ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ହେବ ଅସ୍ତ୍ରଶସ୍ତ୍ର, ୧୫ହଜାର କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ

0

ନୂଆଦିଲ୍ଲୀ : ସ୍ୱଦେଶୀ ଜ୍ଞାନକୌଶଳରେ ସୈନ୍ୟବାହିନୀ ପାଇଁ କମାଣ ସହିତ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ତିଆରି ଲାଗି ୧୫ହଜାର କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଅନେକ ବର୍ଷର ଆଲୋଚନା ପରେ ସେନା ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ପ୍ରକଳ୍ପକୁ ଅନୁମୋଦନ କରିଛି। ଏହି ପ୍ରକଳ୍ପ ଅଧୀନରେ ୭ପ୍ରକାର ଅସ୍ତ୍ର ତିଆରି ହେବ। ଅସ୍ତ୍ରଶସ୍ତ୍ର ଆମଦାନୀ ପାଇଁ ହେଉଥିବା ବିଳମ୍ବ ଓ ଅସ୍ତ୍ରଶସ୍ତ୍ରର ଅଭାବକୁ ଦୂର କରାଯାଇପାରିବ। ସେନା ଅଧିକାରୀ ପିଟିଆଇକୁ ଦେଇଥିବା ସୂଚନା ଅନୁଯାୟୀ ୧୧ଟି ଘରୋଇ କମ୍ପାନୀ ଏହି ପ୍ରକଳ୍ପରେ ସାମିଲ ହେବେ। ସେନା ଓ ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଏହି ପ୍ରକଳ୍ପର କାର୍ଯ୍ୟକାରିତାକୁ ଅନୁଧ୍ୟାନ କରିବେ। ଏହି ପ୍ରକଳ୍ପ ଦ୍ୱାରା ସେନା ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ଅସ୍ତ୍ରଶସ୍ତ୍ର ତିଆରି ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ଅନୁମାନ କରାଯାଇଛି। ନୂଆ ପ୍ରକାର ଅସ୍ତ୍ରଶସ୍ତ୍ର ତିଆରି ସହିତ କ୍ରମାଗତ ୩୦ଦିନ ଯୁଦ୍ଧ ଲାଗି ଆବଶ୍ୟକ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବା ସମ୍ଭବ ହୋଇପାରିବ। ଏହାଦ୍ୱାରା ସେନା ସର୍ବଦା ଯୁଦ୍ଧ ପାଇଁ ପ୍ରସ୍ତୁତ ରହିପାରିବ।
୧୫ହଜାର କୋଟି ଟଙ୍କାର ଏହି ପ୍ରକଳ୍ପରେ ୧୦ବର୍ଷ ମଧ୍ୟରେ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ତିଆରି ହେବ। କି ପ୍ରକାରର ଅସ୍ତ୍ରଶସ୍ତ୍ର ତିଆରି ହେବ ସେ ଦିଗରେ ସବିଶେଷ ବିବରଣୀ ଦେବାକୁ ବରିଷ୍ଠ ଅଧିକାରୀମାନେ ମନା କରିଛନ୍ତି। ତେବେ ପ୍ରାଥମିକ ଭାବେ ଏହି ପ୍ରକଳ୍ପରେ ରକେଟ, ଏୟାର ଡିଫେନ୍ସ ସିଷ୍ଟମ, ଆର୍ଟିଲାରି ଗନ, ଲଢୁଆ ଯାନ, ଗ୍ରେନେଡ ଲଞ୍ଚର ଓ ସମ୍ମୁଖ ଯୁଦ୍ଧ ଲାଗି ଆବଶ୍ୟକ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ତିଆରି କରାଯିବ। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକୁ ସମୀକ୍ଷା କରାଯିବା ପରେ ଅସ୍ତ୍ରଶସ୍ତ୍ର ତିଆର ଲକ୍ଷ୍ୟକୁ ତ୍ୱରାନ୍ୱିତ କରାଯିବ।
ସେନାମୁଖ୍ୟ ଜେନେରାଲ ବିପିନ ରାୱତ ସୈନ୍ୟବାହିନୀ ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଡ ଉପରେ ଗୁରୁତ୍ୱ ଦେଇଛନ୍ତି। ଦେଶର ସୁରକ୍ଷା ପ୍ରତି ରହିଥିବା ବିପଦକୁ ଆଧାର କରି ସେନାମୁଖ୍ୟ କହିଛନ୍ତି ଯେ ଅସ୍ତ୍ରଶସ୍ତ୍ର ମହଜୁଦ୍‍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଅନ୍ୟଥା ସୈନ୍ୟବାହିନୀ ସମ୍ମୁଖ ଯୁଦ୍ଧକୁ ଓହ୍ଲାଇବା ଅସମ୍ଭବ ହୋଇପଡିବ। ଗତବର୍ଷ ଜୁଲାଇରେ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ସଂସଦରେ ଉପସ୍ଥାପନ କରିଥିବା ରିପୋର୍ଟରେ ସେନା ପାଇଁ ଅସ୍ତ୍ରଶସ୍ତ୍ର ଅଭାବ ରହିଥିବା ଦର୍ଶାଇଥିଲେ। ସେନା ପାଖରେ ଏବେ ଯେତିକି ଅସ୍ତ୍ରଶସ୍ତ୍ର ରହିଛି ତାହା ମାତ୍ର ୧୦ଦିନ ଯୁଦ୍ଧ ପାଇଁ ସମ୍ଭବ ହୋଇପାରିବ। ସେନା ପାଖରେ ୧୫୨ ପ୍ରକାର ଅସ୍ତ୍ରଶସ୍ତ୍ର ରହିଥିବାବେଳେ ମାତ୍ର ୬୧ପ୍ରକାର ଅସ୍ତ୍ରର ଆବଶ୍ୟକ ମହଜୁଦ ରହିଛି। ଅନ୍ୟ ସବୁ ଅସ୍ତ୍ରର ମହଜୁଦ ଅଭାବ ରହିଛି। ସୁରକ୍ଷା ପ୍ରୋଟୋକଲ ଅନୁଯାୟୀ ସେନା ପାଖରେ ଅତିକମ୍‍ରେ ୧ମାସ ଯୁଦ୍ଧ ଲାଗି ଅସ୍ତ୍ରଶସ୍ତ୍ର ମହଜୁଦ ରହିବା ଦରକାର। ବିଦେଶରୁ ଅସ୍ତ୍ରଶସ୍ତ୍ର ଆମଦାନୀ ବିଳମ୍ବ ଯୋଗୁଁ ଅସ୍ତ୍ରଶସ୍ତ୍ର ଅଭାବ ଲାଗି ରହୁଛି ବୋଲି କୁହାଯାଇଛି। ତେଣୁ ସେନା ଏବେ ନିଜସ୍ୱ ପ୍ରକଳ୍ପ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ତିଆରି ଉପରେ ଗୁରୁତ୍ୱ ଦେଇଛି। ନିଜସ୍ୱ ପ୍ରକଳ୍ପ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ତିଆରି ଲାଗି ସରକାର ସେନାକୁ କ୍ଷମତା ପ୍ରଦାନ କରିଛନ୍ତି।
ସ୍ଥଳ ସେନା ସହିତ ନୌସେନା ଓ ବାୟୁସେନା ପାଇଁ ମଧ୍ୟ ଅସ୍ତ୍ରଶସ୍ତ୍ରର ଅଭାବ ରହିଛି। ତେଣୁ ସରକାର ବିଭିନ୍ନ ରାଷ୍ଟ୍ରରୁ ୨୪ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କିଣିବା ଲାଗି ବୁଝାମଣା କରିଛନ୍ତି। ରୁଷ୍‍ ଓ ଇସ୍ରାଏଲ ଠାରୁ ଏହିସବୁ ଅସ୍ତ୍ରଶସ୍ତ୍ର କିଣାଯିବ। ସ୍ଥଳ ସେନା ପାଇଁ ୧୯ଟି ବୁଝାମଣା କରାଯାଇଛି। ଏହାର ମୂଲ୍ୟ ୧୧,୭୪୦କୋଟି ଟଙ୍କା। ଏଥିରେ ସେନା ପାଇଁ ସ୍ମେର୍କ ରକେଟ, କୋନକୁର୍ସୁ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର, ଟି-୯୦ଏସ୍‍ ଓ ଟି-୭୨ ଟ୍ୟାଙ୍କ ପାଇଁ ୧୨୫ ଏମଏମ ଗୋଳା ଆଦି କିଣାଯିବ।

Leave A Reply