କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ : କଂଗ୍ରେସକୁ ଗୃହ, ଜେଡି(ଏସ୍)କୁ ଅର୍ଥ ବିଭାଗ
ବେଙ୍ଗାଲୁରୁ : ଦୀର୍ଘ ଟଣାଓଟରା ପରେ କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ପାଇଁ କଂଗ୍ରେସ ଓ ଜେଡି(ଏସ୍) ମଧ୍ୟରେ ବିଭାଗ ବଣ୍ଟନ ଚୂଡ଼ାନ୍ତ ହୋଇଛି। ସୂଚନାନୁଯାୟୀ, କଂଗ୍ରେସକୁ ଗୃହ ଓ ଜେଡି(ଏସ୍)କୁ ଅର୍ଥ ବିଭାଗ ମିଳିବ ବୋଲି ନିଷ୍ପତ୍ତି ହୋଇଛି। ଦିଲ୍ଲୀରେ ଗତ ଦୁଇ ଦିନ ଧରି ଉଭୟ ଦଳର ନେତାଙ୍କ ମଧ୍ୟରେ ପ୍ରାୟ ୫ଦଫା ଆଲୋଚନା ହୋଇ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହିତ କ୍ଷମତା ଆବଣ୍ଟନ ନୀତି ମଧ୍ୟ ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ସୋନିଆଙ୍କ ଚିକିତ୍ସା ପାଇଁ ଆମେରିକା ଗସ୍ତରେ ଥିବା କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଫୋନ୍ ଯୋଗେ ଦଳୀୟ ନେତାଙ୍କ ସହ ଆଲୋଚନା ପୂର୍ବକ ଏହି ବୁଝାମଣାକୁ ସ୍ୱୀକୃତି ଦେଇଥିବା ପ୍ରକାଶ। ଜେଡି(ଏସ୍) ନେତା ଡାନିଶ ଅଲୀଙ୍କ କହିବାନୁସାରେ ଦିଲ୍ଲୀରେ ମାମଲା ଚୂଡ଼ାନ୍ତ ହେବା ପରେ ସେ ବେଙ୍ଗାଲୁରୁ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାରସ୍ୱାମୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି ଦେବେଗୌଡ଼ାଙ୍କ ସହିତ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଖୁବ୍ ଶୀଘ୍ର ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳ ଶପଥ ନେବେ ବୋଲି ଡାନିଶ କହିଛନ୍ତି।