ସରକାରୀ ବଙ୍ଗଳା ଛାଡିଲେ ଅଖିଳେଶ, ମୁଲାୟମ
ଲକ୍ଷ୍ନୌ : ସୁପ୍ରିମକୋର୍ଟଙ୍କ ନିର୍ଦେଶ ମୁତାବକ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓ ମୁଲାୟମ ସିଂହ ଯାଦବ ଗୁରୁବାର ସେମାନେ ରହୁଥିବା ସରକାରୀ ବଙ୍ଗଳା ଖାଲିକରିଛନ୍ତି। ପୂର୍ବରୁ ଏହି ବାପ-ପୁଅ ସରକାରୀ ବଙ୍ଗଳା ଖାଲି କରିବାକୁ ଅଧିକ ସମୟ ମାଗିଥିଲେ। ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେଇ ନଥିଲେ। ଫଳରେ ସେମାନେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସରକାରୀ ବଙ୍ଗଳା ଛାଡିବା ପାଇଁ ବାପ-ପୁଅ ୨ବର୍ଷ ସମୟ ଲୋଡି ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି। ଅଖିଳେଶ ସୁରକ୍ଷା ଆଳ ଦେଖାଇଥିବାବେଳେ ମୁଲାୟମ ବୟସାଧିକ କାରଣ ଦର୍ଶାଇ ସମୟ ମାଗିଛନ୍ତି। ସୁପ୍ରିମକୋର୍ଟ ଏହି ପିଟିସନର ଶୁଣାଣି କରିବାକୁ ଥିବାବେଳେ ବାପ-ପୁଅ ସରକାରୀ ବଙ୍ଗଳା ଖାଲିକରିବା ଆରମ୍ଭ କରିଛନ୍ତି। ଅଖିଳେଶ ଓ ମୁଲାୟମଙ୍କ ବ୍ୟତୀତ ଅନ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ, ରାଜନାଥ ସିଂହ, କଲ୍ୟାଣ ସିଂହ ଓ ଏନଡି ତିୱାରୀଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦେଶ ଦିଆଯାଇଛି।