ଅର୍‍ବାଜ୍‍ଙ୍କୁ ପୁଲିସ ସମନ

0

ଥାନେ : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୧୧ଶ ସଂସ୍କରଣ ସମାପ୍ତ ହେବାର ସପ୍ତାହ ନ ପୂରୁଣୁ ଏହାକୁ ନେଇ ଏକ ବଡ଼ ବିବାଦ ପଦାକୁ ଆସିଛି। ଆଇପିଏଲ୍‍-୧୮ରେ ପାଖାପାଖି ୧୦୦୦ କୋଟି ଟଙ୍କାର ବେଟିଂ ହୋଇଥିବାର କଥା ଜଣାପଡ଼ିଛି। ଏହି ବେଟିଂ ପାକିସ୍ତାନରେ ଆତ୍ମଗୋପନ କରୁଥିବା କୁଖ୍ୟାତ ଅଣ୍ଡରୱାର୍ଲଡ ଡନ୍‍ ଦାଉଦ୍‍ ଇବ୍ରାହିମ୍‍ର ଗ୍ୟାଙ୍ଗ୍‍ ବା ଡି-ଗ୍ୟାଙ୍ଗ୍‍ ଦ୍ୱାରା କରା ଯାଇଥିବା ସୁରାକ୍‍ ଥାନେ ପୁଲିସ ପାଇପାରିଛି। ଡି-ଗ୍ୟାଙ୍ଗ୍‍ ସହ ସମ୍ପର୍କ ରଖିଥିବା ଜଣେ କୁଖ୍ୟାତ ବୁକି ସୋନୁ ଜଲାନ୍‍କୁ ଥାନେ ପୁଲିସ ଗିରଫ କରିବା ପରେ ତା’କୁ ଜେରା ବେଳେ ବହୁତ ତଥ୍ୟ ସମ୍ମୁଖକୁ ଆସିଛି।
ମେ’ ୨୯ରେ ଗିରଫ ହୋଇଥିବା ସୋନୁ ଜାଲାନ୍‍କୁ ଜେରା ବେଳେ ଥାନେ ପୁଲିସ ଜାଣିପାରିଛି ତା’ ପାଖରେ ଅର୍ଥ ଖଟାଉଥିବା ନାମୀଦାମୀ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ପ୍ରମୁଖ ହେଲେ ପ୍ରଖ୍ୟାତ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା, ନିର୍ଦେଶକ ଓ ପ୍ରଯୋଜକ ଅରବାଜ୍‍ ଖାଁ। ଜେରା ବେଳେ ସୋନୁ ପ୍ରକାଶ କରିଥିଲା ଯେ ବହୁତବର୍ଷ ହେଲା ଅର୍‍ବାଜ୍‍ ତା’ ପାଖରେ କ୍ରିକେଟ ମ୍ୟାଚ୍‍ରେ ବାଜି ଲଗାଉଥିଲେ ବା ବେଟିଂ କରୁଥିଲେ। ଏହାସହ ସୋନୁ ଘରୁ ପୁଲିସକୁ ମିଳିଥିବା ଡାଏରୀରୁ ଅର୍‍ବାଜଙ୍କ ନାମ ମିଳିଛି ଏବଂ ତା’ର ମୋବାଇଲ୍‍ ଫୋନ୍‍ରୁ ଅର୍‍ବାଜଙ୍କ ସହ ସୋନୁର ଫଟୋ ମଧ୍ୟ ମିଳିଛି। ଏହି ଆଧାରରେ ଅର୍‍ବାଜଙ୍କୁ ଥାନେ ପୁଲିସ ସମନ ଜାରିକରିଛି। ୨ ସପ୍ତାହ ମଧ୍ୟରେ ହାଜରହୋଇ ବୟାନ ରେକର୍ଡ କରିବାକୁ ଅର୍‍ବାଜଙ୍କୁ ପୁଲିସ ନିର୍ଦେଶ ଦେଇଛି। ପୂର୍ବରୁ ଆଇପିଏଲ୍‍ ବେଟିଂରେ ଅଭିନେତା ବିନ୍ଦୁ ଦାରାସିଂହଙ୍କ ନାମ ଆସିଥିବା ବେଳେ ସୁପରଷ୍ଟାର୍‍ ସଲ୍‍ମାନ ଖାଁଙ୍କ ସାନଭାଇ ଅର୍‍ବାଜଙ୍କ ନାମ କ୍ରିକେଟ ବେଟିଂରେ ଆସିବା
ବଲିଉଡ୍‍ରେ ହଇଚଇ ସୃଷ୍ଟିକରିଛି। କେବଳ ଅର୍‍ବାଜ ନୁହନ୍ତି; ବଲିଉଡ୍‍ର ଆହୁରି ବହୁତ ନାମୀ ବ୍ୟକ୍ତିତ୍ୱ ତାଙ୍କ ଜରିଆରେ କ୍ରିକେଟ୍‍ରେ ବେଟିଂ କରୁଥିବା ଜେରା ବେଳେ ସୋନୁ ଜଲାନ୍‍ କହିଛି। କେବଳ ଏତିକି ନୁହେଁ; ସୋନୁର କହିବା ଅନୁସାରେ, ଆରମ୍ଭରୁ ଅର୍‍ବାଜ ଖାଁ କ୍ରିକେଟ ବେଟିଂରୁ ବହୁତ ଲାଭ କମାଇଥିଲେ। ଫଳରେ ଧିରେଧିରେ ସେ ଅଧିକ ପଇସା ଲଗାଇଥିଲେ। ତେବେ ଗତ ଆଇପିଏଲ୍‍ରେ ଅର୍‍ବାଜ ବହୁତ ଆର୍ଥିକ କ୍ଷତି ସହିଥିଲେ। ଅର୍‍ବାଜ୍‍ ତା’କୁ ୨ କୋଟି ୮୩ ଲକ୍ଷ ଟଙ୍କା ଦେବାର ଥିଲେ ହେଁ ବାରମ୍ବାର ମାଗିବା ସତ୍ତ୍ବେ ଅର୍‍ବାଜ ଏହା ଦେଇନଥିଲେ। ତେଣୁ ଅର୍‍ବାଜଙ୍କ ସହ କଥାବାର୍ତ୍ତା ବେଳେ ସୋନୁ ଜଲାନ୍‍ ଗୋପନ କ୍ୟାମେରାରେ ଯେଉଁ ରେକର୍ଡଂ କରିଥିଲା; ତାହାକୁ ସବୁ ସୋସିଆଲ ମିଡିଆରେ ଛାଡ଼ିଦେବାର ଧମକ ମଧ୍ୟ ଅର୍‍ବାଜଙ୍କୁ ସୋନୁ ବ୍ଲାକ୍‍ମେଲ କରୁଥିଲା।
ସୂଚନାଯୋଗ୍ୟ; ମେ’ ୧୬ରେ ପୁଲିସ ଥାନେର ଏକ ଆପାର୍ଟମେଣ୍ଟରେ ବେଟିଂ ଚାଲିଥିବା ଖବର ପାଇ ଥାନେ କ୍ରାଇମ୍‍ବ୍ରାଞ୍ଚ୍‍ ଚଢ଼ଉ କରିଥିଲା। ସେଠାରୁ ୩ ଜଣଙ୍କୁ ଗିରଫ କରା ଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ୨ ଜଣଙ୍କୁ ଗିରଫ କରା ଯାଇଥିଲା। ସେମାନଙ୍କ ମଧ୍ୟରେ କୁଖ୍ୟାତ ବୁକି ସୋନୁ ଜଲାନ୍‍ ଥିଲା। ପଚରାଉଚୁରା ସମୟରେ ଜଲାନ୍‍ ବର୍ଷକୁ ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବେଟିଂ ଽାକେଟ୍‍ ଚଳାଉଥିବା ସୂଚନା ଦେଇଥିଲା। ତାଙ୍କ ଽାକେଟ୍‍ ଗତ ଆଇପିଏଲ୍‍ରେ ୫୦୦ କୋଟି ଟଙ୍କାର ରୋଜଗାର କରିଥିଲା। ଏହି ରାକେଟ୍‍ରେ ବହୁ ବିଶିଷ୍ଟ ବ୍ୟକ୍ତିଥିବା ସେ ପୁଲିସକୁ କହିଥିଲା। ଅର୍‍ବାଜ୍‍ ଖାଁ ବେଟିଂରେ ଜଡ଼ିତ ଥିବା ସୋନୁ କହିବା ପରେ ସତ୍ୟାସତ୍ୟ ଜାଣିବାକୁ ଅରବାଜ୍‍ଙ୍କୁ ପୁଲିସ ସମନ କରଛି। ବେଟିଂରେ ଜଡ଼ିତ ଅନ୍ୟାନ୍ୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ସୂଚନା ସଂଗ୍ରହ ଚାଲିଛି ଏବଂ ଖୁବ୍‍ ଶୀଘ୍ର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନେ ପୁଲିସର ଜନୈକ ଅଧିକାରୀ ସୂଚନା ଦେଇଛନ୍ତି।

ସାରାବିଶ୍ୱରେ ସୋନୁର ନେଟ୍‍ୱର୍କ

ମୁମ୍ବଇ : କ୍ରିକେଟ ବେଟିଂର ପ୍ରମୁଖ ସୂତ୍ରଧର ସୋନୁ ଜଲାନ୍‍ ଓରଫ ସୋନୁ ମଲାଡ୍‍ ଥାନେ ପୁଲିସ କ୍ରାଇମ୍‍ବ୍ରାଞ୍ଚ୍‍ ଦ୍ୱାରା ଗିରଫ ହେବା ପରେ ଧିରେଧିରେ ବହୁତ ତଥ୍ୟ ସମ୍ମୁଖକୁ ଆସୁଛି। ପାଖାପାଖି ୨ ଦଶନ୍ଧି ହେଲା ସୋନୁ ଏକ ବେଟିଂ ସିଣ୍ଡିକେଟ୍‍
ପାଇଁ କାମ କରୁଥିଲା। ଏହି ସିଣ୍ଡିକେଟ୍‍ ପାକିସ୍ତାନର କରାଚିରୁ ନିୟନ୍ତ୍ରିତ ହେଉଥିଲା ଏବଂ
ସାରାବିଶ୍ୱରେ ଏହାର ଶାଖା ରହିଛି। ଭାରତରେ ଏହି ସିଣ୍ଡିକେଟ୍‍ ଦିଲ୍ଲୀ, କଲକାତା, ରାଜସ୍ଥାନ, ଗୁଜରାଟ, ହରିୟାଣା ଓ ମୁମ୍ବଇରେ କାମ କରୁଥିଲା। ସୋନୁ ମୁମ୍ବଇ ସହ ସାରାଦେଶର କଥା ବୁଝୁଥିଲା। ବିଦେଶରେ ମଧ୍ୟ ଏହି ସିଣ୍ଡିକେଟ୍‍ ବେଶ୍‍ ସକ୍ରିୟ ଥିଲା। ଏହାର ଶାଖା ଆଫ୍‍ଗାନିସ୍ତାନ,
ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ସାଉଦି ଆରବରେ ଅଛି। ଦାଉଦ୍‍ ଇବ୍ରାହିମ୍‍ ଲାଗି ସୋନୁ ବେଟିଂ ଗ୍ରହଣ କରୁଥିଲା। ଦୁବାଇରେ ଦାଉଦ୍‍ର ଦୁଇ ସହଯୋଗୀ ରଇସ୍‍ ସିଦ୍ଦିକି ଓ ଅନୀଲ କୋଠାରି ସହ ନିରନ୍ତର ସମ୍ପର୍କରେ ଥିଲା। ଥାନେ କ୍ରାଇମ୍‍ବ୍ରାଞ୍ଚ୍‍ ସୂତ୍ରରୁ ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ୟୁଏଇରେ ଖେଳା ଯାଇଥିବା ଏକ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍‍କୁ ଫିକ୍ସ କରିବା ଲାଗି ସୋନୁ ଦୁବାଇରେ ଏକ ବୈଠକ ଆୟୋଜନ କରିଥିଲା। ଏଥିରେ ବହୁତ କୁଖ୍ୟାତ ବ୍ୟକ୍ତି ସାମିଲ ଥିଲେ। ତେବେ ଉକ୍ତ ମ୍ୟାଚ୍‍ ଫିକ୍ସ ହୋଇଥିଲା କି ନାହିଁ; ତାହା ସ୍ପଷ୍ଟଭାବେ ଜଣା ପଡ଼ିନାହିଁ। ଚଢ଼ଉ ବେଳେ ସୋନୁ ଘରୁ ଏକ ଡାଏରୀ ଜବତ ହୋଇଛି। ଏଥିରୁ ସାରାବିଶ୍ୱରେ ଥିବା ତା’ର ସହଯୋଗୀ ବୁକିଙ୍କ ନାମ ଏବଂ ସେମାନଙ୍କ ଫୋନ୍‍ ନମ୍ବର ପୁଲିସ ପାଇଛି। ତେବେ ଉକ୍ତ ଡାଏରୀରେ କୌଣସି କ୍ରିକେଟରଙ୍କ ନାମ ରହିଛି କି ନାହିଁ; ତାହା ଜଣା ପଡ଼ିନାହିଁ। ଅର୍‍ବାଜ ଖାଁଙ୍କ ସହ ସୋନୁର ସମ୍ପର୍କ ୩ ବର୍ଷ ପୁରୁଣା ଏବଂ ଦୁହେଁ ଏକାଠି ବହୁତ ପାର୍ଟିରେ ଯୋଗ ଦେଇଥିଲେ। ଚେନ୍ନଇ ସୁପର କିଙ୍ଗ୍‍ସ ଓ ସନ୍‍ରାଇଜର୍ସ ହାଇଦରାବାଦ ମଧ୍ୟରେ ଖେଳା ଯାଇଥିବା ଗତ ଆଇପିଏଲ୍‍ ମ୍ୟାଚ୍‍ରେ ସୋନୁ ୧୦ କୋଟି ଟଙ୍କାର ଲାଭ ପାଇଛି ବୋଲି ପୁଲିସକୁ କହିଛି।

Leave A Reply