ବେଲଗାଁ: ଯେଉଁ ବୟସରେ କୁନି କୁନି ପାଦରେ ଚାଲି ଶିଖିବା କଥା ସେହି ବୟସରେ ଚାଲିବା ତ ଦୂରର କଥା ବିଛଣାରୁ ଉଠି ପାରୁନି ୨ ବର୍ଷର କୋମଳମତି ଶିଶୁ। ଦୁନିଆକୁ ବୁଝିବା ଆଗରୁ ଅସାଧ୍ୟ ରୋଗର ଯନ୍ତ୍ରଣାରେ ଦିନ ରାତି ଛଟପଟ ହୋଇ କାନ୍ଦୁଛି ଏହି କୋମଳମତି ଶିଶୁଟି। ଘଟଣାଟି ହେଉଛି ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଟିକ୍ରାପଡା ଗ୍ରାମର। ଏହି ଗ୍ରାମର ୨ ବର୍ଷର ଶିଶୁ ଅସାଧ୍ୟ ରୋଗରେ ପଡି ଯମ ଯନ୍ତ୍ରଣାରେ ଛଟପଟ ହେଉଥିବା ଆଲୋଚନାର ବିଷୟ ହୋଇଛି। ଶିଶୁଟିର ବୟସ ୧୦ ମାସର ହୋଇଥିବା ବେଳେ ମା ଲିଭର ଜନିତ ରୋଗରେ ଆଖି ବୁଜି ଥିଲେ। ଘରେ ବୃଦ୍ଧା ଆଈ ଏବଂ ପିତା ଏହାର ଲାଳନ ପାଳନ କରୁଥିବା ବେଳେ ଅର୍ଥ ଅଭାବରୁ ଉପଯୁକ୍ତ ଚିକିତ୍ସା ଯୋଗାଇ ପାରୁନାହାନ୍ତି। ଶିଶୁଟିର ବେକ ମୋଡି ହୋଇଯାଇଥିବା ବେଳେ ସର୍ବଦା ଛଟପଟ ହୋଇ କାନ୍ଦୁଛି। ଖୁବ କମ ସମୟ ଶିଶୁଟିକୁ ନିଦ ହେଉଛି। ଏଥିପାଇଁ ବୃଦ୍ଧା ଆଇ ଏବଂ ପିତା ରାତି ଦିନ ଉଜାଗର ରହି ପୁଅକୁ ଜଗି ବସୁଛନ୍ତି। ପୁଅକୁ କଟକ ଶିଶୁ ଭବନ ଏବଂ ରାୟପୁର ଏମ୍ସକୁ ନେଇ ନିରାଶ ହୋଇ ଫେରିଛନ୍ତି ପିତା। ରାଜ୍ୟ ସରକାରଙ୍କ ସାହାଯ୍ୟ ଓ ସହଯୋଗ ଫଳରେ ଯୋଡା ମୁଣ୍ଡ ଶିଶୁ ଜଗା ବଳିଆଙ୍କ ଚିକିତ୍ସା ପରି ସମ୍ପ୍ରତି ଆଧୂନିକ ଚିକିତ୍ସା ପଦ୍ଧତିରେ ଅନେକ କିଛି ସମ୍ଭବ ହେଉଥିବା ବେଳେ ଏହି ଶିଶୁଟିର ଚିକିତ୍ସା ପାଇଁ ଅର୍ଥ ଅନ୍ତରାୟ ସାଜୁଥିବା ଗ୍ରାମବାସୀ କହିଛନ୍ତି। ଏନେଇ ମଙ୍ଗଳବାର ସମ୍ପୃକ୍ତ ଅଞ୍ଚଳ ଗସ୍ତରେ ଯାଇଥିବା ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ନିଜ ପୁଅକୁ ଧରି ପିତା ଚିକିତ୍ସାରେ ସାହାଯ୍ୟ କରିବା ପାଇଁ ଗୁହାରି କରିଛନ୍ତି।
ଚିକିତ୍ସାରେ ବାଧକ ସାଜିଛି ଅର୍ଥ, ସାହାଯ୍ୟ ପାଇଁ ମନ୍ତ୍ରୀଙ୍କ ନିକଟରେ ଗୁହାରୀ କଲେ ପିତା
Popular Categories



