ଭୁବନେଶ୍ୱର: ରାଷ୍ଟ୍ରଭକ୍ତିର ଅଫୁରନ୍ତ ମହକରେ ଉତ୍କଳ ବିଶ୍ବବିଦ୍ୟାଳୟରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଉତ୍କଳ ବିଶ୍ବବିଦ୍ୟାଳୟର ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଆଲୋକପାତ କରି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଥିଲେ ଯେ ଗୁଣାତ୍ମକ ଶିକ୍ଷାଦାନ ଓ ଗବେଷଣା ତଥା ଶିକ୍ଷକ, ଅଣଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମିଳିତ ସହଯୋଗରେ ଉତ୍କଳକୁ ନାକ ଏ+ ମାନ୍ୟତା ଏବଂ ସରକାରୀ ବିଶ୍ବବିଦ୍ୟାଳୟ କ୍ୟାଟାଗରିରେ ୪୨ତମ ରାଙ୍କ ମିଳିପାରିଛି।

ରାଜ୍ୟରେ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ ହେବାକୁ ଯାଉଛି, ଯାହା ଛାତ୍ରଛାତ୍ରୀଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହେବ। ଶିକ୍ଷାର ନିରନ୍ତର ବିକାଶ ଦିଗରେ ଉତ୍କଳ ସବୁବେଳେ ଅଗ୍ରଣୀ ଭୂମିକା ନିର୍ବାହ କରିବ। ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଓ ଗବେଷଣା ଯୋଗାଇଦେବା ନିମନ୍ତେ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତିଶ୍ରୁତିବଦ୍ଧ। ଏନେଇ ସମସ୍ତେ ଅଙ୍ଗୀକାରବଦ୍ଧ ହୋଇ କାର୍ଯ୍ୟ କରିବା ସହିତ ଉତ୍କଳର ସର୍ବାଙ୍ଗୀଣ ବିକାଶ ପାଇଁ ଉଦ୍ୟମ ଜାରି ରଖିବାକୁ କୁପଳତି ପ୍ରଫେସର ସବିତା ଆଚାର୍ଯ୍ୟ ଆହ୍ବାନ ଦେଇଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟକୁ କେମିତି ଆମେ ଶ୍ରେଷ୍ଠତମ ସ୍ତରରେ ପହଞ୍ଚାଇ ପାରିବା ସେଥିପାଇଁ ଆମକୁ ଏବେଠାରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି କୁଳପତି ପ୍ରକାଶ କରିଥିଲେ।
ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ନବନୀତା ରଥ ସ୍ବାଗତ ଅଭିଭାଷଣ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୁଳସଚିବ ଡ.କାହ୍ନୁଚରଣ ଧୀର, ବିତ୍ତ ନିୟନ୍ତ୍ରକ ଗୌତମ ପ୍ରଧାନ, ପରୀକ୍ଷା ନିୟନ୍ତ୍ରକ ଡ. ଚିନ୍ମୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀଙ୍କ ଦ୍ବାରା ଚିତ୍ତାକର୍ଷକ ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ କରାଯାଇଥିଲା।



