ବଞ୍ଚିରହିବାକୁ ଇଚ୍ଛା ନାହିଁ : ସୁନନ୍ଦାଙ୍କ ଶେଷ ବାର୍ତ୍ତା

0

ନୂଆଦିଲ୍ଲୀ : କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶଶି ଥରୁର୍‍ଙ୍କ ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ପୂର୍ବରୁ ଇ-ମେଲ୍‍ ମାଧ୍ୟମରେ ସ୍ୱାମୀଙ୍କୁ ଏକ ବାର୍ତ୍ତା ପଠାଇଥିଲେ। ଏଥିରେ ସେ ‘ମୋର ଆଉ ବଞ୍ଚି ରହିବାକୁ ଇଚ୍ଛା ନାହିଁ, ମୁଁ ମରିବାକୁ ଚାହେଁ’ ବୋଲି ଉଲ୍ଲେଖ କରିଥିଲେ। ଏହି ଇ-ମେଲ୍‍ ମୃତ୍ୟୁର ୯ଦିନ ପୂର୍ବରୁ ଥରୁରଙ୍କ ନିକଟକୁ ସେ ପଠାଇଥିଲେ।
ଉଲ୍ଲେଖ କରିଥିବା ବାର୍ତ୍ତାକୁ ତାଙ୍କର ମୃତ୍ୟୁକାଳୀନ ଜମାନବନ୍ଦି ଭାବେ ପୁଲିସ ଗ୍ରହଣ କରିଛି। ସୋମବାର ଏଠାକାର ଏକ କୋର୍ଟରେ ୩୦୦୦ ପୃଷ୍ଠା ସମ୍ବଳିତ ଅଭିଯୋଗ ଫର୍ଦ ଦାଖଲ ବେଳେ ପୁଲିସ ପକ୍ଷରୁ ଏହା କୁହାଯାଇଛି। ଅଭିଯୋଗ ଫର୍ଦ ଅନୁସାରେ ମୃତ୍ୟୁର ଏକ ସପ୍ତାହ ପୂର୍ବରୁ ୨୦୧୪ ଜାନୁଆରୀ ୮ରେ ସୁନନ୍ଦା ଏକ ଇମେଲ୍‍ କରିଥିଲେ। ପରୀକ୍ଷାକୁ ସେ ଖାତିର କରନ୍ତି ନାହିଁ ଏବଂ ତାଙ୍କର ଆଉ ବଞ୍ଚିବାକୁ ଇଚ୍ଛା ନାହିଁ। ସେ କେବଳ ମୃତ୍ୟୁ ଚାହୁଁଛନ୍ତି ବୋଲି ଉକ୍ତ ଇମେଲ୍‍ରେ ସୁନନ୍ଦା ସ୍ପଷ୍ଟ ଉଲ୍ଲେଖ କରିଥିଲେ। ଅତିରିକ୍ତ ସରକାରୀ ଓକିଲ ଅତୁଲ ଶ୍ରୀବାସ୍ତବ କୋର୍ଟରେ ସୁନନ୍ଦାଙ୍କ ଇମେଲ୍‍ର ଏକ ନକଲ ପାଠ କରି ବିଚାରପତିଙ୍କୁ ଶୁଣାଇଥିଲେ। ତେବେ ସୁନନ୍ଦାଙ୍କ ଏହି ମୃତ୍ୟୁକାଳୀନ ଜମାନବନ୍ଦୀ ଥରୁର୍‍ଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି। କାରଣ ମେ’ ୧୪ରେ ସାଢେ ଚାରି ବର୍ଷ ପୁରୁଣା ଏହି ମାମଲାରେ ପୁଲିସ ଥରୁର୍‍ଙ୍କୁ ଅଭିଯୁକ୍ତ କରିଥିଲା। ପୁଲିସ ଥରୁର୍‍ଙ୍କ ବିରୋଧରେ ବୈବାହିକ ଜୀବନରେ କ୍ରୂରତା ଏବଂ ମୃତ୍ୟୁ ପାଇଁ ବାଧ୍ୟ କରିବାର ଅଭିଯୋଗ ଆଣି ତାଙ୍କୁ ସମନ ଜାରି କରିବାକୁ କୋର୍ଟରେ ଆବେଦନ କରିଥିଲା। କୋର୍ଟ ଏହି ଆବେଦନର ରାୟ ଶନିବାର ପର୍ଯ୍ୟନ୍ତ ସଂରକ୍ଷିତ ରଖିଛନ୍ତି।
୨୦୧୪ ଜାନୁଆରୀ ୧୭ରେ ନୂଆଦିଲ୍ଲୀସ୍ଥିତ ଏକ ବିଳାସପୂର୍ଣ୍ଣ ହୋଟେଲ କୋଠରିରୁ ସୁନନ୍ଦାଙ୍କ ମୃତଦେହ ଠାବ କରାଯାଇଥିଲା। ଶରୀରରେ ବିଷ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା କୋର୍ଟଙ୍କୁ କୁହାଯାଇଥିଲା। ଉକ୍ତ ହୋଟେଲ୍‍ କୋଠରିରୁ ପୁଲିସ ୨୭ଟି ଆଲପ୍ରାକ୍ସ ବଟିବା ତଦନ୍ତ ବେଳେ ପାଇଥିଲା। ତେବେ ସୁନନ୍ଦା ଅବସାଦଗ୍ରସ୍ତ ଥିବା ବେଳେ ସ୍ୱାମୀ ଥରୁର୍‍ ତାଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିଥିଲେ। ଏପରିକି ସେମାନଙ୍କ ମଧ୍ୟରେ କ୍ରମାଗତ ମତଭେଦ କାରଣରୁ ପାଟିତୁଣ୍ଡ ହେଉଥିଲା ବୋଲି ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଯାଞ୍ଚ କରି କହିଛି। ସୁନନ୍ଦାଙ୍କ ମୃତଦେହରେ ବହୁ କ୍ଷତ ଚିହ୍ନ ରହିଥିଲେ ମଧ୍ୟ ସେଗୁଡିକ ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ଅଭିଯୋଗଫର୍ଦରେ ଉଲ୍ଲେଖ ରହିଛି।

Leave A Reply