ଭାରତ, ଚୀନ ପରସ୍ପରର ସ୍ୱାର୍ଥପ୍ରତି ସମ୍ବେଦନଶୀଳ ହେବା ଦରକାର: ମୋଦୀ

0

ସିଙ୍ଗାପୁର : ଭାରତ ଓ ଚୀନ ଦୁଇ ପଡୋଶୀ ରାଷ୍ଟ୍ର ପରସ୍ପରର ସ୍ୱାର୍ଥ ପ୍ରତି ସମ୍ବେଦନଶୀଳ ହେବା ଦରକାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସେ କହିଛନ୍ତି ଯେ ଭାରତ-ଚୀନ ଯଦି ଏକାଠି କାମ କରିବେ ତେବେ ଏହା ଏସିଆ ମହାଦେଶ ସମେତ ସମଗ୍ର ବିଶ୍ୱ ପାଇଁ ଶୁଭଙ୍କର ହେବ। ଶୁକ୍ରବାର ସାଙ୍ଗ୍ରି-ଲା-ଡାଇଲଗ୍‍ରେ ଉଦ୍‍ବୋଧନ ଦେଇ ମୋଦୀ କହିଛନ୍ତି ‘ମୋର ଦୃଢ ବିଶ୍ୱାସ ଭାରତ ଓ ଚୀନ ପରସ୍ପରର ସ୍ୱାର୍ଥ ପ୍ରତି ସମ୍ବେଦନଶୀଳ ହୋଇ ବିଶ୍ୱାସ ପୂର୍ବକ ଏକାଠି କାମ କରିବେ ତେବେ ଏହା ଏସିଆ ମହାଦେଶ ଓ ବିଶ୍ୱ ପାଇଁ ହିତକର ହେବ।’ ଏପ୍ରିଲରେ ମୋଦୀ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ଅନୌପଚାରିକ ସମିତିରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗର ଆଲୋଚନା କରିଥିଲେ। ଚୀନରେ ହୋଇଥିବା ଦୁଇ ନେତାଙ୍କର ଅନୌପଚାରିକ ସମିତିରେ ପରସ୍ପରର ବିଶ୍ୱାସଭାଜନ ପାଇଁ ପଦକ୍ଷେପ ନେବାକୁ ସମ୍ମତି ପ୍ରକାଶ କରାଯାଇଥିଲା। ଜିନ୍‍ପିଙ୍ଗଙ୍କ ସହିତ ଅନୌପଚାରିକ ସମିତିରେ ଯୋଗଦେବାର ମାସକ ପରେ ମୋଦୀ ସିଙ୍ଗାପୁରରେ ସାଙ୍ଗ୍ରି-ଲା-ଡାଇଲଗ୍‍ରେ ଏପରି କହିଛନ୍ତି। ସେ କହିଛନ୍ତି ଯେ ଭାରତ-ଚୀନ ଦ୍ୱିପାକ୍ଷିକ ସମସ୍ୟା ସମାଧାନ କରିବାରେ ଯେଉଁ ପରିପକ୍ୱତା ଓ ଜ୍ଞାନ ଗରିମା ଦେଖାଇଛନ୍ତି ତାହା ପ୍ରଶଂସନୀୟ। ଏହାଦ୍ୱାରା ବିଶ୍ୱର ଦୁଇଟି ବୃହତ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇବାରେ ଲାଗିଛି।

Leave A Reply