ଯୁଦ୍ଧ ପରଠାରୁ ଦେଶ ଛାଡିଲେଣି ୯୦ ଲକ୍ଷ ୟୁକ୍ରେନୀୟ

କିଭ୍‍/ନ୍ୟୁୟର୍କ : ୟୁକ୍ରେନ ଉପରେ ରୁଷ ଚଳିତ ବର୍ଷ ଫେବୃଆରୀ ୨୪ ତାରିଖରେ ଆକ୍ରମଣ କରିବା ପରଠାରୁ ୯୦ ଲକ୍ଷରୁ ଅଧିକ ୟୁକ୍ରେନ ନାଗରିକ ଦେଶ ଛାଡିଥିବା ଜାତିସଂଘ ଶରଣାର୍ଥୀ ସଂସ୍ଥା ପକ୍ଷରୁୂ କୁହାଯାଇଛି। ଏହି ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଏହା ନିକଟରେ ଥିବା ହିସାବ ଅନୁଯାୟୀ ଏ ପର୍ଯ୍ୟନ୍ତ ମୋଟ ୯୧,୩୬,୦୦୬ ୟୁକ୍ରେନ ନାଗରିକ ଦେଶ ଛାଡି ପଡୋଶୀ ରାଷ୍ଟ୍ରଗୁଡିକୁ ପଳାୟନ କରିଛନ୍ତି। ଇତିମଧ୍ୟରେ ଆଙ୍କାରାରେ ରୁଷ ଓ ୟୁକ୍ରେନ ସାମରିକ ପ୍ରତିନିଧି ଦଳ ୟୁକ୍ରେନରୁ କୃଷ୍ଣସାଗର ତଟରେ ଥିବା ବନ୍ଦର ଦେଇ ଶସ୍ୟ ରପ୍ତାନି କରିବା ପ୍ରସଙ୍ଗ ଉପରେ ବୁଧବାର ଆଲୋଚନା କରିଛନ୍ତି। ସମ୍ପ୍ରତି ଓଡ଼େଶା ବନ୍ଦରରେ ପ୍ରାୟ ୨୦ ନିୟୁତ ଟନ୍‍ ରପ୍ତାନି ନିମନ୍ତେ ଅଟକି ରହିଛି। ରୁଷର ଅବରୋଧ ଯୋଗୁଁ ଡଜନ ସଂଖ୍ୟକ ଜାହାଜ କୃଷ୍ଣସାଗରରେ ଦୀର୍ଘମାସ ହେଲା ଅଟକିଛି। ଅନ୍ୟପକ୍ଷରେ ରୁଷ ଅଧିକୃତ ଅଞ୍ଚଳ ଖେରସନରେ ୟୁକ୍ରେନ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣକୁ ନେଇ ଉଭୟ ରାଷ୍ଟ୍ର ପରସ୍ପର ବିରୋଧୀ ମନ୍ତବ୍ୟ ଦେଇଛନ୍ତି। ଏକ ସୂତ୍ର ଅନୁଯାୟୀ ଖେରସନ ଅଞ୍ଚଳର ନୋଭା କାଖୋଭକାରେ କ୍ଷେପଣାସ୍ତ୍ର ଆକ୍ରମଣରେ ୫୨ ଜଣଙ୍କର ପ୍ରାଣହାନି ଘଟିଛି; କିନ୍ତୁ ରୁଷର ଟାସ୍‍ ଖବର ସରବରାହ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଏହି ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୭୦ ଜଣ ଆହତ ହୋଇଛି।
ଇତିମଧ୍ୟରେ ୟୁକ୍ରେନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିୟୋଜିତ କର୍ମଚାରୀଙ୍କୁ ବେତନ ପ୍ରଦାନ କରିବାକୁ ଉକ୍ତ ରାଷ୍ଟ୍ରକୁ ୧.୭ ବିଲିଅନ ଡଲାର ସହାୟତା ମିଳିଛି। ସୂଚନାଯୋଗ୍ୟ ଯେ ଯୁଦ୍ଧ ଆରମ୍ଭ ହେବାପରେ ୟୁକ୍ରେନର ଅଧିକାଂଶ ଡାକ୍ତର ଦେଶ ଛାଡିଥିବାବେଳେ କିଛି ହସପିଟାଲ ବନ୍ଦ ହୋଇଯଇଛି। ଅନ୍ୟ ହସପିଟାଲଗୁଡିକ ରୁଷ ଆକ୍ରମଣରେ ନଷ୍ଟ ହୋଇଯାଇଛି। ୟୁକ୍ରେନରେ ରହିଯାଇଥିବା ସ୍ୱାସ୍ଥ୍ୟସେବା କର୍ମଚାରୀମାନେ ଚରମ ପରିସ୍ଥିତିରେ ସେମାନଙ୍କର କର୍ତ୍ତବ୍ୟ ଜାରି ରଖିଛନ୍ତି। ୟୁକ୍ରେନର ସ୍ୱାସ୍ଥ୍ୟମନ୍ତ୍ରୀ ଭିକ୍ଟର ଲିଆଶକୋ କହିଛନ୍ତି, ଯୁଦ୍ଧଜନିତ ବୋଝ କାରଣରୁ ପ୍ରତି ମାସରେ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ବେତନ ପ୍ରଦାନ କରିବା କଷ୍ଟକର ହୋଇପଡୁଛି। ଆମେରିକା ପକ୍ଷରୁ କୁହାଯାଇଛି ଯେ ଇରାନ ସରକାର ରୁଷକୁ କେତେ ଶହ ଡ୍ରୋନ ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି। ସେଥିମଧ୍ୟରୁ କେତେକ ଅସ୍ତ୍ରଶସ୍ତ୍ର ବହନ କରିବାକୁ ସମର୍ଥ। ଏଥିସହିତ ରୁଷ ସୈନ୍ୟଙ୍କୁ ଏହି ଡ୍ରୋନ ବ୍ୟବହାର ସମ୍ପର୍କିତ ତାଲିମ ପ୍ରଦାନ କରିବାକୁ ମଧ୍ୟ ରୁଷ ପ୍ରସ୍ତୁତ ହେଉଥିବା ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍‍ ସୁଲ୍ଲିଭାନ୍‍ କହିଛନ୍ତି।

kalyan agarbati

Comments are closed.