ମହାଭିଯୋଗରୁ ଓହରିଲା କଂଗ୍ରେସ

0

ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପ୍ରସଙ୍ଗରୁ କଂଗ୍ରେସ ସମ୍ପୂର୍ଣ୍ଣ ଓହରି ଯାଇଛି। ଦଳୀୟ ନେତାଙ୍କ ମଧ୍ୟରେ ମତଭେଦ କାରଣରୁ କଂଗ୍ରେସ ଏଭଳି ଗୁରୁତ୍ୱପୂର୍ଣ୍ଣ ତଥା ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବାକୁ ବାଧ୍ୟ ହୋଇଛି। ଆଗାମୀ ଦିନରେ ମହାଭିଯୋଗ ନୋଟିସ୍‍ ଖାରଜ ନେଇ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ନିଷ୍ପତ୍ତି ବିରୋଧରେ ଆଉ ଆବେଦନ କରାଯିବ ନାହିଁ ବୋଲି ଦଳର ତିନି ଜଣ ପ୍ରମୁଖ ନେତା ପ୍ରକାଶ କରିଛନ୍ତି। ପୂର୍ବରୁ ନାଇଡୁଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ୨ କଂଗ୍ରେସ ନେତାଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ଦଳୀୟ ନେତା ତଥା ବରିଷ୍ଠ ଓକିଲ କପିଲ ସିବଲ ପ୍ରତ୍ୟାହାର କରିନେଇଥିଲେ। ଏହି ଘଟଣାକୁ ଦଳର ଅନ୍ୟ ଜଣେ ବରିଷ୍ଠ ନେତା ଅଭିଷେକ ମନୁ ସିଙ୍ଗଭୀ ଶୁକ୍ରବାର ସ୍ୱାଗତ କରିଛନ୍ତି। ମହାଭିଯୋଗ ପ୍ରସଙ୍ଗକୁ ସୁପ୍ରିମକୋର୍ଟରେ ଆଉ ନ ଘୋଷାରିବା ଲାଗି ନିଷ୍ପତ୍ତି ନେଇ କଂଗ୍ରେସ ଉତ୍ତମ ଏବଂ ବୁଦ୍ଧିମାନ କାର୍ଯ୍ୟ କରିଛି ବୋଲି ସେ ଟ୍ୱିଟ୍‍ କରିଛନ୍ତି।
ମେ’ ୭ରେ ପଞ୍ଜାବର ରାଜ୍ୟସଭା ସାଂସଦ ପ୍ରତାପ ସିଂହ ବାଜୱା ଏବଂ ଗୁଜରାଟ ସାଂସଦ ଆମୀ ହର୍ଷଦରାୟ ୟାଜନିକ ଏ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ମିଳିତ ଆବେଦନ କରିଥିଲେ। ତାହାର ଶୁଣାଣି ଲାଗି ସୁପ୍ରିମକୋର୍ଟ ୫ ଜଣିଆ ପୀଠ ଗଠନ କରିଥିଲେ। ମାତ୍ର ପୀଠ ଗଠନ ନେଇ ପ୍ରଧାନ ବିଚାରପତିଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇବା ସହିତ ତତ୍‍ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବାକୁ କଂଗ୍ରେସ୍‍ ନେତାଙ୍କ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ ସିବଲ ଜିଦ୍‍ ଧରିଥିଲେ। ପୀଠ ଏଥିରେ ରାଜି ନ ହେବାରୁ ସିବଲ ଉକ୍ତ ଆବେଦନକୁ ପ୍ରତ୍ୟାହାର କରିନେଇଥିଲେ। ଉକ୍ତ ସାଂସଦଦ୍ୱୟଙ୍କ ପଦକ୍ଷେପ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା ବୋଲି କୁହାଯାଉଛି। ମାଷ୍ଟର ଅଫ୍‍ ରୋଷ୍ଟର ଭାବେ ପ୍ରଧାନ ବିଚାରପତି ନିଜ କ୍ଷମତାର ଅନୁଚିତ ବ୍ୟବହାର କରୁଥିବା ନେଇ ଜାନୁଆରୀରେ ସୁପ୍ରିମକୋର୍ଟର ୪ ଜଣ ବିଚାରପତି ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ ଦର୍ଶାଇବା ପରେ କଂଗ୍ରେସର କିଛି ନେତା ମହାଭିଯୋଗ ପ୍ରସ୍ତାବ ଆଣିବାର ଯୋଜନା କରିଥିଲେ। ମହାଭିଯୋଗ ନୋଟିସ୍‍ ଏକ ନିବାରକ ଭାବେ କାର୍ଯ୍ୟ କରିବ ବୋଲି ସେମାନେ ମତ ଦେଇଥିଲେ। ମାତ୍ର ସିଙ୍ଘଭୀଙ୍କ ନେତୃତ୍ୱରେ କିଛି ନେତା ଏହାକୁ ବିରୋଧ କରିଆସୁଥିଲେ। ଏହି ପଦକ୍ଷେପ କଂଗ୍ରେସକୁ ନ୍ୟାୟପାଳିକା ବିରୋଧୀ ଭାବେ ଚିତ୍ରଣ କରିବ ଏବଂ ସଂସଦରେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ନ ଥିବାରୁ ମହାଭିଯୋଗ ପ୍ରସ୍ତାବ କାଟ୍‍ ଖାଇବ ବୋଲି ସେମାନେ ଦର୍ଶାଇଛନ୍ତି। କଂଗ୍ରେସ କାହିଁକି ମହାଭିଯୋଗ ପ୍ରସ୍ତାବ ଆଣିବା ଉଚିତ୍‍ ନୁହେଁ ସେ ନେଇ ସିଙ୍ଘଭୀ ୭ଟି ପ୍ରମୁଖ କାରଣ ମଧ୍ୟ ଦର୍ଶାଇଛନ୍ତି। ଉପରାଷ୍ଟ୍ରପତି ମହାଭିଯୋଗ ନୋଟିସ୍‍ ଖାରଜ କରିବା ପରେ ଏହି ପ୍ରସଙ୍ଗରୁ ସମ୍ମାନର ସହିତ ଓହରିଯିବା ନେଇ ଦଳକୁ ଆଉ ଏକ ସୁଯୋଗ ମିଳିଥିବା ଦର୍ଶାଇ ସିଙ୍ଗଭୀ ଦଳୀୟ ହାଇକମାଣ୍ଡଙ୍କୁ ଚିଠି ଲେଖିଥିଲେ। ଏଥିସହ ନାଇଡୁଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ନ ଯିବାକୁ ମଧ୍ୟ ସେ ଦଳୀୟ ନେତାଙ୍କୁ ବୁଝାଇଥିଲେ। ଏହାସତ୍ତ୍ବେ ସୁପ୍ରିମକୋର୍ଟରେ ୨ ସାଂସଦ ଆବେଦନ କରିଥିଲେ। ଉକ୍ତ ଆବେଦନର ଶୁଣାଣିରେ ସାମିଲ ନ ହେବାକୁ ମଧ୍ୟ ଦଳୀୟ ନେତାଙ୍କୁ ସିଙ୍ଗଭି କହିଥିବା ଦଳର ଜଣେ ବରିଷ୍ଠ ନେତା କହିଛନ୍ତି। ଦଳୀୟ ନେତାଙ୍କ ମଧ୍ୟରେ ସହମତି ନ ଥିବା ବେଳେ ମହାଭିଯୋଗ ଭଳି ଏକ ପ୍ରସଙ୍ଗ ନେଇ ଆଗକୁ ବଢିବା ଉଚିତ ନୁହେଁ ବୋଲି ପୂର୍ବତନ ଆଇନମନ୍ତ୍ରୀ ତଥା କଂଗ୍ରେସ ନେତା ସଲମାନ ଖୁର୍ସିଦ ମଧ୍ୟ ମତ ଦେଇଛନ୍ତି। କଂଗ୍ରେସ ସମେତ ଅନ୍ୟ ୬ଟି ଦଳର ୭୧ ଜଣ ସାଂସଦ ଏପ୍ରିଲ ୨୦ରେ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ରାଜ୍ୟସଭାରେ ନୋଟିସ୍‍ ଦେଇଥିଲେ। ମାତ୍ର ରାଜ୍ୟସଭା ସଭାପତି ନାଇଡୁ ଏପ୍ରିଲ୍‍ ୨୪ରେ ତାହାକୁ ଖାରଜ କରିଦେଇଥିଲେ।

Leave A Reply