ରାଜ୍ୟ କଂଗ୍ରେସର ସାଙ୍ଗଠନିକ ପରିବର୍ତ୍ତନ ହେବ – ନିରଞ୍ଜନ
ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ତୃଣମୂଳ ସ୍ତରରୁ ସାଂଗଠନିକ ପରିବର୍ତ୍ତନ କରିବା ନେଇ ବିଚାର ବିମର୍ଶ ଚାଲିଛି। ଏ ନେଇ ପ୍ରଦେଶ କଂଗ୍ରେସ କାର୍ୟ୍ୟାଳୟ ଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟଙ୍କ ସଭାପତିତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଚଳିତ ନିର୍ବାଚନରେ ଦଳୀୟ ସମସ୍ତ ବିଧାନ ସଭା ଓ ଲୋକସଭାରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କୁ ଏହି ବୈଠକକୁ ପ୍ରତିନିଧି ଭାବେ ଡକାଯାଇଥିଲା। ମହିଳା, ଛାତ୍ର, ଯୁବ ଓ ମିଡିଆସେଲର ପୁନଃଗଠନ କରିବା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ପୁଣ୍ୟ ଜୟନ୍ତୀ ଚଳିତ ବର୍ଷ ଅକ୍ଟୋବର ୨ ତାରିଖରେ ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ଏକ ଭବ୍ୟ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। ମହାତ୍ମା ଗାନ୍ଧୀଙ୍କ ସ୍ମୃତି ଜଡ଼ିତ ସ୍ଥାନଗୁଡ଼ିକରେ ବିଭିନ୍ନ ପର୍ୟ୍ୟାୟରେ ପଦଯାତ୍ରା କରିବାପାଇଁ ସ୍ଥିର ହୋଇଛି। ଅକ୍ଟୋବର ୩ରୁ ୯ ତାରିଖ (ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପୁଣ୍ୟ ଜୟନ୍ତୀ ପର୍ୟ୍ୟନ୍ତ ପ୍ରତ୍ୟେକ ଜିଲା ଓ ବ୍ଲକ ସ୍ତରରେ ବକ୍ତୃତାମାଳା, ସେମିନାର ଓ ଫଟୋ ପ୍ରଦର୍ଶନୀ କରାଯିବ। ଜାତୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଆହ୍ୱାନକ୍ରମେ ଦେଶରେ ଦେଖାଦେଇଥିବା ଅର୍ଥନୈତିକ ମାନ୍ଦାବସ୍ଥାର କୁପରିଣତି କିଭଳି ଭାବରେ ନିରୀହ ଜନତା ଆଗାମୀ ଦିନରେ ଭୋଗ କରିବେ ସେ ବିଷୟରେ ସଚେତନ କରିବାପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।
ସଭ୍ୟସଂଗ୍ରହ ଉଭୟ ଡିଜିଟାଲ ଓ ପାରମ୍ପରିକ ପୁସ୍ତିକା ମାଧ୍ୟମରେ ଆଗାମୀ ୨ ଅକ୍ଟୋବର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରୁ ଆରମ୍ଭ କରାଯିବ। ଜନ ସଚେତନତା ସୃଷ୍ଟିପାଇଁ ଅକ୍ଟୋବର ୧୫ରୁ ୨୫ ତାରିଖ ପର୍ୟ୍ୟନ୍ତ ସମସ୍ତ ଜିଲା ସଦର ମହକୁମା ଓ ବ୍ଲକ ସ୍ତରରେ ଆନ୍ଦୋଳନାତ୍ମକ କାର୍ୟ୍ୟ ଗ୍ରହଣ କରାଯିବାକୁ ସ୍ଥିର କରାଯାଇଛି। ଦଳ ତରଫରୁ ନେତୃତ୍ୱର ବିକାଶ ପାଇଁ ପ୍ରଶିକ୍ଷଣ ଶିବର ଆୟୋଜନ କରାଯିବ। ଅକ୍ଟୋବର ୧୦ ତାରିଖ ସୁଦ୍ଧା ପ୍ରଶିକ୍ଷଣ ସଂଯୋଜକ ଓ ପ୍ରେରକମାନଙ୍କର ନାମ ଘୋଷଣା କରାଯିବ। ଏ ନେଇ ରାଜ୍ୟ ସଂଯୋଜକ ଭାବେ ଶୁଭେନ୍ଦୁ ମହାନ୍ତିଙ୍କୁ ପ୍ରଶିକ୍ଷଣ ଦାୟିତ୍ୱ ଅର୍ପଣ କରାଯାଇଛି। ସମଗ୍ର ରାଜ୍ୟକୁ ୭ଟି ଜୋନରେ ବିଭକ୍ତ କରାଯାଇ ତିନିଦିନିଆ ଆବାସିକ ଶିବିର ଗୁଡ଼ିକର ଆୟୋଜନ କରାଯିବାକୁ ସ୍ଥିର ହୋଇଛି। ପ୍ରଦେଶର ତଳସ୍ତରରୁ ଉପରସ୍ତର ପର୍ୟ୍ୟନ୍ତ ସମସ୍ତ କମିଟିକୁ ବାତିଲ୍ କରାଯାଇଛି। ଖୁବ୍ଶୀଘ୍ର ତୃଣମୂଳ ସ୍ତରରୁ ଆରମ୍ଭ କରି ପ୍ରାଦେଶିକ କମିଟିର ପୁନର୍ଗଠନ କରାଯାଇ ଆଗାମୀ ଡିସେମ୍ବର ମାସ ଭିତରେ ଏକ ବଡ଼ ଧରଣର ସଭା ଆୟୋଜନ କରିବାକୁ ସ୍ଥିର ହୋଇଛି। ରାଜ୍ୟ କଂଗ୍ରେସ ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକଙ୍କୁ ଏଆଇସିସି ପୂର୍ବଭଳି ଦାୟିତ୍ୱ ଦେଇଥିବାରୁ ତୃଣମୂଳ ସ୍ତରରୁ ସଂଗଠନକୁ ସଜାଡିବା ତାଙ୍କ ପାଇଁ ଆହ୍ୱାନ ହୋଇଛି।