ଅଷ୍ଟ୍ରେଲିଆନ୍‍ ଓପନ୍‍ ବ୍ୟାଡ୍‍ମିଣ୍ଟନ: ପ୍ରଣିତ, ସମୀର ପରାସ୍ତ , ମନୁ-ସୁମିତ ସେମିରେ

0

ସିଡ୍‍ନୀ : ଏଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍‍ ଓପନ୍‍ ବ୍ୟାଡ୍‍ମିଣ୍ଟନ୍‍ ଟୁର୍ଣ୍ଣାମେଣ୍ଟରେ ଶୁକ୍ରବାର ଭାରତକୁ ମିଶ୍ରିତ ଫଳାଫଳ ମିଳିଛି। ପୁରୁଷ ଡବଲ୍‍ସରେ ଭାରତୀୟ ଯୋଡ଼ି ମନୁ ଅତ୍ରି ଓ ବି. ସୁମିତ ରେଡ୍‍ଡୀ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ତେବେ ସିଙ୍ଗଲ୍‍ସରେ ଭାରତର ଚ୍ୟାଲେଞ୍ଜ୍‍ ସମାପ୍ତ ହୋଇଯାଇଛି। ପୁରୁଷ ସିଙ୍ଗଲ୍‍ସ କ୍ୱାର୍ଟରଫାଇନାଲରେ ପହଞ୍ଚିଥିବା ଦୁଇ ଭାରତୀୟ ବି. ସାଇ ପ୍ରଣିତ ଓ ସମୀର ବର୍ମା ପରାସ୍ତହୋଇ ବିଦାୟ ନେଇଛନ୍ତି। ଉଭୟେ ସମୀର ଓ ସାଇ ପ୍ରଣିତ ସେମାନଙ୍କଠାରୁ କମ୍‍ ମାନ୍ୟତାପ୍ରାପ୍ତ ଖେଳାଳିଙ୍କଠାରୁ ପରାସ୍ତ ହୋଇଛନ୍ତି।
ପୁରୁଷ ଡବଲ୍‍ସ କ୍ୱାର୍ଟରଫାଇନାଲ ମୁକାବିଲାରେ ୩ୟ ସିଡ୍‍ ଭାରତର ମନୁ ଅତ୍ରି ଓ ବି. ସୁମିତ ରେଡ୍‍ଡୀ ୧୭-୨୧, ୨୧-୧୯, ୨୧-୧୮ରେ ସାଥୀ ଭାରତୀୟ ଯୋଡ଼ି ୭ମ ସିଡ୍‍ ଏମ୍‍.ଆର୍‍. ଅର୍ଜୁନ ଓ ଶ୍ଳୋକ ରାମଚନ୍ଦ୍ରନଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲାରେ ମନୁ-ସୁମିତ ଯୋଡ଼ି ପ୍ରଥମ ଗେମ୍‍ରେ ପରାସ୍ତ ହୋଇଥିଲେ ହେଁ ଲଢ଼ୁଆ ପ୍ରଦର୍ଶନ କରି ପରବର୍ତ୍ତୀ ୨ଟିଯାକ ଗେମ୍‍ ଜିତି ନେଇଥିଲେ। ଏହି ସଂଘର୍ଷପୂର୍ଣ୍ଣ ମୁକାବିଲା ୫୧ ମିନିଟ ଧରି ଚାଲିଥିଲା। ପ୍ରତି ପଏଣ୍ଟ ପାଇଁ ଏହି ଦୁଇ ଭାରତୀୟ ଯୋଡ଼ିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଶନିବାର ସେମିଫାଇନାଲରେ ମନୁ-ସୁମିତ ଟପ୍‍ ସିଡ୍‍ ଇଣ୍ଡୋନେସିଆର ବେରି ଆଙ୍ଗ୍ରିଆୱାନ୍‍ ଓ ହାଦ୍ରିଆନ୍ତୋ ହାଦ୍ରିଆନ୍ତୋଙ୍କ ମୁକାବିଲା କରିବେ। ପୁରୁଷ ସିଙ୍ଗଲ୍‍ସରେ ୨ୟ ସିଡ୍‍ ସାଇ ପ୍ରଣିତଙ୍କଠାରୁ ଭାରତ ବହୁତ ଆଶା ରଖିଥିଲା। ତେବେ କ୍ୱାର୍ଟରଫାଇନାଲରେ ସାଇ ପ୍ରଣିତଙ୍କୁ ୭ମ ସିଡ୍‍ ହଂକଂର ଲୁ ଚ୍ୟୁକ୍‍ ୟିଉ ୨୩-୨୧, ୨୧-୧୩ରେ ପରାସ୍ତ କରିଛନ୍ତି। ୪୩ ମିନିଟ୍‍ର ଏହି ମୁକାବିଲାରେ ପ୍ରଥମ ଗେମ୍‍ରେ ପ୍ରଣିତ ମୁକାବିଲା କରିଥିଲେ ହେଁ ୨ୟ ଗେମ୍‍ରେ ହଂକଂର ଖେଳାଳି ପ୍ରାଧାନ୍ୟ ବିସ୍ତାର କରିଥିଲେ। ୪ର୍ଥ ସିଡ୍ ସମୀର ବର୍ମା ମଧ୍ୟ ଅନୁରୂପ ଦଶା ଭୋଗିଛନ୍ତି। ସମୀରଙ୍କୁ କ୍ୱାର୍ଟରରେ ଅଣସିଡେଡ୍‍ ଚୀନ୍‍ର ଖେଳାଳି ଗ୍ୱାଙ୍ଗ୍‍ଜୁ ଲ୍ୟୁ ସହଜରେ ୨୧-୧୪, ୨୧-୬ରେ ପରାସ୍ତ କରିଛନ୍ତି। ମାତ୍ର ୩୪ ମିନିଟରେ ଗ୍ୱାଙ୍ଗ୍‍ଜୁ ଜିତି ନେଇଥିଲେ।

Leave A Reply