www.samajalive.in
Monday, December 15, 2025
16.1 C
Bhubaneswar

କ୍ୱାଲିଫାୟରରେ କଲକାତା

କଲକାତା : ଆଇପିଏଲ୍‍-୧୧ରେ ୨ୟ କ୍ୱାଲିଫାୟର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି କଲକାତା ନାଇଟ ରାଇଡର୍ସ (କେକେଆର୍‍)। ବୁଧବାର ଏଲିମିନେଟର ମ୍ୟାଚ୍‍ରେ ରାଜସ୍ଥାନ ରୟାଲ୍‍ସକୁ ୨୫ ରନ୍‍ରେ କେକେଆର୍‍ ପରାସ୍ତ କରିଛି। କଲକାତା ପ୍ରଥମେ ବ୍ୟାଟିଂକରି ଅଧିନାୟକ ଦିନେଶ କାର୍ତ୍ତିକଙ୍କ ଅର୍ଦ୍ଧଶତକ ଓ ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ଇନିଂସ ବଳରେ ୭ ୱିକେଟ ହରାଇ ୧୬୯ ରନ୍‍ କରିଥିଲା। ପରେ ସଞ୍ଜୁ ସାମ୍‍ସନଙ୍କ ଅର୍ଦ୍ଧଶତକ ଓ ଅଜିଙ୍କ୍ୟ ରାହାଣେଙ୍କ ଲଢ଼ୁଆ ଇନିଂସ୍‍ ସତ୍ତ୍ବେ ଏକଦା ଭଲ ସ୍ଥିତିରେ ଥିବା ରାଜସ୍ଥାନ ୪ ୱିକେଟ ହରାଇ ୧୪୪ ରନ୍‍ କରି ପାରିଥିଲା। ଏହି ପରାଜୟ ସହ ରାଜସ୍ଥାନ ରୟାଲ୍‍ସ ଚଳିତ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ଆସନ୍ତା ଶୁକ୍ରବାର ସନ୍‍ରାଇଜର୍ସ ହାଇଦରାବାଦ ବିପକ୍ଷରେ ୨ ଥର ଚମ୍ପିଆନ୍‍ ଘରୋଇ କଲକାତା ନାଇଟ ରାଇଡର୍ସ ୨ୟ କ୍ୱାଲିଫାୟର ମ୍ୟାଚ୍‍ ଖେଳିବ।
ରାଜସ୍ଥାନ ରୟାଲ୍‍ସ ଅତି ଦୃଢ଼ତାର ସହ ୧୭୦ ରନ୍‍ର ପିଛା ଆରମ୍ଭ କରିଥିଲା। ରାଜସ୍ଥାନର ଓପ୍‍ନିଂ ଯୋଡ଼ି ୫ ଓଭରରେ ୪୭ ରନ୍‍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ଓପ୍‍ନର ରାହୁଲ ତ୍ରିପାଠୀ ୧୩ଟି ବଲ୍‍ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୦ ରନ୍‍ କରିଥିଲେ। ପରେ ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ସଞ୍ଜୁ ସାମ୍‍ସନ ଦୃଢ଼ତାର ସହ ସ୍କୋର୍‍କୁ ବିଜୟଲକ୍ଷ୍ୟ ଆଡ଼କୁ ଆଗେଇ ନେଇଥିଲେ। ୨ୟ ୱିକେଟ ପାଇଁ ୯ ଓଭରରେ ୬୨ ରନ୍‍ ଯୋଡ଼ିବା ପରେ ରାହାଣେ ଆଉଟ ହୋଇ ଯାଇଥିଲେ। ୪୧ ବଲ୍‍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ରାହାଣେ ୪୬ ରନ୍‍ କରିଥିଲେ। ଅର୍ଦ୍ଧଶତକ ହାସଲ କରିବା ପରେ ସଞ୍ଜୁ ସାମ୍‍ସନ ଆଉଟ ହୋଇଯିବା ମ୍ୟାଚ୍‍ରେ ନିର୍ଣ୍ଣାୟକ ହୋଇଥିଲା। ଏହି କେରଳୀ ବ୍ୟାଟ୍‍ସମ୍ୟାନ୍‍ ୩୮ ବଲ୍‍ରୁ ୨ଟି ଛକା ଓ ୪ଟି ଚୌକା ସହ ୫୦ ରନ୍‍ କରିଥିଲେ। ହେନ୍‍ରିଚ୍‍ କ୍ଲାସେନ୍‍ ଶେଷ ୬ ଓଭର ବ୍ୟାଟିଂ କରିଥିଲେ ହେଁ ବଡ଼ ସ୍କୋର୍‍ ମାରି ପାରିନଥିଲେ। ଷ୍ଟୁଆର୍ଟ ବିନ୍ନି ବିନା ସ୍କୋର୍‍ରେ ଆଉଟ ହୋଇଥିଲେ। ୨ ଓଭରରେ ରାଜସ୍ଥାନ ୪୦ ରନ୍‍ ଆବଶ୍ୟକ କରୁଥିଲା। ତେବେ କଲକାତାର ବୋଲର ଚମତ୍କାର ବୋଲିଂକରି ଏହି ୨ ଓଭରରୁ ମାତ୍ର ୧୪ ରନ୍‍ ଦେଇଥିଲେ। ହେନ୍‍ରିଚ୍‍ କ୍ଲାସେନ୍‍ ୧୮ ବଲ୍‍ରୁ ମାତ୍ର ୧୮ ରନ୍‍କରି ଅପରାଜିତ ଥିଲେ। ପୀୟୂଷ ଚାୱଲା ୨ଟି ୱିକେଟ ପାଇଥିଲେ। ଆନ୍ଦ୍ରେ ରସେଲ ମ୍ୟାନ୍‍ ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।
ରାଜସ୍ଥାନ ରୟାଲ୍‍ସ ଟସ୍‍ ଜିତି ଫିଲ୍‍ଡିଂ ନେଇଥିଲା। ବିପର୍ଯ୍ୟୟ ସହ ଘରୋଇ କଲକାତା ନାଇଟ ରାଇଡର୍ସ ଇନିଂସ ଆରମ୍ଭ କରିଥିଲା। ୪ର୍ଥ ଓଭରରେ ମାତ୍ର ୨୪ ରନ୍‍ରେ କଲକାତା ୩ଟି ୱିକେଟ ହରାଇଥିଲା। ଓପ୍‍ନର ସୁନୀଲ ନାରାୟଣ ପ୍ରଥମ ବଲ୍‍ରେ ଚୌକାମାରିବା ପରେ ୨ୟ ବଲ୍‍ରେ ବୋଲ୍‍ଡ ହୋଇଥିଲେ। ଦୁଇ ମଧ୍ୟକ୍ରମ ବ୍ୟାଟ୍‍ସମ୍ୟାନ୍‍ ରବିନ୍‍ ଉଥପ୍ପା ଓ ନୀତୀଶ ରାଣା ୩ ରନ୍‍ ଲେଖାଏଁ କରି ପାରିଥିଲେ। ୨୪ ରନ୍‍ରେ ୩ଟି ୱିକେଟ ପଡ଼ିଯିବା ପରେ ଓପ୍‍ନର କ୍ରିସ୍‍ ଲିନ୍‍ ଓ ଅଧିନାୟକ ଦିନେଶ କାର୍ତ୍ତିକ ୪ର୍ଥ ୱିକେଟ ପାଇଁ ୨୭ ରନ୍‍ ଯୋଡ଼ିଥିଲେ। ଲିନ୍‍ ୨୨ ବଲ୍‍ରୁ ୨ଟି ଚୌକା ସହ ୧୮ ରନ୍‍କରି ଆଉଟ ହୋଇ ଯାଇଥିଲେ। ୫୧ ରନ୍‍ରେ ୪ର୍ଥ ୱିକେଟର ପତନ ପରେ କାର୍ତ୍ତିକ ଓ ଶୁବ୍‍ମାନ ଗିଲ୍‍ ୫ମ ୱିକେଟ ପାଇଁ ୫୫ ରନ୍‍ ଯୋଡ଼ିଥିଲେ; ଯାହା ଦଳକୁ ଭଲ ସ୍କୋର୍‍ଆଡ଼କୁ ନେଇ ଯାଇଥିଲା। ଯୁବ ବ୍ୟାଟ୍‍ସମ୍ୟାନ୍‍ ଶୁବ୍‍ମାନ ମାତ୍ର ୧୭ ବଲ୍‍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୮ ରନ୍‍ କରିଥିଲେ। ଆନ୍ଦ୍ରେ ରସେଲ କ୍ରିଜ୍‍କୁ ଆସିବା ମାତ୍ରେ ପ୍ରହାର କରିଥିଲେ ଏବଂ ଦ୍ରୁତଗତିରେ ସ୍କୋର୍‍ ବଢ଼ାଇ ଚାଲିଥିଲେ। ରସେଲଙ୍କ ସହ ୨୯ ରନ୍‍ ଯୋଡ଼ିବା ପରେ କାର୍ତ୍ତିକ ଆଉଟ ହୋଇ ଯାଇଥିଲେ। ଦର୍ଶନୀୟ ବ୍ୟାଟିଂକରି କାର୍ତ୍ତିକ ୩୮ ବଲ୍‍ରୁ ୨ଟି ଛକା ଓ ୪ଟି ଚୌକା ସହ ୫୨ ରନ୍‍ କରିଥିଲେ। ପରେ ରସେଲ ଆହୁରି ଭୟାନକ ରୂପ ଧାରଣକରି ଆକ୍ରମଣ କରିଥିଲେ। ଫଳରେ ଶେଷ ୪ ଓଭରରୁ ୫୩ ରନ୍‍ ହୋଇଥିଲା। ରସେଲ ମାତ୍ର ୨୫ ବଲ୍‍ରୁ ୫ଟି ଛକା ଓ ୩ଟି ଚୌକା ସହ ୪୯ ରନ୍‍କରି ଅପରାଜିତ ଥିଲେ। କେ. ଗୌତମ, ଜୋଫ୍ରା ଆର୍ଚର ଓ ବେନ୍‍ ଲାଘ୍‍ଲିନ୍‍ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories