ଆଜି ବସିପାରେ କଲେଜିୟମ୍ ବୈଠକ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବିଚାରପତି ଭାବେ ଉତ୍ତରାଖଣ୍ଡ ମୁଖ୍ୟ ବିଚାରପତି କେ. ଏମ୍. ଯୋଶେଫ୍ଙ୍କ ପଦୋନ୍ନତି ପ୍ରସଙ୍ଗରେ ଶୁକ୍ରବାର କଲେଜିୟମ୍ ବୈଠକ ବସିବାର ସମ୍ଭାବନା ରହିଛି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ସହିତ ସୁପ୍ରିମକୋର୍ଟ କଲେଜିୟମ୍ ସଦସ୍ୟମାନେ ଗୁରୁବାର ଏ ସମ୍ପର୍କରେ ପରାମର୍ଶ କରିଥିବା ବିଶ୍ୱସ୍ଥ ସୂତ୍ରରୁ ସୂଚନା ମିଳିଛି। ପାଞ୍ଚଜଣିଆ ସୁପ୍ରିମକୋର୍ଟ ବୋର୍ଡର ଅନୁମୋଦନ ପରେ ଯେ କୌଣସି ମୁହୂର୍ତ୍ତରେ କଲେଜିୟମ ବୈଠକ ବସିବା ସମ୍ଭାବନା ରହିଥିବା ଏହି ସୂତ୍ରରୁ ପ୍ରକାଶ।
ତେବେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱିତୀୟ ବରିଷ୍ଠ ବିଚାରପତି ଜେ. ଚେଲମେଶ୍ୱର ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଏକ ଚିଠି ଲେଖି ପଦୋନ୍ନତି ଲାଗି ବିଚାରପତି ଯୋଶେଫ୍ଙ୍କ ନାମ କେନ୍ଦ୍ର ସରକାରଙ୍କୁ ପୁନଃ ସୁପାରିସ କରିବା ଉପରେ ଆଲୋଚନା ନିମନ୍ତେ କଲେଜିୟମ୍ର ଏକ ଜରୁରୀ ବୈଠକ ଡକାଇବାକୁ ପ୍ରଧାନ ବିଚାରପତିଙ୍କୁ ନିବେଦନ କରିଥିଲେ। ଏହି ଚିଠି ସହିତ ବୈଠକ ଆହୂତ ହେବାର କୌଣସି ସମ୍ପର୍କ ନ ଥିଲେ ମଧ୍ୟ ସଂଯୋଗ ବଶତଃ ଏହା ସାବ୍ୟସ୍ତ ହେବାକୁ ଯାଉଛି।
ବିଚାରପତି ଯୋଶେଫ୍ଙ୍କ ପଦୋନ୍ନତି ସମ୍ବନ୍ଧୀୟ ନିଜ ସୁପାରିସ ଉପରେ କଲେଜିୟମ୍ ପୁନଃ ବିଚାର କରିବାକୁ ଦର୍ଶାଇ ଏପ୍ରିଲ ୨୬ରେ ତାହାକୁ କେନ୍ଦ୍ର ସରକାର ଫେରାଇ ଦେଇଥିଲେ। ସୁପ୍ରିମକୋର୍ଟର ମାନଦଣ୍ଡ ଅନୁଯାୟୀ ଏହି ସୁପାରିସ କରାଯାଇ ନ ଥିବା କେନ୍ଦ୍ର ସରକାର ଦର୍ଶାଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ନେଇ ବିଚାରପତି ଯୋଶେଫଙ୍କ ବରିଷ୍ଠତା ଉପରେ ମଧ୍ୟ କେନ୍ଦ୍ର ପ୍ରଶ୍ନ ଉଠାଇଥିଲା।
ସୁପ୍ରିମକୋର୍ଟର ଜଣେ ଅଧିକାରୀ କହିଛନ୍ତି, ଯେଉଁ କାରଣରୁ ଜାନୁଆରୀ ୧୦ରେ ବିଚାରପତି ଯୋଶେଫ୍ଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯାଇଥିଲା ସେଥିରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଏଣୁ ସେ ବିଚାରପତି ଯୋଶେଫ୍ଙ୍କ ପଦୋନ୍ନତି ନିମନ୍ତେ ପୁନଃ ସୁପାରିସ କରୁଛନ୍ତି ବୋଲି ବିଚାରପତି ଚେଲମେଶ୍ୱର ପ୍ରଧାନ ବିଚାରପତିଙ୍କୁ ବୁଧବାର ସନ୍ଧ୍ୟାରେ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଯେଉଁସବୁ ପ୍ରଶ୍ନ ଉଠାଇଛନ୍ତି, ତାହାର ସମସ୍ତ ଉତ୍ତର ବିଚାରପତି ଚେଲମେଶ୍ୱର ଦେଇଛନ୍ତି। ଏହି ପ୍ରସଙ୍ଗରେ ବୁଧବାର ସୁପ୍ରିମକୋର୍ଟ କଲେଜିୟମ୍ ବୈଠକ ବସିବ ବୋଲି କୁହାଯାଉଥିଲା; କିନ୍ତୁ ଚେଲମେଶ୍ୱର ଛୁଟିରେ ଥିବାରୁ ତାହା ସମ୍ଭବ ହୋଇ ନ ଥିଲା। କଲେଜିୟମ୍ର ଅନ୍ୟତମ ସଦସ୍ୟ ତଥା ସୁପ୍ରିମକୋର୍ଟ ବିଚାରପତି କୁରିଏନ୍ ଯୋଶେଫ୍ ମଧ୍ୟ ବିଚାରପତି ଯୋଶେଫ୍ଙ୍କ ନାମ ପୁନଃ ସୁପାରିସ କରିବା ସପକ୍ଷରେ ଅଛନ୍ତି। ଗତ ସପ୍ତାହରେ ସେ କଲେଜିୟମ ସୁପାରିସ ଫେରାଇଦେବା କେନ୍ଦ୍ର ସରକରାରଙ୍କ ପକ୍ଷରେ ଉଚିତ ହୋଇ ନାହିଁ ବୋଲି ସେ କେରଳରେ ଏକ କାର୍ଯ୍ୟକ୍ରମରେ ମତ ଦେଇଥିଲେ।