ବେଙ୍ଗାଲୁରୁ: ଦେଶରେ ମହିଳାଙ୍କ ବିରୋଧରେ ଘଟୁଥିବା ଅପରାଧକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ପୁଲିସ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ଏଠାକାର ପୁଲିସ ରାତିରେ ମହିଳାମାନଙ୍କୁ ସୁରକ୍ଷିତ ଭାବେ ତାଙ୍କ ଘରେ ଛାଡ଼ିବାର କାମ ଆରମ୍ଭ କରିଛି। ପୁଲିସ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ମାଗଣାରେ କରୁଛି। ପୁଲିସ ଏଥିପାଇଁ ଏକ ହେଲ୍ପଲାଇନ୍ ନମ୍ବର ଜାରି କରିଛି। ରାତି ସମୟରେ ଯଦି କୌଣସି ମହିଳା ଘରକୁ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କିମ୍ବା କୌଣସି ଟ୍ୟାକ୍ସି ବା ଅଟୋରେ ଯିବାକୁ ସୁରକ୍ଷିତ ମଣୁ ନାହାନ୍ତି ତେବେ ସେମାନେ ସେହି ନମ୍ବରକୁ ଫୋନ୍ କରି ସହାୟତା ନେଇ ପାରିବେ। ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ ପୁଲିସ ମହିଳାଙ୍କୁ ସୁରକ୍ଷିତ ସେମାନଙ୍କ ଘରେ ପହଞ୍ଚାଉଛି।
ଏହାକୁ ନେଇ ଗଡଗ ପୁଲିସ ଅଧୀକ୍ଷକ ଶ୍ରୀନାଥ ଜୋଶୀ କହିଛନ୍ତି, “ମହିଳାମାନେ କୌଣସି ପୁଲିସ ଷ୍ଟେଶନ କିମ୍ବା ଦେୟମୁକ୍ତ ହେଲ୍ପଲାଇନ୍ ନମ୍ବରକୁ ଫୋନ୍ କରିପାରିବେ। ପୁଲିସ ସେଠାରୁ ଆଣି ତାଙ୍କୁ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇବ”। ହାଇଦ୍ରାବାଦ ଏବଂ ଉନ୍ନାଓ ଘଟଣାକୁ ନେଇ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିବା ସମୟରେ କର୍ଣ୍ଣାଟକ ପୁଲିସର ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।
କର୍ଣ୍ଣାଟକ: ଏଣିକି ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ମହିଳାଙ୍କୁ ଘରେ ଛାଡ଼ିବ ପୁଲିସ
Popular Categories



