ପିଡବ୍ଲ୍ୟୁଡି ଦୁର୍ନୀତି : କେଜରିୱାଲଙ୍କ ପୁତୁରା ଗିରଫ

0

ନୂଆଦିଲ୍ଲୀ : କାର୍ମିକ ବିଭାଗ (ପିଡବ୍ଲ୍ୟୁଡି)ରେ ଦୁର୍ନୀତି ସମ୍ବନ୍ଧୀୟ ଏକ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପୁତୁରା ବିନୟ ବଂଶଲଙ୍କୁ ଦୁର୍ନୀତି ନିରୋଧୀ ଶାଖା (ଏସିବି) ଗୁରୁବାର ଗିରଫ କରିଛି। ଏସିବି ମୁଖ୍ୟ ଅରବିନ୍ଦ ଦୀପ କହିଛନ୍ତି, ପିଡବ୍ଲ୍ୟୁଡି ପକ୍ଷରୁ ହୋଇଥିବା ନାଳ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ନେଇ ବିନୟଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଥିଲା। ଏ ନେଇ ତାଙ୍କ ଦ୍ୱାରା ପରିଚାଳିତ ରେଣୁ କନ୍‌ଷ୍ଟ୍ରକ୍‌ସନ୍‌ କମ୍ପାନୀ ବିରୋଧରେ ୨୦୧୭ ମେ ୯ରେ ଏଫ୍‌ଆଇଆର୍‌ ରୁଜୁ ହୋଇଥିଲା। ଏଥିରେ ବିନୟଙ୍କ ପିତା ସୁରେନ୍ଦ୍ର ବଂଶଲଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଥିଲା। ଏହି ଏଫ୍‌ଆଇଆର୍‌ ରୁଜୁ ହେବାର କିଛି ଦିନ ପରେ ସୁରେନ୍ଦ୍ରଙ୍କ ପରଲୋକ ଘଟିଥିଲା। ଏପରିକି ବଂଶଲଙ୍କ କମ୍ପାନୀ ରେଣୁ କନ୍‌ଷ୍ଟ୍ରକ୍‌ସନ୍‌କୁ ନାଳ ନିର୍ମାଣ ସମ୍ବନ୍ଧୀୟ ଠିକା କାର୍ଯ୍ୟ ପ୍ରଦାନ କରିବା ନିମନ୍ତେ କେଜରିୱାଲ ଏବଂ ପିଡବ୍ଲ୍ୟୁଡି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ନିଜ ନିଜ ପଦର ବେଆଇନ ଉପଯୋଗ କରିଛନ୍ତି ବୋଲି ସଡ଼କ ଦୁର୍ନୀତି ନିରୋଧୀ ସଂସ୍ଥା (ରାକୋ)ର ସହପ୍ରତିଷ୍ଠାତା ରାହୁଲ ଶର୍ମା ଅଭିଯୋଗ କରିଛନ୍ତି। ବିନୟଙ୍କୁ ଉତ୍ତର ପଶ୍ଚିମ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରୁ ସକାଳ ୪ଟାରେ ଗିରଫ କରାଯାଇଥିବା ଆମ୍‌ ଆଦ୍‌ମୀ ପାର୍ଟି ପକ୍ଷରୁ କୁହାଯାଇଛି। ରେଣୁ କନ୍‌ଷ୍ଟ୍ରକସନ୍‌ର ବିନୟ ଜଣେ ଛୋଟ ଅଂଶୀଦାର। ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବାର ରାଜନୈତିକ ଉଦ୍ଦେଶ୍ୟ ରଖି ବିନୟଙ୍କୁ ଗିରଫ କରାଯାଇଥିବା ଦଳ ଦର୍ଶାଇଛି।

Leave A Reply