ଭାରତ ବିକିବ ବୁଲେଟ୍‌ ପ୍ରୁଫ ଜ୍ୟାକେଟ୍‌

ତେଜସ୍‌ କିଣିବାକୁ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ଆଗ୍ରହୀ

0

ନୂଆଦିଲ୍ଲୀ: ୟୁରୋପୀୟ ସଂଘ ସମେତ ବିଶ୍ବର ପ୍ରାୟ ୧୦୦ଟି ଦେଶ ଭାରତରେ ନିର୍ମିତ ଅତ୍ୟାଧୁନିକ ବୁଲେଟ୍‌ ପ୍ରୁଫ୍ ଜ୍ୟାକେଟ୍‌ କିଣିବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। ଏହି ଜ୍ୟାକେଟ୍‌ର ସୁରକ୍ଷା ବ୍ୟବସ୍ଥା ଅନ୍ୟଦେଶ ଠାରୁ ସୁଦୃଢ। ଯେକୌଣସି ପାଣିପାଗ ଓ ପରିସ୍ଥିତିରେ ଏହି ଜ୍ୟାକେଟ୍‌କୁ ବ୍ୟବହାର କରାଯାଇପାରେ। ତୀବ୍ର ଗୁଳିଗୋଳା ଆକ୍ରମଣରୁ ଏହି ଜ୍ୟାକେଟ୍‌ ଯବାନଙ୍କୁ ସୁରକ୍ଷା ଯୋଗାଇ ପାରିବ। ଏହି ଜ୍ୟାକେଟ୍‌ ଅନ୍ତର୍ଜାତୀୟ ମାନର ବୋଲି ‘ବ୍ୟୁରୋ ଅଫ ଇଣ୍ଡିଆନ୍‌ ଷ୍ଟାଣ୍ଡାଡ୍ସ’ (ବିଆଇଏସ) ପ୍ରକାଶ କରିଛି। ପୂର୍ବରୁ ଆମେରିକା, ବ୍ରିଟେନ ଓ ଜର୍ମାନୀ ଏପରି ଜ୍ୟାକେଟ ନିର୍ମାଣ କରିଆସୁଥିଲେ। ଏବେ ୪ର୍ଥ ଦେଶ ଭାବେ ଭାରତ ଏହାକୁ ନିର୍ମାଣ କରି ରପ୍ତାନୀ କରିବାକୁ ଯାଉଛି। କେବଳ ଏହି ଜ୍ୟାକେଟ୍‌ ନୁହେଁ, ହିନ୍ଦୁସ୍ତାନ ଏରୋନୋଟିକାଲ ଲିମିଟେଡ (ଏଚଏଏଲ) ଦ୍ବାରା ନିର୍ମିତ ତେଜସ୍‌ ଲଢୁଆ ବିମାନ କିଣିବାକୁ ଶ୍ରୀଲଙ୍କା, ଇଜିପ୍ଟ, ଭିଏତନାମ ଓ ମାଲଦୀପ ଆଦି ରାଷ୍ଟ୍ର ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।
ଭାରତ ସରକାର ନିଜ ଦେଶର ସୈନିକଙ୍କୁ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ ଯୋଗାଇ ପାରୁ ନଥିବା ନେଇ ବିଶ୍ବର ଅଧିକାଂଶ ଦେଶ ସମାଲୋଚନା କରି ଆସୁଥିଲେ। ୨୦୦୮ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ଘଟଣାର ଭିଡିଓ ସମଗ୍ର ବିଶ୍ବରେ ପ୍ରସାରିତ ହୋଇଥିଲା। ସେତେବେଳେ ଭାରତର କେତେକ ମିତ୍ର ରାଷ୍ଟ୍ର ଏହି ଘଟଣାରେ ଉଦ୍‌ବେଗ ପ୍ରକାଶ କରିବା ସହ ସେନାକୁ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ ଯୋଗାଇ ଦେବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଏହା ବ୍ୟତୀତ ଦେଶରେ ଆତଙ୍କବାଦ ଓ ନକ୍ସଲ ଦମନ କ୍ଷେତ୍ରରେ ଭାରତୀୟ ଅର୍ଦ୍ଧ ସାମରିକ ବଳଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ବିଶେଷକରି କାଶ୍ମୀରରେ ଦୈନିକ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳୁଛିା।କେବଳ ଆଭ୍ୟନ୍ତରୀଣ କ୍ଷେତ୍ରରେ ନୁହେଁ; ସୀମାରେ ମଧ୍ୟ ପାକିସ୍ତାନ ଯବାନଙ୍କ ଅସ୍ତ୍ରବିରତି ଉଲ୍ଲଙ୍ଘନରେ ଭାରତୀୟ ଯବାନ ସହିଦ ହୋଉଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ସେନାକୁ ଅତ୍ୟାଧୁନିକ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ଯୋଗାଇ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ।
ବିଆଇଏସ୍‌ ଦେଶର ପ୍ରତ୍ୟେକ ଉତ୍ପାଦର ଗୁଣବତ୍ତା ପରୀକ୍ଷା କରିଥାଏା। ଭାରତରେ ନିର୍ମିତ ଏହି ଜ୍ୟାକେଟ ଉଚ୍ଚକୋଟୀର ତଥା ଅନ୍ତର୍ଜାତୀୟ ମାନର ବୋଲି ବିଆଇଏସ୍‌ ଉପ ନିର୍ଦେଶକ ରାଜେଶ ବଜାଜ୍‌ କହିଛନ୍ତି। ଭାରତୀୟ ସେନାର ଚାହିଦାକୁ ଦୃଷ୍ଟିରେ ରଖି ଏପରି ଅତ୍ୟାଧୁନିକ ଜ୍ୟାକେଟ୍‌ ନିର୍ମାଣ କରାଯାଇଛି। ପୂର୍ବରୁ କେତେକ ଜ୍ୟାକେଟ୍‌ର ନମୁନା ସେନାକୁ ପରୀକ୍ଷଣ ପାଇଁ ଦିଆଯାଇଥିଲାା। ତେବେ ଏହା ନିମ୍ନମାନର ଓ ଗ୍ରହଣୀୟ ନୁହେଁ ବୋଲି ସେନା ସୂଚନା ଦେଇଥିଲା। ଉନ୍ନତମାନର ତଥା ବିଶ୍ବସ୍ତରୀୟ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ନିର୍ମାଣ କରିବା ପାଇଁ ୨୦୧୮ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ନୀତି ଆୟୋଗ ବିଆଇଏଓକୁ ନିର୍ଦେଶ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୧.୮୬ ଲକ୍ଷ ଜ୍ୟାକେଟ୍‌ ପାଇଁ ୬୩୯ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ତଦନୁଯାୟୀ ଅତ୍ୟାଧୁନିକ ଓ ସମସ୍ତ ଜଳବାୟୁକୁ ସୁହାଇଲା ଭଳି ଉନ୍ନତମାନର ଜ୍ୟାକେଟ୍‌ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଥିଲୁ ବୋଲି ବିଆଇଏସ ବୈଜ୍ଞାନିକ ଜେ.ଏସ. ଗୁପ୍ତା ପ୍ରକାଶ କରିଛନ୍ତି। ଚେନ୍ନଇସ୍ଥିତ ଆଭାଦୀ ଓ ମେଦାନୀ ଯୁଦ୍ଧାସ୍ତ୍ର କାରଖାନା, ପଲୱାଲସ୍ଥିତ ଏସଏନପିପି ଫାର୍ମ, ହରିୟାଣାର ଫରିଦାବାଦସ୍ଥିତ ଷ୍ଟାରୱୟାର ଏବଂ ଉତ୍ତରପ୍ରଦେଶର କାନପୁରସ୍ଥିତ ଏମକେୟୁ କାରଖାନାରେ ଏହି ଜ୍ୟାକେଟ୍‌ ନିର୍ମାଣ କରାଯାଉଥିବା ବୈଜ୍ଞାନିକ ଗୁପ୍ତା କହିଛନ୍ତି। ଇତି ମଧ୍ୟରେ ଭାରତୀୟ ସୁରକ୍ଷା ବାହିନୀକୁ ୧.୮୬ ଲକ୍ଷ ବୁଲେଟ ପ୍ରୁଫ ଜ୍ୟାକେଟ୍‌ ଯୋଗାଇ ଦିଆଯାଇ ସାରିଛି। ଚାହିଦାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଅଧିକ ଜ୍ୟାକେଟ୍‌ ଯୋଗାଇ ଦିଆଯିବା ପାଇଁ ପ୍ରସ୍ତୁତି ଚାଲିଛିା। ଯବାନଙ୍କ ଶରୀରର ମାପ ଓ କାର୍ଯ୍ୟ (ଅପରେସନ)କୁ ଦୃଷ୍ଟିରେ ରଖି ଏହି ଜ୍ୟାକେଟ୍‌ ନିର୍ମାଣ କରାଯାଇଛି। ଅତ୍ୟାଧୁନିକ ଏ.କେ-୪୭ ରାଇଫଲରୁ ୭ଶହ ମିଟର ଦୂରତାରୁ ଆସୁଥିବା ଯେକୌଣସି ପ୍ରକାର ଗୁଳି ଏହାକୁ ଭେଦ କରିପାରିବ ନାହିଁ । ଏହି ଜ୍ୟାକେଟ୍‌ ନମନୀୟ, ଅର୍ଥାତ୍‌ ଏହାକୁ ଭାଙ୍ଗି ବ୍ୟାଗ୍‌ରେ ପୂରାଇ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ନିଆଯାଇ ପାରିବ। ଏହାର ଓଜନ ୬ କିଲୋ ଓ ଟି-ସାର୍ଟ ପରି ତୁରନ୍ତ ଏହାକୁ ଶରୀରରୁ ପୃଥକ୍‌ କରିହେବ ।

ଏହି ଜ୍ୟାକେଟ୍‌ ସହ ଗୁଳି ନିରୋଧୀ ହେଲମେଟ୍‌ ପିନ୍ଧି ଯବାନମାନେ ଶତ୍ରୁର ମୁକାବିଲା କରିବା ସମୟରେ ସୁରକ୍ଷିତ ରହିପାରିବେ। ବିଭିନ୍ନ ବିଭାଗର ସେନାଙ୍କ ପାଇଁ ଭିନ୍ନଭିନ୍ନ ରଙ୍ଗରେ ଏହା ନିର୍ମାଣ କରାଯାଇଛି। ସ୍ବଦେଶରେ ନିର୍ମାଣ କରାଯାଇଥିବାରୁ ଅନ୍ୟ ଦେଶ ତୁଳନାରେ ଏହାର ମୂଲ୍ୟ ଅପେକ୍ଷାକୃତ କମ୍‌। ପ୍ରତି ବୁଲେଟ୍‌ ପ୍ରୁଫ ଜ୍ୟାକେଟ୍‌ର ମୂଲ୍ୟ ପ୍ରାୟ ୩୪,୩୫୫ ଟଙ୍କା।ସୀମା ସୁରକ୍ଷା ବଳ, ​‌େ​‌ନୗସେନା ଓ ଅର୍ଦ୍ଧସାମରିକ ବଳ ପାଇଁ ପ୍ରାୟ ୩ ଲକ୍ଷ ବୁଲେଟ୍‌ ପ୍ରୁଫ ଜ୍ୟାକେଟର ଆବଶ୍ୟକତା ରହିଥିବା ପୂର୍ବତନ ଡିଆରଡିଓ ମୁଖ୍ୟ ତଥା ବର୍ତ୍ତମାନର ନିତି ଆୟୋଗ ସଦସ୍ୟ ଭି.କେ ସାରସ୍ବତ କହିଛନ୍ତି।
ଏହି ଜ୍ୟାକେଟ୍‌ ବ୍ୟତୀତ ସ୍ବଦେଶୀ କାରିଗରୀ ଜ୍ଞାନ କୌଶଳରେ ନିର୍ମିତ ତେଜସ୍‌ ଯୁଦ୍ଧ ବିମାନ ଶ୍ରୀଲଙ୍କା, ଇଜିପ୍ଟ, ଭିଲତନାମ ଓ ମାଲଦୀପ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। ୨୦୦୧ରେ ହାଲ ପ୍ରଥମେ ଏହାକୁ ନିର୍ମାଣ କରିଥିଲା।ଏବେ ଏହାକୁ ବିକଶିତ କରାଯାଇଛି।ଏହି ବିମାନ ଅପେକ୍ଷାକୃତ ହାଲୁକା ଓ ଦୀର୍ଘ ସମୟ ଉଡ଼ାଣ କରିପାରୁଥିବାରୁ ବିଦେଶରେ ଏହା ଆଦୃତ ଲାଭ କରିପାରିଛି।ଯୁଦ୍ଧ ସରଞ୍ଜାମ ଆମଦାନୀ କ୍ଷେତ୍ରରେ ଏବେବି ଭାରତ ହେଉଛି ବିଶ୍ବର ଅଗ୍ରଣୀ ରାଷ୍ଟ୍ର।ବୁଲେଟ୍‌ ପ୍ରୁଫ ଜ୍ୟାକେଟ ଓ ତେଜସ୍‌ ଯୁଦ୍ଧ ବିମାନ ପରି ସ୍ବଦେଶୀ ଜ୍ଞାନ କୌଶଳରେ ନିଜ ଦେଶରେ ଯୁଦ୍ଧାସ୍ତ୍ର ନିର୍ମାଣ କରାଗଲେ ଭାରତକୁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡ଼ନ୍ତା ନାହିଁ।

Leave A Reply