ଖୁଣ୍ଟା: ଖୁଣ୍ଟା ବ୍ଲକ ଅନ୍ତର୍ଗତ ଡୁକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର(ସିଏଚସି)ରେ ରୋଗୀ ଚିକିତ୍ସାରେ ଚରମ ଅବହେଳା ଦେଖିବା ପରେ ‘ମୋ ସରକାର’ ସ୍ଲୋଗାନ ପ୍ରହସନରେ ପରିଣତ ହୋଇଛି। ରାତିରେ ଡ୍ୟୁଟିରେ ଥିବା କର୍ମଚାରୀମାନେ ୱାର୍ଡରେ ଚିକିତ୍ସାଧୀନ ରୋଗୀମାନଙ୍କୁ ଭଗବାନ ଭରସାରେ ଛାଡି ଚାଲିଯାଇଥିବା ଘଟଣା ପଦାକୁ ଆସିଛି ଜଣେ ରୋଗୀର ମୃତ୍ୟୁ ହେବା ପରେ। ମୃତ ରୋଗୀ ଜଣଙ୍କ ହେଉଛନ୍ତି ବାସିପିଠା ଗ୍ରାମ ପଞ୍ଚାୟତ ଗୌଡଗାଁର ବାଉଳା ସିଂ(୪୬)। ରାତିରେ କାର୍ୟ୍ୟରତ କର୍ମଚାରୀମାନଙ୍କ ଚରମ ଅବହେଳା ଯୋଗୁ ଚିକିତ୍ସାଧୀନ ସ୍ୱାମୀଙ୍କର ମୃତ୍ୟୁ ହୋଇଛି ବୋଲି ମୃତ ବ୍ୟକ୍ତିଙ୍କ ପତ୍ନୀ ବୁଧନୀ ସିଂ ଡାକ୍ତରଖାନାରେ ଉପସ୍ଥିତ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିବା ସହ ଦୋଷୀ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।
ପୁଲିସ ଏ ନେଇ ସମ୍ପୃକ୍ତ ୩ଜଣ କର୍ମଚାରୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଅଭିଯୋଗରୁ ପ୍ରକାଶଯେ ଗତ ୧୬ ତାରିଖ ବୁଧବାର ସକାଳେ ଜ୍ୱୋରରେ ପୀଡିତ ବାଉଳାଙ୍କୁ ଡୁକୁରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ରାତି ପ୍ରାୟ ଦୁଇଟା ବେଳକୁ ବାଉଳାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦୃତ ଅବନତି ଘଟିଥିଲା ଓ ସେ ଛଟପଟ ହୋଇ ରକ୍ତବାନ୍ତି କରିଥିଲେ। ବୁଧନୀ ସେତେବେଳେ ରାତି ଡ୍ୟୁଟିରେ ଥିବା ଡାକ୍ତର ସଙ୍କଳ୍ପ ପରିଡା, ନର୍ସ ବୁଲୁରାଣୀ ଘୋଷ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ରବୀନ୍ଦ୍ର ପ୍ରଧାନଙ୍କୁ ଖୋଜିଥିଲେ ମଧ୍ୟ ୱାର୍ଡରେ ପାଇନଥିଲେ। ରୋଗୀର ଗୁରୁତର ଅବସ୍ଥା ଓ ପତ୍ନୀ ବୁଧନୀଙ୍କର ଅସହାୟ ପରିସ୍ଥିତି ଦେଖି ଅନ୍ୟ ରୋଗୀମାନଙ୍କୁ ଜଗିଥିବା ଆତ୍ମୀୟ ମାନେ ଡାକ୍ତରଖାନା କର୍ମଚାରୀ ମାନଙ୍କୁ ଖୋଜିବା ସହ ସେମାନଙ୍କୁ ଡାକ ପକାଇଥିଲେ ମଧ୍ୟ କେହି ଆସିନଥିବା ବେଳେ ବାଉଳା ମୃତ୍ୟୁ ବରଣ କରିଥିଲେ। ଗୁରୁବାର ସକାଳେ ଉକ୍ତ ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା। ରାତି ଡ୍ୟୁଟିରେ ଥିବା କର୍ମଚାରୀ ଡାକ୍ତଖାନାରେ ନରହି ନିଜ କ୍ୱାଟର୍ସ ମାନଙ୍କରେ ଶୋଇ ପଡୁଥିବା ଉତ୍ୟକ୍ତ ଲୋକେ ଅଭିଯୋଗ କରିଥିଲେ। ସେହି ସମୟରେ ସିଏଚସିର ଭାରପ୍ରାପ୍ତ ଡାକ୍ତର ଦାସମାତ ମାରାଣ୍ଡି ବାରିପଦାରୁ ପହଞ୍ଚିବା ପରେ ଉତ୍ୟକ୍ତ ଲୋକେ ତାଙ୍କୁ ଘେରି ଯାଇଥିଲେ। ଶ୍ରୀ ମାରାଣ୍ଡି ଡୁକୁରା ସିଏଚସି ପରିସରରେ ନରହି କାହିଁକି ବାରିପଦାରୁ ଯିବା ଆସିବା କରୁଛନ୍ତି ବୋଲି ତାଙ୍କୁ ମଧ୍ୟ କୈଫତ ମାଗିଥିଲେ। ଖୁଣ୍ଟା ଥାନା ଆଇଆଇସି ନବକୃଷ୍ଣ ନାଏକ, ଡୁକୁରା ବିଟ ଏସଆଇ ନୌସାଦ ଅଲ୍ଲୀ ଖାନ ଅନ୍ୟ ମାନଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଅବହେଳା ପାଇଁ ଡୁକୁରା ସିଏଚସିରେ ସ୍ୱାସ୍ଥ୍ୟ ସେବା ଉପରୁ ଜନ ସାଧାରଣଙ୍କ ଆସ୍ଥା ତୁଟିଯିବା ଓ ନିୟମିତ ଉତ୍ତେଜନାତ୍ମକ ପରିସ୍ଥିତି ସୃଷ୍ଟି ହେଉଥିବାରୁ ଡୁକୁରା ସିଏଚସି କ୍ଷେତ୍ରରେ ମୋ ସରକାର ଯୋଜନା କାମ କରୁନି ବୋଲି ଆଲୋଚନା ହେଉଛି।



