ଶୌଚାଳୟ ବ୍ୟବହାର ନେଇ ସଚେତନ କଲେ ଜିଲ୍ଲାପାଳ

0

ପିପିଲି : ପୁରୀ ଜିଲାପାଳ ଅରବିନ୍ଦ ଅଗ୍ରୱାଲ  ଶୁକ୍ରବାର ଭୋର ୪ଟା ସମୟରେ ଅଚାନକ ପିପିଲି ବ୍ଲକର ବିଭିନ୍ନ ଗ୍ରାମକୁ ପରିଦର୍ଶନ କରି ଗ୍ରାମବାସୀଙ୍କୁ ପାଇଖାନା ବ୍ୟବହାର କରି ଗ୍ରାମ୍ୟ ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ ରଖିବାକୁ ପରାମର୍ଶ ଦେଇଥିଲେ।
ଜିଲାପାଳ ଶ୍ରୀ ଅଗ୍ରୱାଲ ରାତିରେ କୁଳଶିଖରପାଟଣା ଗ୍ରାମର ଆବଲପୁର, ମଙ୍ଗଳପୁର ପଞ୍ଚାୟତର ବରଜୁପାଟଣା,ମୁର୍ଦ୍ଧନୀପୁର, ମନହରା, ଦୁର୍ଗାଦାଶପୁର ପଞ୍ଚାୟତର ଜମାଲପୁର ଆଦି ଗ୍ରାମକୁ ଅଚାନକ ପରିଦର୍ଶନ କରିଥିଲେ। ଗ୍ରାମର ରାସ୍ତା କଡରେ ଓ କେନାଲ ବନ୍ଧରେ ମଳତ୍ୟାଗ କରୁଥିବା ବ୍ୟକ୍ତିଙ୍କୁ ସେ ପାଇଖାନା ବ୍ୟବହାର କରିବାକୁ ପରାମର୍ଶ ଦେବା ସହ ନିଜ ଗ୍ରାମକୁ ସ୍ୱଚ୍ଛ, ନିର୍ମଳ ରଖି ନିଜେ ସୁସ୍ଥ ରହିବାକୁ ସେ ସଚେତନ କରାଇଥିଲେ। ଯେଉଁମାନେ ପାଇଖାନା ବ୍ୟବହାର ନକରିବେ ସେମାନଙ୍କ ରାସନ କାର୍ଡ କାଟି ଦେବାକୁ ସେ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।

୧୫ ଦିନ ମଧ୍ୟରେ ସମସ୍ତଙ୍କୁ ପାଇଖାନା ନିର୍ମାଣ କରି ବ୍ୟବହାର କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଗ୍ରାମମାନଙ୍କରେ ଥିବା କେତେକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହକୁ ଜିଲାପାଳ ପରିଦର୍ଶନ କରି ସେଠାରେ ପାଇଖାନା ନିର୍ମାଣ ହୋଇଛି ନା ନାହିଁ ତାହାର ତଦାରଖ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉପକୃତ ହୋଇଥିବା ହିତାଧିକାରୀମାନେ ୧୫ ଦିନ ମଧ୍ୟରେ ପାଇଖାନା ନିର୍ମାଣ କରି ବ୍ୟବହାର ନକଲେ ସେମାନଙ୍କ ଠାରୁ ଟଙ୍କା ରିକଭରି କରାଯିବ ବୋଲି ଜିଲାପାଳ ଚେତାବନୀ ଦେଇଥିଲେ। ମୁର୍ଦ୍ଧନୀପୁର ଗ୍ରାମର ହାଡୁବନ୍ଧୁ ମୁଦୁଲିଙ୍କ ପରିବାର ପାଇଖାନା ବ୍ୟବହାର କରୁଥିବା ଦେଖିବା ପରେ ଜିଲାପାଳ ତାଙ୍କୁ ଗୋଲାପ ଫୁଲ ଦେଇ ଉତ୍ସାହିତ କରିଥିଲେ। ତୁଳସୀଚାଷ କରି ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ଦୈନିକ ତୁଳସୀମାଳ ପଠାଉଥିବା ଜମାଲପୁର ଗ୍ରାମର ସରସ୍ୱତୀ ନାୟକଙ୍କୁ ଜିଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଜିଲାପାଳ ପୁଷ୍ପଗୁଚ୍ଛ ଦେଇ ଉତ୍ସାହିତ କରିଥିଲେ। ଟ୍ୟୁସନକୁ ଯାଉଥିବା ଆବଲପୁର ଗ୍ରାମର କେତେକ ଛାତ୍ରଛାତ୍ରୀ ପାଇଖାନା ବ୍ୟବହାର କରୁଥିବା ଓ ସାବୁନରେ ହାତ ଧୋଉଥିବା ସଂପର୍କରେ ଜିଲାପାଳ ସେମାନଙ୍କ ଠାରୁ ଶୁଣିବା ପରେ ଖୁସି ହୋଇ ସେମାନଙ୍କୁ ଗୋଲାପ ଫୁଲ ଦେଇ ଉତ୍ସାହିତ କରିଥିଲେ। ଗ୍ରାମକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ଦିଗରେ କାର୍ଯ୍ୟକରୁଥିବା ମୁର୍ଦ୍ଧନୀପୁର ଗ୍ରାମର ମହିଳାମାନଙ୍କୁ ମଧ୍ୟ ଜିଲାପାଳ ଫୁଲ ଦେଇ ଉତ୍ସାହିତ କରିଥିଲେ। ଓଡିଏଫ୍‍ ହୋଇଥିବା ଗ୍ରାମର ଯାଞ୍ଚ କମିଟିକୁ ମାସକ ଏକ ହଜାର ଟଙ୍କା ଲେଖାଏଁ ୩ମାସ ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ଜିଲାପାଳ ସାମ୍ବାଦିକମାନଙ୍କୁ କହିଥିଲେ। ଜିଲାପାଳଙ୍କ ଏହି ଗସ୍ତ ସମୟରେ ପିପିଲି ତହସିଲଦାର ଶ୍ରୀଧର ବିଶ୍ୱାଳ, ବିଡିଓ ଶ୍ୟାମସୁନ୍ଦର ଟୁଡୁ, ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ, ଉପାଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, ସମିତିସଭ୍ୟ ତଥା ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ଧରଣୀଧର ସାହୁ, ସମାଜସେବୀ ଆର୍ତ୍ତବନ୍ଧୁ ସାମନ୍ତରାୟ, ମନୋଜ ଦାଶ, ପ୍ରଦୀପ ସାହୁ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ୱାର୍ଡ ସଭ୍ୟ, ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ, ଏସ୍‍ଏଚ୍‍ଜି ଗୃପ୍‍ ଓ ମହିଳା ମହାସଂଘର ସଦସ୍ୟା ମାନେ ଉପସ୍ଥିତ ଥିଲେ।
ସେହିପରି ପୁରୀର ପିଡି ଡିଆର୍‍ଡିଏ, ଅତିରିକ୍ତ ଜିଲାପାଳ, ଉପଜିଲାପାଳ, ଆର୍‍ଡବ୍ଲ୍ୟୁଏସ୍‍ଏସ୍‍ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ବୀରପୁରୁଷୋତ୍ତମପୁର, ସହଜପୁର, ଦୁର୍ଗାଦାଶପୁର ଓ ଯଶୁଆପୁର ପଞ୍ଚାୟତର ବିଭିନ୍ନ ଗ୍ରାମକୁ ରାତିରେ ଅଚାନକ ପରିଦର୍ଶନ କରି ସେଠାକାର ଅଧିବାସୀଙ୍କୁ ପାଇଖାନା ବ୍ୟବହାର କରିବା ସଂପର୍କରେ ସଚେତନ କରିଥିଲେ।

Leave A Reply