ସ୍ତନ କର୍କଟ ନିଦାନ ପାଇଁ ସଚେତନତା ଓ ସାବଧାନତା ଲୋଡ଼ା

ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ସମସ୍ତ କର୍କଟ ରୋଗ ଅପେକ୍ଷା ସ୍ତନ କର୍କଟ ଅତି ସାଧାରଣ ଅଟେ କିନ୍ତୁ ସ୍ତନ କର୍କଟ ଜନିତ ରୋଗଦ୍ୱାରା ହେଉଥିବା ମହିଳାମାନଙ୍କର ମୃତ୍ୟୁ ହିଁ ପ୍ରମୁଖ ଚିନ୍ତାର କାରଣ ଅଟେ। କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ମହିଳାମାନଙ୍କଠାରେ ସ୍ତନ କର୍କଟ ଭଳି ସମସ୍ୟା ଦେଖାଦେଉଛି। ନିଶ୍ଚିତ ରୂପେ ସ୍ତନ କର୍କଟ ଏକ ଗୁରୁତର ରୋଗ, କିନ୍ତୁ ଏହା ଯେ ଦୁରାରୋଗ୍ୟ ତାହା ଭାବିବା ଭୁଲ। ଠିକ୍ ସମୟରେ ରୋଗ ଚିହ୍ନଟ ହେଲେ ଏହାର ଚିକିତ୍ସା ସମ୍ଭବ ଏବଂ ଜଣେ ରୋଗୀ ସୁସ୍ଥ ମଧ୍ୟ ହୋଇପାରିବେ ବୋଲି ବକ୍ତାମାନେ କହିଛନ୍ତି।
ବିଶ୍ୱ ସ୍ତନ କର୍କଟ ମାସ ଅବସରରେ ସ୍ବେଚ୍ଛାସେବୀ ସଂଗଠନ ରେଡ ସ୍ୱସ୍ତିକ୍ ସୋସାଇଟି, ଲାୟନ୍‌ସ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନ, କ୍ରିୟା ଓ ସ୍ପର୍ଶ ହସ୍ପିଟାଲର ମିଳିତ ସହଯୋଗରେ ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ ‘ଉଡ଼ାନ୍‌’ ଭିଏସଏସ ନଗର ସ୍ଥିତ ବିଏମସି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭିଏସଏସ ନଗର ଅନ୍ତର୍ଗତ ୱାର୍ଡ଼ ନଂ.୧୧ର କର୍ପୋରେଟର ପ୍ରଭାସିନୀ ମହାନ୍ତି, ସ୍ପର୍ଶ ହସ୍ପିଟାଲର କାର୍ଯ୍ୟନିର୍ବାହୀ ନିର୍ଦେଶକ ତଥା ଓଡ଼ିଶାର ସୁନାମଧନ୍ୟ କର୍କଟ ବିଶେଷଜ୍ଞ ଡା. ଘନଶ୍ୟାମ ବିଶ୍ୱାସ, ପୂର୍ବତନ ଆୟକର ଆୟୁକ୍ତ ଶରତ ଦାଶ ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଧାରଣତଃ ମହିଳା, ଚିକିତ୍ସିତ ହେଉଥିବା ରୋଗୀ, ସୁସ୍ଥ ହୋଇଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନଙ୍କୁ ସ୍ତନ କର୍କଟ ରୋଗ ବିଷୟରେ ସଚେତନ ପାଇଁ ଏକ ଛୋଟ ପ୍ରୟାସ କରାଯାଇଥିଲା। କର୍କଟ ବିଶେଷଜ୍ଞଙ୍କ ମତରେ ଯଦି ରୋଗ ପ୍ରଥମାବସ୍ଥାରେ ଜଣାପଡ଼ିଥାଏ ତାହେଲେ ରୋଗକୁ ଭଲ କରିହେବ। ସେଥିପାଇଁ କିଛି ସାବଧାନତା ଏବଂ ସଚେତନତାର ଆବଶ୍ୟକ। ଯଦି ସ୍ତନରେ ଗେଟା ହେବ, ଅସ୍ଥିରତା ଦେଖାଦେବ, କିଛି ଯଦି କଷ୍ଟ ଅନୁଭବ କଲେ, ରକ୍ତ କ୍ଷରଣ ହେଲେ, ଲାଲ ଦେଖାଗଲେ ଏବଂ ଯଦି ରୋଗ ବଂଶାନୁକ୍ରମ ହୋଇଥିବ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ । ଯଦି ବର୍ତ୍ତମାନ ଜୀବନ ଶୈଳୀରେ ପରିବର୍ତ୍ତନ ତଥା ମଦ୍ୟପାନ, ମାତ୍ରାଧିକ ଧୂମପାନ, ବ୍ୟାୟାମର ଅଭାବ, ଉଚ୍ଚରକ୍ତଚାପ ଥିଲେ, ମାତ୍ରାଧିକ ଜଙ୍କଡ଼ ଫୁଡ଼ ଖାଇଲେ ଶିଶୁମାନଙ୍କୁ ସ୍ତନପାନ କରାଉଥିବା ମହିଳାମାନଙ୍କ ପାଖରେ ଏହି ରୋଗ ଦେଖାଦେବାର ସମ୍ଭାବନା ଥାଏ। ସଠିକ୍ ସମୟରେ ରୋଗର ଚିକିତ୍ସା ଦ୍ୱାରା ଏହି ସମସ୍ୟାର ସମାଧାନ କରାଯାଇପାରିବ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ପର୍ଶ ହସ୍ପିଟାଲ୍ ପକ୍ଷରୁ ସ୍ୱତନ୍ତ୍ର ମେସିନ୍ ଦ୍ୱାରା ସ୍କ୍ରିନ ମାଧ୍ୟମରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ରେଡ଼୍ ସ୍ୱସ୍ତିକ୍ ସୋସାଇଟିର ସଚିବ ଦେବାଶିଷ ପଟ୍ଟନାୟକ ଓ ଲାୟନ୍‌ସ ମିନତୀ ବେହେରା କ୍ୟାନ୍‌ସର ଫାଉଣ୍ଡେସନର ସମ୍ପାଦକ ସୁଚିସ୍ମିତା ପୃଷ୍ଟି, କ୍ରିୟା ଫାଉଣ୍ଡେସନ୍‌ର ଲିଲି ଜେନାମଣି ପ୍ରମୁଖଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲାୟନ ମିନତି ବେହେରା କ୍ୟାନ୍‌ସର ଫାଉଣ୍ଡେସନ ପକ୍ଷରୁ କ୍ୟାନସର ସରଭାଇଭର ମିସ୍ ପ୍ରେମଲତା ସାହୁ, ସ୍ପର୍ଶ ହସପିଟାଲର ଅସ୍ଥିଶଲ୍ୟ ବିଭାଗ ଡାକ୍ତର ଜୟ ପ୍ରକାଶ ପ୍ରଧାନ ଓ ସ୍ପର୍ଶ ହସପିଟାଲର ଷ୍ଟାଫ୍ ନର୍ସ ଦେବାଶିଷ ଦାସଙ୍କୁ ଲାୟନ ମୀନତୀ ସୂର୍ଯ୍ୟସେବା ସମ୍ମାନ ୨୦୨୨ରେ ସମ୍ମାନୀତ କରାଯାଇଥିଲା ।

kalyan agarbati

Comments are closed.