ବିଶ୍ୱାସଙ୍କ ନାମରୁ ମାନହାନି ମାମଲା ପ୍ରତ୍ୟାହାର କଲେ ଜେଟ୍‍ଲି

0

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲି ହାଇକୋର୍ଟରେ ଆପ ନେତା ତଥା କବି କୁମାର ବିଶ୍ୱାସଙ୍କ ବିରୋଧରେ ରୁଜୁ କରିଥିବା ମାନହାନି ମୋକଦ୍ଦମାକୁ ସୋମବାର ପ୍ରତ୍ୟାହାର କରିନେଇଛନ୍ତି। ଏହାସହ ଏହି ମୋକଦ୍ଦମାର ଅନ୍ତ ଘଟିଛି। ପ୍ରକାଶ ଯେ କିଛି ଦିନ ପୂର୍ବରୁ କୁମାର ବିଶ୍ୱାସ ଏକପତ୍ର ଲେଖି ନିଜ ପକ୍ଷ ସ୍ପଷ୍ଟ କରିବା ପୂର୍ବକ ଜେଟଲୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ। ଏହି ପତ୍ର ଆଧାରରେ ଜେଟଲୀ ହାଇକୋର୍ଟରୁ ମୋକଦ୍ଦମାକୁ ପ୍ରତ୍ୟାହାର କରିନେଇଛନ୍ତି। କୁମାର ବିଶ୍ୱାସଙ୍କ କ୍ଷମାପାର୍ଥନା ପତ୍ରକୁ ଗ୍ରହଣ କରିଛୁ ଏବଂ ମାନାହନି ମୋକଦ୍ଦମାକୁ ପ୍ରତ୍ୟାହାର କରିନେଇଛୁ ବୋଲି ଜେଟଲୀଙ୍କ ଓକିଲ ପ୍ରକାଶ କରିଛନ୍ତି। ବିଶ୍ୱାସ ନିଜ ପତ୍ରରେ ଦର୍ଶାଇଥିଲେ ଯେ ଆପର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜେରିୱାଲଙ୍କ କହିବା ଅନୁସାରେ ଦଳର ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ସହ ସେ ଜେଟଲୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ।
ଅରବିନ୍ଦ କେଜେରିୱାଲ ଏବେ ତାଙ୍କ ସହ ଯୋଗାଯୋଗରେ ନାହାନ୍ତି ଓ ସେ ମିଥ୍ୟା କହି ଖସିଯାଇଛନ୍ତି। ଅରବିନ୍ଦ କେଜେରିୱାଲ ଜଣେ ଅଭ୍ୟାସଗତ ମିଛୁଆ ଓ ଦଳର କାର୍ଯ୍ୟକର୍ତ୍ତା ହୋଇଥିବାରୁ ମୁଁ କେବଳ ତାଙ୍କ କଥାକୁ ଦୋହରାଇଥିଲି ବୋଲି ବିଶ୍ୱାସ କହିଛନ୍ତି। ଉଲ୍ଲେଖ ଯେ ଜେଟ୍‍ଲି ଦିଲ୍ଲୀ କ୍ରିକେଟ ଆସୋସିଏସନ ସଭାପତି ଥିବାବେଳେ ନାନା ଦୁର୍ନୀତିରେ ସଂପୃକ୍ତ ଥିଲେ ବୋଲି କେଜରିୱାଲ ଓ କୁମାର ବିଶ୍ୱାସଙ୍କ ସମେତ ଅନ୍ୟ ଆପ ନେତାମାନେ ଅଭିଯୋଗ କରିଥିଲେ। ଏହାକୁ ନେଇ ଜେଟ୍‍ଲି କେଜରିୱାଲ ସମେତ ଅନ୍ୟ ଆପ ନେତାଙ୍କ ବିରୋଧରେ ୧୦ କୋଟି ଟଙ୍କାର ମାନହାନି ମୋକଦ୍ଦମା ଦାଏର କରିଥିଲେ। ଗତ ଅପ୍ରେଲ ମାସରେ ଅରବିନ୍ଦ କେଜେରିୱାଲ ଲିଖିତ କ୍ଷମାପ୍ରାର୍ଥନା କରିବା ପରେ ଜେଟଲି ତାଙ୍କ ବିରୋଧରେ ରୁଜୁ କରିଥିବା ମାନହାନି ମୋକଦ୍ଦମାକୁ ହାଇକୋର୍ଟରୁ ପ୍ରତ୍ୟାହାର କରିନେଇଥିଲେ। ଏବେ କୁମାର ବିଶ୍ୱାସଙ୍କୁ ଜେଟଲି ଆଶ୍ୱସ୍ତି ଦେଇଛନ୍ତି।

Leave A Reply