www.samajalive.in
Sunday, December 14, 2025
23.1 C
Bhubaneswar

ଶ୍ରୀଲଙ୍କାକୁ ଭାରତର ୪୦୦ମିଲିୟନ ଡଲାର ଋଣ ସହାୟତା

ନୂଆଦିଲ୍ଲୀ :  ଶ୍ରୀଲଙ୍କାରେ ବିକାଶ ପ୍ରକ୍ରିୟା ଜାରି ରଖିବା ପାଇଁ ଭାରତ ୪୦୦ ମିଲିୟନ ଡଲାର ଋଣ ସହାୟତା ଘୋଷଣା କରିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘୋଷଣା କରିଛନ୍ତି। ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବୟେ ରାଜପକ୍ଷେଙ୍କ ସହ ଶୁକ୍ରବାର ଅପରାହ୍ଣରେ ନୂଆଦିଲ୍ଲୀରେ ବୈଠକ ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମୋଦୀ କହିଛନ୍ତି, ଭାରତ ମଧ୍ୟ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଶ୍ରୀଲଙ୍କାକୁ ୫୦ ନିୟୁତ ଡଲାର ଋଣ ପ୍ରଦାନ କରିବ। ଶ୍ରୀଲଙ୍କାକୁ ବିକାଶ ପଥରେ ଆଗେଇ ନେବା ପାଇଁ ଭାରତ ସବୁମତେ ସହଯୋଗ କରିବାକୁ ସେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଶ୍ରୀ ରାଜପକ୍ଷେଙ୍କ ସହ ତାଙ୍କର ବୈଠକକୁ ଅତ୍ୟନ୍ତ ସଫଳ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ଶକ୍ତିଶାଳୀ ଓ ସମୃଦ୍ଧ ଶ୍ରୀଲଙ୍କା କେବଳ ଭାରତ ପାଇଁ ନୁହେଁ ସମଗ୍ର ଭାରତୀୟ ମହାସାଗରୀୟ ଅଞ୍ଚଳ ପାଇଁ ହିତକାରୀ ହେବ। ସେ କହିଛନ୍ତି, ଆତଙ୍କବାଦର ମୁକାବିଲା ପାଇଁ ପାରସ୍ପରିକ ସହଯୋଗକୁ ସୁଦୃଢ଼ କରିବା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଶ୍ରୀ ମୋଦୀ କହିଛନ୍ତି, ଶ୍ରୀଲଙ୍କା ପୁଲିସ୍‍ ଅଫିସରମାନଙ୍କୁ ଭାରତର ବଡ଼ ବଡ଼ ଅନୁଷ୍ଠାନଗୁଡ଼ିକରେ ଆତଙ୍କବାଦର ମୁକାବିଲା ପାଇଁ ତାଲିମ୍‍ ଦିଆଯାଉଛି। ସେ  କହିଛନ୍ତି, ଭାରତ ଏହାର ‘ପଡ଼ୋଶୀ ଦେଶ ପ୍ରଥମେ’ ବା ପ୍ରାଚ୍ୟମୁଖୀ ନୀତି ଅନୁସାରେ ଶ୍ରୀଲଙ୍କା ସହ ଏହାର ସମ୍ପର୍କକୁ ଅଗ୍ରାଧିକାର ଦେଇଆସୁଛି। ଶ୍ରୀ ମୋଦୀ କହିଚନ୍ତି, ଶ୍ରୀଲଙ୍କା ସରକାର ଦେଶରେ ସମାନତା, ନ୍ୟାୟ, ଶାନ୍ତି ଓ ସମ୍ମାନ ପାଇଁ ତାମିଲମାନଙ୍କର ଆଶା ଓ ଆକାଂକ୍ଷାର ପୂରଣ ଲାଗି ବୁଝାମଣା ପ୍ରକ୍ରିୟାକୁ ଆଗକୁ ଆଗେଇ ନେବେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି।
ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବୟେ ରାଜପକ୍ଷେ ତାଙ୍କର ବିବୃତ୍ତିରେ କହିଛନ୍ତି, ସେମାନଙ୍କ ମଧ୍ୟରେ ଆଲୋଚନା ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା ଓ ନିରାପତ୍ତା କ୍ଷେତ୍ରରେ ସହଯୋଗ ପ୍ରସଙ୍ଗ ଆଲୋଚନାରେ ମୁଖ୍ୟ ବିଷୟ ଭାବେ ସ୍ଥାନ ପାଇଥିଲା। ସେ କହିଛନ୍ତି, ଉଭୟ ନେତା ମତ୍ସ୍ୟଜୀବୀମାନଙ୍କ ପ୍ରସଙ୍ଗ ଉପରେ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି ଓ ଭାରତୀୟ
ମତ୍ସ୍ୟଜୀବୀମାନଙ୍କର ଜବତ କରାଯାଇଥିବା ଡଙ୍ଗାଗୁଡ଼ିକୁ ଭାରତକୁ ଫେରାଇ ଦେବା ପାଇଁ ଶ୍ରୀଲଙ୍କା ସରକାର ପଦକ୍ଷେପ ନେବେ। ଶ୍ରୀ ଗୋତାବୟେ କହିଛନ୍ତି, ଭାରତ ସହ ତାଙ୍କର ରହିଥିବା ଦ୍ୱିପକ୍ଷିୟ ସମ୍ପର୍କକୁ ସେ ଆହୁରି ଉଚ୍ଚସ୍ତରକୁ ନେଇଯିବେ। ସେ ପୁଣି କହିଛନ୍ତି, ନିରାପତ୍ତା କ୍ଷେତ୍ରରେ ଉଭୟ ଭାରତ ଓ ଶ୍ରୀଲଙ୍କା ଏକାଠି ମିଶି କାର୍ଯ୍ୟ କରିବା ଅତ୍ୟନ୍ତ ଜରୁରି। ଶ୍ରୀ ରାଜପକ୍ଷେ ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କରଙ୍କୁ ଭେଟି ତାଙ୍କ ସହ ଅନେକ ଦ୍ୱିପକ୍ଷିୟ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ସମ୍ଭାଳିବା ପରେ ଶ୍ରୀ ଗୋତାବୟେଙ୍କର ଏହା ପ୍ରଥମ ବିଦେଶଗସ୍ତ। ଆଜି ସନ୍ଧ୍ୟାରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି।

 

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories