ଓସିଏ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ
କଟକ : ବହୁ ପ୍ରତୀକ୍ଷିତ ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ)ନିର୍ବାଚନ ପାଇଁ ଶୁକ୍ରବାର ପାର୍ଥିପତ୍ର ଦାଖଲ କରାଯିବ। ଲୋଧା କମିଟି ସୁପାରିସ ଲାଗୁହେବା ପରେ ବିସିସିଆଇ ତଥା ଓସିଏର ନୂତନ ସମ୍ବିଧାନ ପ୍ରସ୍ତୁତ ହୋଇଛି; ଯାହା ଅନୁସାରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି। ଓସିଏର ସମ୍ମିଳନୀ କକ୍ଷରେ ନିର୍ବାଚନ ଅଧିକାରୀ ଏମ୍.ଏଲ୍. ମଜୁମ୍ଦାରଙ୍କ ନିକଟରେ ବିଭିନ୍ନ ପଦ ପାଇଁ ଆଶାୟୀ ପ୍ରାର୍ଥିପତ୍ର ଦାଖଲ କରିବେ।
ଏଥର ୭୩ ଜଣ ସଦସ୍ୟ ଓସିଏକୁ ପରିଚାଳନା କରିବେ। ଏଥିପାଇଁ ଗତ ୧୫ରେ ଚୂଡ଼ାନ୍ତ ୭୩ ଜଣିଆ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇସାରିଛି। ଏହି ୭୩ଟି ଅନୁବନ୍ଧିତ ସଂଘ ମଧ୍ୟରେ୩୧ଟି ଜିଲା, ୧୧ଟି ସ୍କୁଲ୍, ୩ଟି କଲେଜ୍, ୨୦ଟି କ୍ଲବ୍, ୫ଟି ସଂଗଠନ ଏବଂ ଓଡ଼ିଶାର ୩ ଜଣ ଆନ୍ତର୍ଜାତିକ କ୍ରିକେଟର ଅଛନ୍ତି। ୫ ଜଣ କର୍ମକର୍ତ୍ତା ଓ ଜଣେ ଆପେକ୍ସ କାଉନ୍ସିଲ ସଦସ୍ୟ ପାଇଁ ଚଳିତମାସ ୨୭ରେ ନିର୍ବାଚନ ଅନୁଷ୍ଠିତ ହେବ। ଶୁକ୍ରବାର ପାର୍ଥିପତ୍ର ଦାଖଲ ପୂର୍ବରୁ ଓସିଏର ଦୁଇ ଗୋଷ୍ଠୀ ସେମାନଙ୍କ ସମର୍ଥକଙ୍କୁ ନେଇ ପୁରୀ ଓ କଟକର ହୋଟେଲରେ ବୈଠକ କରିଛନ୍ତି। ତେବେ ସେମାନଙ୍କ ପ୍ୟାନେଲ୍ରେ କେଉଁମାନେ ରହିଛନ୍ତି; ତାହାକୁ ଅତ୍ୟନ୍ତ ଗୁପ୍ତ ରଖିଛନ୍ତି ଉଭୟ ଗୋଷ୍ଠୀ। ବନ୍ଦ ଲଫାଫା ଭିତରେ ଗୋପନ ଭାବେ ନାମାଙ୍କନ ଦାଖଲ ହେବା ସମ୍ଭାବନା ରହିଛି। ଶନିବାର ପ୍ରାର୍ଥିପତ୍ର ଯାଞ୍ଚହେବ। ରବିବାର ପ୍ରାର୍ଥିପତ୍ର ପ୍ରତ୍ୟାହାରର ଦିନ ଥିବା ବେଳେ ଏହାପରେ ଚୂଡ଼ାନ୍ତ ପାର୍ଥିତାଲିକା ପ୍ରକାଶ ପାଇପାରେ। ୨୭ରେ ଭୋଟଦାନ ପରେ ଗଣତି କରାଯିବ ଏବଂ ଫଳାଫଳ ଘୋଷଣା କରାଯିବ।
ଏଣେ ପାର୍ଥିପତ୍ର ଦାଖଲର ଦିନକ ପୂର୍ବରୁ ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଗିରଫ କରାଯିବା ଫଳରେ ଏହାର ପ୍ରଭାବ ଫଳାଫଳ ଉପରେ ପଡ଼ିବ କି ନାହିଁ; ତାହା ସମୟ ହିଁ କହିବ। ଗୁରୁବାର ଆଶୀର୍ବାଦ ଗିରଫହେବା ପରେ ବାରବାଟୀ ଷ୍ଟାଡିୟମ୍ ସ୍ତବ୍ଧ ହୋଇ ପଡ଼ିଥିବା ବେଳେ ନିର୍ବାଚନୀ ଉଷ୍ମତା କିନ୍ତୁ କମ୍ ହୋଇନାହିଁ।