ରମଣଙ୍କ ମନ୍ତବ୍ୟ ନିନ୍ଦନୀୟ : ଧର୍ମେନ୍ଦ୍ର

0

ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଡ. ରମଣ ସିଂହ ଦେଇଥିବା ବକ୍ତବ୍ୟ ନିନ୍ଦନୀୟ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋକ୍‌ଠୋକ୍‌ କହିଛନ୍ତି। ଶୁକ୍ରବାର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାନଦୀ ପ୍ରସଙ୍ଗରେ ରମଣ ସିଂହ ଭୁଲ୍‌ ମନ୍ତବ୍ୟ ରଖିଛନ୍ତି। ଏନେଇ ବିଜେପିର ମତ ବହୁତ ସ୍ପଷ୍ଟ। ଓଡିଶାର ସ୍ୱାର୍ଥ ସହ ବୁଝାମଣା ହେବାକୁ କେବେ ବି ଦିଆ ଯିବନାହିଁ । ତତ୍କାଳୀନ ଜଳ ସମ୍ପଦମନ୍ତ୍ରୀ ଡ. ସଂଜୀବ ବାଲିୟାନ ସଂସଦରେ ଛତିଶଗଡ ଭୁଲ୍‌ କରିଛି ବୋଲି କହିଥିଲେ। ତାଙ୍କର ବକ୍ତବ୍ୟକୁ ବିଜେଡି ବିଭିନ୍ନ ସମୟରେ ଦୋହରାଇଥିଲା। ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ବିଜେପି ପ୍ରଥମରୁ ମତ ଦେଇ ଆସିଥିଲା। ପ୍ରଚଳିତ ନିୟମରେ ଟ୍ରାଇବୁନାଲ ଗଠନ ହେଲେ ସମାଧାନ ପାଇଁ ଦୀର୍ଘ ସମୟ ନେଉଥିବାରୁ ବୁଝାମଣା ଭିତରେ ସମାଧାନ ପାଇଁ ବିଜେପି ଗୁରୁତ୍ୱ ଦେଇଥିଲା।
ମାତ୍ର ରାଜ୍ୟ ସରକାରଙ୍କ ମାମଲା ଯୋଗୁଁ ଏବେ ପ୍ରସଙ୍ଗ ଟ୍ରାଇବ୍ୟୁନାଲରେ ବିଚାରଧୀନ ରହିଛି। ହେଲେ ଏହି ପ୍ରସଙ୍ଗରେ ଶାସକ ବିଜେଡି ଅଧା କଥା କହି ଅଧା କଥା ଲୁଚାଇବାକୁ ଚେଷ୍ଟା କରୁଛି । ୧୮ ବର୍ଷର ରାଜ୍ୟ ସରକାର ହୀରାକୁଦର ତଳ ମୁଣ୍ଡରେ ବାଲଟିଏ ପାଣି ସଂରକ୍ଷଣ କରିବାର ବ୍ୟବସ୍ଥା କରି ନଥିବା ଅପାରଗତାକୁ ଲୁଚାଇବା ପାଇଁ କେବଳ ଭେଳିକି ରଚନା କରୁଛି। ବିଧାନସଭାରେ ରାଜ୍ୟ ସରକାର ମହାନଦୀର ଅଧେ ପାଣି ସମୁଦ୍ରକୁ ବହି ଯିବା ସମ୍ପର୍କରେ ଦେଇଥିବା ତଥ୍ୟର ସ୍ପଷ୍ଟୀକରଣ କାହିଁକି ଦେଉ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
ସେ କହିଥିଲେ ଯେ ବିଜେଡିର ଅର୍ଜୁନ ସେଠୀ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଥିବା ବେଳେ କଣ ବକ୍ତବ୍ୟ ରଖିଥିଲେ ସେ ସମ୍ବନ୍ଧରେ ବିଜେଡି ମତ ସ୍ପଷ୍ଟ କରୁ । ଛତିଶଗଡ ଭୁଲ କରିଛି। ହେଲେ ମହାନଦୀର ପାଣି ଓଡିଶା କାହିଁକି ଅଟକେଇ ପାରି ନାହିଁ ତାର ଉତ୍ତର ଓଡିଶା ଲୋକ ମାଗୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଛତିଶଗଡ ସମ୍ପର୍କରେ ଟ୍ରାଇବୁନାଲରେ ନ୍ୟାୟ ମିଳିବ। କିନ୍ତୁ ମହାନଦୀ ପାଣିର କାହିଁକି ସଂରକ୍ଷଣ ହେଲା ନାହିଁ ଏହାର ଉତ୍ତର କେବଳ ବିଜେଡି ସରକାରଙ୍କୁ ଦେବାକୁ ପଡିବ ବୋଲି ସେ କହିଛନ୍ତି। ମୋଦି ସରକାରଙ୍କ ୪୮ ମାସରେ କରିଥିବା ୪୮ଟି ଜନହିତକର ଯୋଜନାରେ ଓଡ଼ିଶାକୁ କିଭଳି ଶ୍ରେୟ ଦିଆଯାଇଛି ସେନେଇ ଶ୍ରୀ ପ୍ରଧାନ ଶୁକ୍ରବାର ବିଜେପି କାର୍ଯ୍ୟାଳୟରେ ବଖାଣିଛନ୍ତି। ଏନ୍‌ଡିଏ ସରକାରର ଏକ ସଫଳତା ପୁସ୍ତିକା ଲୋକାର୍ପିତ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ଛଡା ନୀତି ସଂସ୍କାର ଯୋଗୁ ଓଡିଶା ଭଳି ରାଜ୍ୟ ଆର୍ଥିକ ଦୃଷ୍ଟିରୁ ଅଧିକ ଲାଭବାନ ହୋଇପାରିଛି। ତ୍ରୟୋଦଶ ଅର୍ଥ କମିଶନରେ ଓଡ଼ିଶାକୁ ଯେତିକି ଅର୍ଥ ମିଳିଥିଲା ତା’ର ଦୁଇଗୁଣାରୁ ଅଧିକ ଅର୍ଥ ଗତ ୪ବର୍ଷରେ ଚତୁର୍ଦଶ ଅର୍ଥକମିଶନରେ ଓଡ଼ିଶା ପାଇଛି। ଖଣି ନିଲାମ ଯୋଗୁ କୋଇଲା ବ୍ଲକ ଆବଣ୍ଟନରୁ ଲିଜ ଅବଧି ମଧ୍ୟରେ ୪୦,୦୫୭ କୋଟି ଓ ଲୁହାପଥର ତଥା ଅନ୍ୟାନ୍ୟ ଖଣିଜ ଦ୍ରବ୍ୟରୁ ୩୧,୭୨୬ କୋଟି ଟଙ୍କା ମିଳିବାକୁ ରହିଥିବାବେଳେ ଜିଲା ଖଣିଜ ପାଣ୍ଠି ବାବଦରେ ଓଡ଼ିଶାକୁ ୪୩୦୦ କୋଟି ଟଙ୍କା ପହଞ୍ଚି ସାରିଲାଣି। ପୂର୍ବରୁ ଏହି ଅର୍ଥ ଖଣିଜ ରାଜ୍ୟକୁ ମିଳୁ ନଥିଲା। ସେହିପରି ରାଷ୍ଟ୍ରୀୟ କମ୍ପାନୀ ଲ’ ଟ୍ରାଇବୁନାଲ ଗଠନ ଯୋଗୁଁ ଦେବାଳିଆ ଭୂଷଣ କମ୍ପାନୀର କାରଖାନାର ‘ବ୍ୟାଙ୍କ ଋଣ ଓ ସାଧାରଣ ଲୋକଙ୍କ ରୋଜଗାର’ ବ୍ୟାଙ୍କମାନଙ୍କ ଦ୍ୱାରା ନିଲାମ ଯୋଗୁଁ ସୁରକ୍ଷିତ ହୋଇଛି। ୧୦ଟି ଆକାଂକ୍ଷୀ ଜିଲାର ବିକାଶ କାମ ସିଧା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତଦାରଖ ହେଉଛି। ରେଳ,ଜାତୀୟ ରାଜପଥ, ଆକାଶପଥରେ ସଂଯୋଗ, ଜଳପଥ, ଗ୍ରାମ ସଡକ ଆଦିରେ ୟୁପିଏ ଶାସନ ତୁଳନାରେ ବ୍ୟାପକ ବୃଦ୍ଧି ହୋଇଛି। ଗ୍ୟାସ୍‌, ବିଜୁଳି, ପକ୍କାଘର, ପାଇଖାନା , ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ହୋଇଥିବାବେଳେ ପାଇକ ବିଦ୍ରୋହ ୨ଶତାବ୍ଦୀ , କୋଣାର୍କର ବିକାଶ, ନବକଳେବରରେ ସହଯୋଗ ଓଡିଆ ସମ୍ମାନ ବଢାଇଛି। ସବୁଜ ବିପ୍ଲବ ୨.୦ ଯୋଜନାରେ କୃଷି ଉତ୍ପାଦନରେ ସ୍ଥିରତା,ଉତ୍ପାଦନକୁ ଉଚିତ ମୂଲ୍ୟ ଓ ଉତ୍ପାଦନକୁ ବଜାର ସହ ଯୋଡିବା ପାଇଁ ମୋଦି ସରକାରଙ୍କ ନୀତି ଓଡିଶା ପ୍ରତି ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ସମ୍ମିଳନୀରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ ଓ ଗୋଲକ ମହାପାତ୍ର ଏବଂ ବରିଷ୍ଠ ନେତା ଜୟରାମ ପାଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply