ସିମ୍‍ଲାରେ ପାନୀୟ ଜଳ ସଙ୍କଟ

0

ସିମଲା : ହିମାଚଳ ପ୍ରଦେଶର ସିମ୍‍ଲାରେ ଆସ୍ୱାଭାବିକ ଜଳ ସଙ୍କଟକୁ ନେଇ ଚାରିଆଡେ ହାହାକାର ଦେଖାଯାଇଥିବାବେଳେ ଏହାର ସମାଧାନ ପାଇଁ ନ୍ୟାୟପାଳିକା ତତ୍ପର ହୋଇଉଠିଛି। ଜଳ ସଙ୍କଟରୁ ମୁକ୍ତି ପାଇଁ ଲୋକମାନେ ନ୍ୟାୟପାଳିକାର ଦ୍ୱାରସ୍ଥ ହୋଇଥିବାବେଳେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଏ ଦିଗରେ ଆଗକୁ ବାହାରିଛନ୍ତି। ହିମାଚଳ ପ୍ରଦେଶ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ସଞ୍ଜୟ କାରୋଲ ବୁଧବାର ରାତି ଅଧରେ ଅଚାନକ ସିମଲା ମ୍ୟୁନିସିପାଲ କର୍ପୋରେସନର ଚାରୋଟି କଣ୍ଟ୍ରୋଲ ରୁମ୍‍ ପରିଦର୍ଶନ କରିଥିଲେ। ଜଷ୍ଟିସ କାରୋଲଙ୍କ ସହିତ ସିମଲା ଡେପୁଟି କମିଶନର ଅମିତ କାଶ୍ୟପ, ମ୍ୟୁନିସିପାଲ କମିଶନର ରୋହିତ ଜାମୱାଲ ସାରା ରାତି ଘଟଣାସ୍ଥଳରେ ଉପସ୍ଥିତ ରହି ସହରବାସୀଙ୍କୁ ଜଳଯୋଗାଣର ବ୍ୟବସ୍ଥାକୁ ସମୀକ୍ଷା କରିଥିଲେ। ଜଳ ସଙ୍କଟକୁ ନେଇ ଦାୟର ପିଟିସନ ଉପରେ ହାଇକୋର୍ଟର ସ୍ୱତନ୍ତ୍ର ପୀଠ ଶୁଣାଣି କରୁଛନ୍ତି। ସହରବାସୀଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଛି। ତେବେ ଟ୍ୟାଙ୍କର ପାଣି ଯୋଗାଣରେ ଭିଆଇପିଙ୍କୁ କୌଣସି ପ୍ରକାର ଅଗ୍ରାଧିକାର ଦିଆଯିବାକୁ ହାଇକୋର୍ଟ ନିଷିଦ୍ଧ କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ ବିଚାରପତି, ମନ୍ତ୍ରୀ, ବିଧାୟକ, ଅମଲାତନ୍ତ୍ର ଅଧିକାରୀ ଓ ପୁଲିସ ଅଧିକାରୀଙ୍କୁ ଟ୍ୟାଙ୍କର ପାଣି ଯୋଗାଣରେ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ନାହିଁ। ସହରରେ ନିର୍ମାଣ କାମ ଓ କାର ସଫା ପାଇଁ ପାଣି ଯୋଗାଣକୁ ହାଇକୋର୍ଟ ନିଷିଦ୍ଧ କରିଛନ୍ତି।

Leave A Reply