ପାଗଳ ବେଶରେ ଇଞ୍ଜିନିୟରଙ୍କ ପ୍ଲାଷ୍ଟିକମୁକ୍ତ ଅଭିଯାନ

0

ସିମୁଳିଆ: ମୁଁ ଆସିଛି କବାଡିବାଲା, ଗାଁରେ ବୁଲି କରିବି ହାଲ୍ଲା। କଠିନ ଅଳିଆ ବର୍ଜ୍ୟବସ୍ତୁ ସବୁ ଏଣେତେଣେ ନ ପକା ଭଲା। ଗାଁଠୁ ସହର, ଧନୀଠୁ ଗରିବ ଅଳିଆ ହଟାଇ କରିବା ପଣ। ପଲିଥିନ ମୁକ୍ତ ଭାରତ ଗଢ଼ିବା ହଟିବ ଅଳିଆ, ହସିବ ଦେଶ..। ଏହିପରି ବିଭିନ୍ନ ସଂଳାପ କହି ଗାଁର ଗଳିକନ୍ଦି ବୁଲୁଥିବା ପାଗଳ ଜଣକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି। ଭାଇରାଲ ହେଉଥିବା ସମ୍ପୃକ୍ତ ଯୁବକ ହେଲେ ବାଲେଶ୍ବର ଜିଲା ସିମୁଳିଆ ବ୍ଲକର କହ୍ନେଇବିନ୍ଧା ପଞ୍ଚାୟତ ଦଧିବାମନପୁର ଗାଁର ହରିହର ମିଶ୍ରଙ୍କ ପୁଅ ଅଭିମନ୍ୟୁ ମିଶ୍ର।
ପରିବେଶକୁ ସଫା ସୁତୁରା ରଖିବାକୁ ସରକାର ବିଭିନ୍ନ ଯୋଜନା ସହିତ ନାନା ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। ମାତ୍ର ତାହା କାଗଜ କଲମରେ ସୀମିତ ରହିଯାଉଛି। ଏଥିପାଇଁ ଆସୁଥିବା ଅର୍ଥ ଅନେକ ସମୟରେ ପାଣିରେ ପଡ଼ୁଛି। ସହର ଓ ଗ୍ରାମାଞ୍ଚଳକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହେଉଥିଲେ ବି ଲୋକେ ପ୍ଲାଷ୍ଟିକକୁ ଛାଡିପାରି ନାହାନ୍ତି। ଏପରି ସ୍ଥଳେ ଅଭିମନ୍ୟୁଙ୍କ ଏହି ଅଭିନବ ପ୍ଲାଷ୍ଟିକ ସଚେତନତା ଅଭିଯାନ ସମସ୍ତଙ୍କୁ ଉଦବୁଦ୍ଧ କରିଛି। ଦଶଭୁଜା ହାଇସ୍କୁଲରୁ ୧୯୯୭ ମସିହାରେ ଦଶମ ଶ୍ରେଣୀ ପାସ କରି ସିମୁଳିଆ ମହାବିଦ୍ୟାଳୟରେ ଆଇଟିିଆଇରେ ପଢ଼ିବା ପରେ ସିଭିଲ ଇଞ୍ଜିନିୟରିଂରେ ଡିପ୍ଲୋମା ପାସ କରିଥିଲେ ଅଭି। ବରଗଡ ଜିଲାରେ ଏକ କମ୍ପାନୀ ଓ ଦିଲ୍ଲୀରେ ମଧ୍ୟ ଏକ କମ୍ପାନୀରେ ମୋଟା ଅଙ୍କ ବେତନର ଚାକିରି ତାଙ୍କୁ ବାନ୍ଧି ରଖି ପାରିଲାନି। ଶେଷରେ ସମାଜସେବାରେ ନିଜକୁ ସାମିଲ କରିବାକୁ ଚାଲି ଆସିଥିଲେ ନିଜ ଗାଁକୁ। ଆଉ ସେଠାରେ ଆରମ୍ଭ କରିଥିଲେ ଲୋକମାନଙ୍କ ସେବା ଓ ସଚେତନତା କାର୍ଯ୍ୟକ୍ରମ। ଅଭିନବ ଉପାୟରେ ନିଜକୁ ପାଗଳ ସଜାଇ ଗାଁ ଦାଣ୍ଡରେ ବୁଲି ବୁଲି ପଲିଥିନ, ଜରି ଓ ପ୍ଲାଷ୍ଟିକଜାତ ଦ୍ରବ୍ୟକୁ ସେ ଗୋଟାଉଥିବାର ଦୃଶ୍ୟ ଯେ କେହି ଦେଖିଲେ ତାଙ୍କୁ ଭାବିନେବ ପାଗଳ ବୋଲି। ପ୍ରତିଦିନ ସେ ୨ରୁ ୩ ବସ୍ତା ଅଳିଆ ଗୋଟାଇ ଗାଁ ଗଣ୍ଡା ଓ ବଜାରର ରାସ୍ତା ଘାଟ ସଫା କରନ୍ତି। ସେଗୁଡ଼ିକୁ ନେଇ ଗୋଟାଏ ସ୍ଥାନରେ ପକାଇଥାନ୍ତି। ସେ ଲୋକଙ୍କୁ ସଚେତନ କରୁଥିବାବେଳେ ରାସ୍ତାରେ ପଲିଥିନ ଧରି ଯାଉଥିବା ଲୋକ ଓ ବଜାରରେ ଦୋକାନରେ ପଲିଥିନ ରଖିଥିବା ବେପାରୀ ଏବଂ ସାଧାରଣ ଲୋକ ଅଭିଙ୍କ ଏପରି ପାଗଳାମି ପାଇଁ ତାଙ୍କୁ ଆକ୍ରମଣ ବି କରୁଥିବା ନଜିର ରହିଛି। ଯେତେବେଳେ ଲୋକେ ଜାଣନ୍ତି ସତରେ ସେ ପାଗଳ ନୁହନ୍ତି, ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି ତାଙ୍କୁ ଭୁରି ଭୁରି ପ୍ରଶଂସା କରିଥାନ୍ତି। ଅଭିମନ୍ୟୁ ସ୍ଥାନୀୟ ଅଞ୍ଚଳ​‌େ​‌ର ସ୍ୱଛ ଭାରତ ଯୋଜନାରେ ବହୁ ସ୍ୱେଛାସେବୀ ଅନୁଷ୍ଠାନ ସହିତ ଜଡିତ ଥାଇ କାମ ମଧ୍ୟ କରୁଛନ୍ତି। ଏ ସମ୍ପର୍କରେ ଅଭିମନ୍ୟୁଙ୍କୁ ପଚାରିଲେ ସେ କହନ୍ତି ଏସବୁ କରିବା ଦ୍ୱାରା ମୋତେ ଆତ୍ମ ସନ୍ତୋଷ ମିଳୁଛି। ପରିବେଶ ସୁରକ୍ଷା ପାଇଁ ସେ ପଣ କରିଥିବା କହିଛନ୍ତି।

Leave A Reply