ନିଜସ୍ୱ ରାଜନୈତିକ ଦଳ ଗଢିଲେ ବାଇଚୁଙ୍ଗ ଭୁତିଆ
ଗ୍ୟାଙ୍ଗଟକ : ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୁତିଆ ଗୁରୁବାର ନିଜସ୍ୱ ରାଜନୈତିକ ଦଳ ଗଢିଛନ୍ତି। ସେ ତାଙ୍କ ଦଳର ନାମ ରଖିଛନ୍ତି ହମରୋ ସିକିମ୍ ପାର୍ଟି (ଏଚଏସପି)। ନିଜର ଘରୋଇ ରାଜ୍ୟ ସିକିମ୍ର ଦାରାମଡିନରେ ଆୟୋଜିତ ଏକ ଉତ୍ସବରେ ସେ ତାଙ୍କର ଦଳର ନାମ ଘୋଷଣା କରିଛନ୍ତି। ଭୂତିଆଙ୍କ ସହିତ ତାଙ୍କର ସହଯୋଗୀ ତଥା ପୂର୍ବତନ ମନ୍ତ୍ରୀ ଆରବି ସୁବା ଉପସ୍ଥିତ ରହିଥିଲେ। ଏହି ଅବସରରେ ଦଳର ପତାକାକୁ ଉନ୍ମୋଚନ କରାଯାଇଥିଲା। ରାଜ୍ୟ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗକୁ ସମାଲୋଚନା କରି ଭୂତିଆ କହିଛନ୍ତି ଯେ ଦୁର୍ନୀତି ରାଜ୍ୟରେ ସର୍ବତ୍ର ଖେଳିଯାଇଛି। ଦୀର୍ଘ ୪୦ବର୍ଷ ହେଲା ରାଜ୍ୟରେ କୌଣସି ବିକାଶ ହେଉ ନାହିଁ। ଚାମଲିଙ୍ଗ ଜଣେ ଏକଛତ୍ରବାଦୀ ଓ ତାଙ୍କ ଦଳ ସିକିମ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏସଡିଏଫ) ଏକ ଏକଛତ୍ରବାଦୀଙ୍କ ଦଳ।