୁ କମିଶନ ନିର୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ଶୁକ୍ରବାର ରାତିରେ ବିମାନବନ୍ଦରରେ ନ୍ୟୁ ଆରାଇଭାଲ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଛାତ ଭୁଶୁଡ଼ି ପଡ଼ିଥିଲା। ଏହା ତଳେ ୨ ଜଣ ଶ୍ରମିକ ଚାପି ହୋଇ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ଅନ୍ତର୍ଯ୍ୟାମୀ ଗୁରୁ ନାମକ ଶ୍ରମିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।



