୯୦ଲକ୍ଷ ଖର୍ଚ୍ଚ ପରେ ପ୍ରଦୂଷିତ ଆଖଣ୍ଡଳମଣିଙ୍କ ‘ଶିବଗଙ୍ଗା ପୁଷ୍କରିଣୀ’
ଆରଡି : ଆଖଣ୍ଡଳମଣିଙ୍କ ସେବାପୂଜା ଓ ନୀତିଭୋଗ ପ୍ରସ୍ତୁତି ନିମନ୍ତେ କନିକା ରାଜାସାହେବଙ୍କ ଦ୍ୱାରା ପ୍ରତିଷ୍ଠିତ ଶିବଗଙ୍ଗା ପୁଷ୍କରିଣୀର ଗତ କିଛିମାସ ତଳେ ପାଖାପାଖି ୯୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ପୁନରୁଉଦ୍ଧାର କରାଯାଇଥିଲେ ମଧ୍ୟ ପୁଷ୍କରିଣୀ ପୂର୍ବ ପରି ପ୍ରଦୂଷିତ ଅବସ୍ଥାରେ ରହିଯାଇଛି। ଦୀର୍ଘ ୩ବର୍ଷ ହେଲା ମଣିବାବାଙ୍କ ସେବାପୂଜା ସମେତ ନୀତିଭୋଗ ଓ ପାକ ପ୍ରସ୍ତୁତି ପାଇପ ପାଣିରେ ଚାଲିଛି। ଯାହାକୁ ନେଇ ମନ୍ଦିରର ବରିଷ୍ଠ ସେବାୟତମାନେ ଦୃଢ ନିନ୍ଦା ପ୍ରକାଶ କରିଛନ୍ତି। ବିଶେଷକରି ପୀଠକୁ ଆସୁଥିବା ଶ୍ରଦ୍ଧାଳୁଭକ୍ତମାନେ ପ୍ରଥମେ ମଣିବାବାଙ୍କ ପୂଣ୍ୟତୋୟା ଶିବଗଙ୍ଗା ପୁଷ୍କରିଣୀ ଜଳରେ ମଥାରେ ଲଗାଇବା ସହ ମାର୍ଜନା ହେବା ପରେ ମନ୍ଦିର ମଧ୍ୟକୁ ଯିବାର ବିଧିବିଧାନ ରହିଛି। ହେଲେ ଏବେ ପୁଷ୍କରିଣୀରେ ମେଞ୍ଚାମେଞ୍ଚା ଦଳ ଭାସୁଥିବା ବେଳେ ଜଳରେ ଦୁର୍ଗନ୍ଧ ବାହାରୁଥିବାରୁ ଭକ୍ତମାନେ ମାର୍ଜନା ହେବା ତ ଦୂରର କଥା ପୁଷ୍କରିଣୀକୁ ନିକଟ ଯିବା ପାଇଁ ନାକ ଟେକୁଛନ୍ତି। ପୀଠର ଶହଶହ ବର୍ଷର ପରମ୍ପରା ଅନୁଯାୟୀ ମଣିବାବାଙ୍କ ଜଳଲାଗି ସମେତ ପୂଜାର୍ଚ୍ଚନା ଓ ପାକ ପ୍ରସ୍ତୁତି ପୁଷ୍କରିଣୀ ଜଳରେ ହୋଇଥାଏ। ହେଲେ ପୁଷ୍କରିଣୀର ପୁନରୁଉଦ୍ଧାର ନିମନ୍ତେ ଗତ ୨୦୧୭/୧୮ରେ ପାଣି ଶୁଖାଇ ଦିଆଯିବା ସହ ପଙ୍କ ଉଦ୍ଧାର, ପୁଷ୍କରିଣୀ ଚତୁଃପାର୍ଶ୍ବର ମରାମତି କାର୍ଯ୍ୟ କରାଯାଇଥିଲା। ଏପରିକି ଏହି କାର୍ଯ୍ୟ ୧ବର୍ଷ ମଧ୍ୟରେ ସାରିବା ପାଇଁ ଖସଡା ପ୍ରସ୍ତୁତ ହୋଇଥିଲେ ମଧ୍ୟ କାର୍ଯ୍ୟଭାର ନେଇଥିବା ଜିଲା ଡ୍ରେନେଜ ବିଭାଗ ଦୀର୍ଘ ଅଢେଇବର୍ଷ ଧରି କାର୍ଯ୍ୟ ଜାରି ରଖିବା ସହ ଅତି ନିମ୍ନମାନର କାର୍ଯ୍ୟ କରିଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ଫଳରେ ମଣିବାବାଙ୍କ ସେବାପୂଜାରେ ବିଭିନ୍ନ ସମସ୍ୟା ଦେଖା ଦେବା ସହ ଆଗନ୍ତୁକ ଭକ୍ତମାନେ ସ୍ନାନ କରିବା ଓ ମାର୍ଜନା ହେବାରେ ନାନା ଅସୁବିଧା ଦେଖା ଦେଇଥିଲା। ଏପରି ସମସ୍ୟା ଦୂର କରିବା ପାଇଁ ମନ୍ଦିର କାର୍ଯ୍ୟାଳୟ ନିକଟରେ ଉଠାସେଚ ପଏଣ୍ଟ କରାଯାଇଥିଲେ ମଧ୍ୟ ତାହା ଏବେ ଅକାମୀ ହୋଇ ପଡିଛି । ଭକ୍ତମାନେ ଜଳ ମୁନ୍ଦାଏ ପାଇଁ ନାନା ଦୁର୍ଦଶା ଭୋଗୁଥିବା ବାବାଦରେ ବରିଷ୍ଠ ସେବାୟତ ପରମେଶ୍ୱର ପଣ୍ଡା, ସଂଜୟ ଦାଶ, ସୁରେନ୍ଦ୍ର ପାଢୀ, ରାଧାକାନ୍ତ ପାଢୀଙ୍କ ସହ ୫୦ରୁ ଉର୍ଦ୍ଧ ସେବାୟତ ଜିଲା ପ୍ରକଳ୍ପ ନିର୍ଦେଶକ ମଧୁସୂଦନ ଦାଶଙ୍କୁ ଭେଟି ସମସ୍ୟା ବାବଦରେ ଅବଗତ କରାଇଥିଲେ। ପ୍ରକଳ୍ପନିର୍ଦେଶକ ଶ୍ରୀ ଦାଶ ସେବାୟତମାନଙ୍କ ଠାରୁ ଶୁଣିବା ପରେ ମନ୍ଦିର ସହ ପରିଚାଳକ ସୁଧାକର ବିଶ୍ୱାଳ ଓ ପରିଚାଳକ ବିଦ୍ୟାଧର ପଲାଇଙ୍କ ସହ ଆଲୋଚନା କରିଥିଲେ। ଏପରିକି ତାଗଦ କରିଥିଲେକି ଭକ୍ତମାନଙ୍କ ଜଳର ଆବଶ୍ୟକତା ପାଇଁ ତୁରନ୍ତ ଉଠାସେଚ ପଏଣ୍ଟ ଗୁଡିକୁ ଚାଲୁ କରିବା ସହ ମନ୍ଦିର ଭିତର ଓ ବାହରେ ସଫା ସୁତରା ନିମନ୍ତେ ଦିନରେ ୩ ଥର ସଫେଇ କରିବା ପାଇଁ।
Comments are closed.